Odisha Link
Bridging the Missing Links in Odisha

ଶାହଙ୍କ ଦୃଢ଼ୋକ୍ତି; ଓଡ଼ିଶାର ସନ୍ତାନ ହିଁ କରିବେ ଓଡ଼ିଶାର ଶାସନ

ଓଏଲ୍‌ ବ୍ୟୁରୋ: ଗଣତନ୍ତ୍ରର ମହାପର୍ବ ଆରମ୍ଭ ହୋଇଛି। ଗତକାଲି ଦେଶରେ ପଞ୍ଚମ ଓ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ରାଜ୍ୟରେ ଦୁଇଟି ପର୍ଯ୍ୟାୟ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଥିବାବେଳେ ଆଉ ଦୁଇଟି ପର୍ଯ୍ୟାୟ ନିର୍ବାଚନ ପାଖେଇ ଆସୁଛି। ଏସବୁ ଭିତରେ ଦିନକୁ ଦିନ ରୋଚକ ହେବାରେ ଲାଗିଛି ଓଡ଼ିଶା ରାଜନୀତି। ଚଳିତ ନିର୍ବାଚନରେ ବିଜେଡି-ବିଜେପି ମଧ୍ୟରେ ଦେଖିବାକୁ ମିଳୁଛି କଡ଼ା ଟକ୍କର। କାରଣ ବିଜେପିର କେନ୍ଦ୍ରୀୟ ନେତାଙ୍କ ଘନ ଘନ ଓଡ଼ିଶା ଗସ୍ତ ଜାରି ରହିଛି।

ଓଡ଼ିଶା ଦଖଲ କରିବା ପାଇଁ ବିଜେପି ଜୋରଦାର ଉଦ୍ୟମ କରୁଥିବା ବେଳେ ଶାସକ ଦଳ ବିଜୁ ଜନତା ଦଳ ବିରୋଧୀଙ୍କୁ ଚକମା ଦେବାକୁ କରୁଛି ସ୍ବତନ୍ତ୍ର ରଣନୀତି। ଏସବୁ ମଧ୍ୟରେ ଆଜି ପୁଣି ଥରେ ଓଡିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସମ୍ବଲପୁର ଅଇଁଠାପାଲିରେ ବିରାଟ ଜନସଭାକୁ ସମ୍ବୋଧିତ କରୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସମ୍ବଲପୁର ସଭାରେ ଅମିତ ଶାହ କହିଛନ୍ତି, ଓଡ଼ିଶାରେ ଓଡ଼ିଆ ଭାଷା ସଂସ୍କୃତି ଆଧାରରେ ସରକାର ହେବାକୁ ଯାଉଛି।

ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଆତ୍ମାକୁ ଆଜି ଶାନ୍ତି ମିଳୁଥିବ। ଏଥର ଓଡ଼ିଶାରେ ଡବଲ ଇଂଜିନ ସରକାର ହେବାକୁ ଯାଉଛି। ପାଞ୍ଚ ପର୍ଯ୍ୟାୟ ନିର୍ବାଚନ ସରିଗଲାଣି ଏବଂ ମୋଦି ୩ ଶହ ପାର୍‌ କରିଗଲେଣି। ସାତ ପର୍ଯ୍ୟାୟ ପରେ ୪ଶହ ପାର୍‌ ହୋଇଯାଇଥିବ। ଓଡ଼ିଶାକୁ କେବଳ ୪ ଶହ ପାର୍‌ ନୁହେଁ, ଏଠାରେ ବି ପଦ୍ମ ଫୁଟିବା ଦରକାର। ଓଡ଼ିଶାର କଳା, ସଂସ୍କୃତିର ସୁରକ୍ଷା ପାଇଁ ବିଜେପି ସରକାର ଦରକାର ବୋଲି ଶ୍ରୀ ଶାହ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି।

ଏହା ସହ ବିରୋଧୀଙ୍କୁ ଟାର୍ଗେଟ କରି ଅମିତ ଶାହ କହିଛନ୍ତି, ନବୀନ ବାବୁ ଓଡ଼ିଆ ଅସ୍ମିତାର ତଣ୍ଟିଚିପିବାକୁ ଉଦ୍ୟମ କରିଛନ୍ତି। ଓଡ଼ିଶାରେ କୌଣସି ତାମିଲ ଲୋକ ଶାସନ କରିପାରିବେନି। ଓଡ଼ିଶାର ଶାସନ ଓଡ଼ିଶାର ସନ୍ତାନ ହିଁ କରିବେ। ଉତ୍କଳ ଭୂମିର ଶାସନ ଜଗନ୍ନାଥ ପରମ୍ପରାକୁ ଆଗକୁ ନେଉଥିବା ବ୍ୟକ୍ତି ହିଁ କରିବ। ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରାକୁ ବନ୍ଦ କରିବାକୁ ଷଡ଼ଯନ୍ତ୍ର କରାଯାଇଥିଲା। ପ୍ରଧାନମନ୍ତ୍ରୀ ଜଗନ୍ନାଥ ପରମ୍ପରାକୁ ଅକ୍ଷୂଣ୍ଣ ରଖିବାକୁ କାମ କରିଥିଲେ। ସାରା ଦେଶରେ ଓଡ଼ିଶା ସମୃଦ୍ଧ, ଓଡ଼ିଶା ଲୋକ କିନ୍ତୁ ଗରିବ। ନବୀନ ବାବୁଙ୍କ ଲୋକ ଓଡ଼ିଶାର ଖଣିଜ ସଂପଦ ଲୁଟି ଚାଲିଛନ୍ତି। କଥା ଦେଉଛି, ବିଜେପି ସରକାର ଆସିଲେ ଖଣିଜ ସଂପଦର ସୁବିନିଯୋଗ ହେବ। ଓଡ଼ିଶାରେ ସବୁ ଅଛି, କିନ୍ତୁ ଗୋଟିଏ ଜିନିଷ ହିଁ କେବଳ ଅଭାବ। ଓଡ଼ିଶା ପାଇଁ ପରିଶ୍ରମ କଲା ଭଳି ମୁଖ୍ୟମନ୍ତ୍ରୀ ନାହାନ୍ତି।

କଥା ଦେଉଛି, ବିଜେପି ସରକାରରେ ଓଡ଼ିଶା ପାଇଁ ପରିଶ୍ରମୀ ମୁଖ୍ୟମନ୍ତ୍ରୀ ଦେବୁ। ନବୀନ ସରକାର, ଖାଲି ଅଖାର ସରକାର। ମୋଦି ଚାଉଳ ଦେଉଛନ୍ତି, ନବୀନ ବାବୁ ଫଟୋ ଲଗା ଅଖା ଦେଉଛନ୍ତି। ଖାଲି ଅଖାରେ ପେଟ ପୁରେନି, ଯଦି ଦେବା କଥା ଚାଉଳ ଦିଅନ୍ତୁ। ରତ୍ନଭଣ୍ଡାର ଚାବି ହଜିଲାଣି, ନକଲି ଚାବି ବାହାରିଲାଣି। ବିଜେପି ସରକାର ଆସିଲେ ରତ୍ନଭଣ୍ଡାର ହିସାବ ଖୁଲାସା ହେବ। ରତ୍ନ ଭଣ୍ଡାର ରିପୋର୍ଟକୁ ବିଜେପି ଆସିଲେ ସାର୍ବଜନୀନ କରିବ। ଆଦିବାସୀଙ୍କ ଜମି ବିକ୍ରି କରିବାର କାମ ଏଠି ଚାଲିଛି। ପେସା ଆଇନ ମଧ୍ୟପ୍ରଦେଶରେ ଲାଗୁ ହୋଇଛି, ଏଠି ବି ଲାଗୁ କରିବୁ ବୋଲି ଶ୍ରୀ ଶାହ କହିଛନ୍ତି।

Leave A Reply

Your email address will not be published.