ଡ୍ୟାମ୍ରୁ ଉଦ୍ଧାର ହେଲା ନିଖୋଜ ବ୍ୟକ୍ତିଙ୍କ ମୃତଦେହ

କନ୍ଧମାଳ: ଗତ ୩୦ତାରିଖରୁ ନିଖୋଜ ଥିବା ବ୍ୟକ୍ତିଙ୍କର ମୃତଦେହ ଉଦ୍ଧାର ହୋଇଛି। ପରିବାରଲୋକ ଥାନାରେ ଅଭିଯୋଗ କରିଥିଲେ। ତେବେ ତାଙ୍କ ମୃତଦେହ ଆଜି ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁସାରେ, କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଥାନା କଲିନାକୁ ଗାଁର ରାଜ କୁମାର ପ୍ରଧାନ ଗତ ୩୦ତାରିଖରୁ ନିଖୋଜ ଥିଲେ। ପରିବାର ଲୋକେ ବହୁତ ଖୋଜାଖୋଜି ପରେ ମଧ୍ୟ ଜି.ଉଦୟଗିରି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଆଜି ସକାଳୁ ରାଜ କୁମାରଙ୍କ ମୃତଦେହ ଡ଼ଡ଼ାପଡା ଡ୍ୟାମରେ ଭାସୁଥିବାର ସ୍ଥାନୀୟଲୋକେ ଦେଖିଥିଲେ। ଜି.ଉଦୟଗିରି ଥାନା ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିଛନ୍ତି । ଫୁଲବାଣୀରୁ ଡଗ୍ ସ୍କ୍ବାର୍ଡ ଆସିବା ନେଇ ସୂଚନା ରହିଛି । ତାଙ୍କୁ କେହି ହତ୍ୟା କରି ସେଠାରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । କେହି ତାଙ୍କୁ ମାରି ଏଠାରେ ଫିଙ୍ଗିଛି ନା ପାଣିରେ ବୁଡି ତାଙ୍କର ମୃତ୍ୟୁ ହୋଇଛି ତାହାର ତଦନ୍ତ ଜାରି ରଖିଛି ପୋଲିସ।