ବିବାଦରେ ଟିମ୍ ଇଣ୍ଡିଆର ଅରେଞ୍ଜ ଜର୍ସି

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ନୂତନ ଜର୍ସିକୁ ନେଇ ଭାରତୀୟ ରାଜନୀତି ପୁରା ସରଗରମ। କ୍ରିକେଟ ମହାକୁମ୍ଭରେ ଆସନ୍ତା ଜୁନ ୩୦ରେ ଖେଳାଯିବାକୁ ଥିବା ଏକ ମ୍ୟାଚରେ ଭାରତ ଓ ଆୟୋଜକ ଇଂଲଣ୍ଡ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଦୁଇ ଦଳର ଜର୍ସି ସମାନ ରଙ୍ଗର ହୋଇଥିବାରୁ ଏହି ମ୍ୟାଚରେ ଭାରତ ଅରେଞ୍ଜ ଜର୍ସି ପିନ୍ଧି ଖେଳିବ। ତେବେ ଏହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି। କଂଗ୍ରେସ ଓ ସମାଜବାଦୀ ପାର୍ଟି ଏହାକୁ ବିରୋଧ କରିଛନ୍ତି। ମହାରାଷ୍ଟ୍ରର ସମାଜବାଦୀ ପାର୍ଟି ଏମଏଲଏ ଅବୁ ଅସିମ ଆଜମୀ କହିଛନ୍ତି ଯେ, ଏହି ଜର୍ସି ବଦଳାଇବା ନିଷ୍ପତ୍ତି ପଛରେ ସରକାରଙ୍କ ହାତ ରହିଛି। ଦେଶକୁ ପ୍ରଧନାମନ୍ତ୍ରୀ ନରେନ୍ଦ୍ର ମୋଦି ଗେରୁଆକରଣ କରିବାକୁ ଚାହୁଁଛନ୍ତି ବୋଲି ଅଜମୀ କହିଛନ୍ତି। ସେହିଭଳି ମୋଦି ସରକାର ଗେରୁଆ ପଲିଟିକ୍ସ କରୁଛନ୍ତି ବୋଲି ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ଏମଏଲଏ ନସୀମ ଖାଁ କହିଛନ୍ତି।
ଟିମ୍ ଇଣ୍ଡିଆ ଜର୍ସିକୁ ନେଇ ରାଜନୈତିକ ବିବାଦ ଦେଖା ଦେବ ପରେ କ୍ରିକେଟ ପ୍ରେମୀ ଏହାକୁ ସହଜରେ ଗ୍ରହଣ କରି ପାରିନାହାନ୍ତି। କିଛି କ୍ରିକେଟ ପ୍ରେମୀ ଟିମ୍ ଇଣ୍ଡିଆ କେଉଁ ରଙ୍ଗର ଜର୍ସି ପିନ୍ଧିବ ତାହା କଣ ରାଜନୈତିକ ଦଳମାନଙ୍କର ଅନୁମତି ନେଇ ପିନ୍ଧିବ କି ବୋଲି ପ୍ରଶ୍ନ କରିଛନ୍ତି। ଏଥି ସହିତ ଆଉ କିଛି କ୍ରିକେଟ ପ୍ରେମୀ ତାତ୍ସଲ୍ୟ କରି କହିଛନ୍ତି ଯେ, ଲାଗୁଛି କିଛି ନେତାଙ୍କୁ ସାଧାରଣ ପରାଜୟ ଏପର୍ଯ୍ୟନ୍ତ ହଜମ ହେଇନାହିଁ ବୋଲି।