ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ଓଏଲ୍ ବ୍ୟୁରୋ: ଲଗାତାର ନବମ ଥର ପାଇଁ ବିଜୁ ଜନତା ଦଳର ସଭାପତି ଭାବେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ ହୋଇଛନ୍ତି ନବୀନ ପଟ୍ଟନାୟକ। ଆଜିଠୁ ବିଜେଡିରେ ନବୀନଙ୍କ ୯ମ ଇନିଂସ୍ ଆରମ୍ଭ ହେବ। ସଭାପତି ଲାଗି ଏକମାତ୍ର ପ୍ରାର୍ଥୀ ଭାବେ ନବୀନ ନାମାଙ୍କନ ଭରିବା ପରେ ସର୍ବସମ୍ମତି କ୍ରମେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ ହୋଇଛନ୍ତି। ରାଜ୍ୟ ପରିଷଦ ବୈଠକ ପରେ ସଭାପତିଙ୍କ ନାଁ ଘୋଷଣା କରାଯାଇଛି। ନାମ ଘୋଷଣା କରିଛନ୍ତି ନିର୍ବାଚନ ଅଧିକାରୀ ପ୍ରତାପ ଦେବ।
ନିର୍ବାଚନ ହାରିବା ପରେ ବିଜୁ ଜନତା ଦଳ ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ଘର ସଜାଡ଼ିବା ଆରମ୍ଭ କରିଛି। ୨୪ ବର୍ଷ ପରେ ପ୍ରଥମ ଥର ପାଇଁ ବିରୋଧୀ ଦଳ ଆସନରେ ବିଜେଡି ବସିଥିବା ବେଳେ ଦଳକୁ ଆହୁରି ମଜବୁତ କରିବା ପାଇଁ ଦଳର ସୁପ୍ରିମୋ ନବୀନ ନିଜର ନୂଆ ଟିମ ଗଢିବେ। ରାଜ୍ୟ କାର୍ଯ୍ୟକାରିଣୀ ଗଠନ କରିବା ପରେ ଦଳର ଛାମୁଆ ସଙ୍ଗଠନ ମହିଳା, ଯୁବ ଓ ଛାତ୍ର ସଂଗଠନକୁ ଦିଆଯିବ ନୂଆରୂପ।
ନବୀନ ପଟ୍ଟନାୟକ ନବମ ଥର ଭାବେ ବିଜେଡି ସଭାପତି ହେବା ପରେ ଦଳୀୟ ନେତା ଓ କର୍ମୀଙ୍କୁ ବାର୍ତ୍ତା ଦେବେ। ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ନବୀନ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଛନ୍ତି। ବିଜେଡିର ୩୩ଟି ସାଙ୍ଗଠନିକ ଜିଲ୍ଲା ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୧୮ଟି ଜିଲ୍ଲାର ସଭାପତିଙ୍କ ନାମ ଘୋଷଣା ସରିଛି।