କେଉଁ ରାଜ୍ୟରେ କେତେ ଜଣ କରୋନା ଆକ୍ରାନ୍ତ, ଜାଣନ୍ତୁ…

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୭୩ରେ ପହଞ୍ଚିଛି। ଏ ନେଇ ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ସ୍ପଷ୍ଟ କରିଛନ୍ତି। ଲୋକସଭାରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଏ ନେଇ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଅଧିକାଂଶ ଆକ୍ରାନ୍ତ କେରଳ, ମହାରାଷ୍ଟ୍ର, ଉତ୍ତର ପ୍ରଦେଶର ରହିଛନ୍ତି। ଦିଲ୍ଲୀରେ ୬ ଜଣ, କେରଳରୁ ୧୭ ଜଣ, ଉତ୍ତର ପ୍ରଦେଶରୁ ୧୦, ମହାରାଷ୍ଟ୍ରରୁ ୧୧, କର୍ଣ୍ଣାଟକରୁ ୪, ଲଦାଖରୁ ୩ ଜଣ ଆକ୍ରାନ୍ତ ହୋଇଥିବା ବେଳେ ରାଜସ୍ଥାନ, ତେଲେଙ୍ଗାନା, ତାମିଲନାଡୁ, କଶ୍ମୀର, ପଞ୍ଜାବରୁ ଜଣେ ଲେଖାଏଁ ରହିଛନ୍ତି। ମୋଟ୍ ୫୬ ଜଣ ଭାରତୀୟ ଏହି କିଲର କରୋନା ଭାଇରସରେ ଆକ୍ରାନ୍ତ ଅଛନ୍ତି।
ସେହିପରି ୧୭ ଜଣ ବିଦେଶୀ ନାଗରିକ ଭାରତ ଗସ୍ତରେ ଥିବା ବେଳେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିମଧ୍ୟରୁ ହରିଆଣାରୁ ୧୪ ଜଣ ରହିଥିବା ବେଳେ ରାଜସ୍ଥାନରୁ ୨ ଏବଂ ଉତ୍ତର ପ୍ରଦେଶରୁ ଜଣେ ରହିଛନ୍ତି। ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ମିଶି ୭୩ ହୋଇଛି। ଅନ୍ୟପଟେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) କରୋନାକୁ ମହାମାରୀ ଭାବେ ଘୋଷଣା କରିଛି।
କରୋନା ଭାଇରସ ଉପରେ ଏବେ ସରକାର କଡ଼ା ନଜର ରଖିଛନ୍ତି। ବିମାନରୁ ଆସିଥିବା ଯାତ୍ରୀଙ୍କର ମଧ୍ୟ ସ୍କ୍ରିନଟେଷ୍ଟ ହୋଇଛି। ମୋଟ୍ ୧୦,୫୭,୫୦୬ ଯାତ୍ରୀଙ୍କର ସ୍କ୍ରିନଟେଷ୍ଟ ହୋଇଥିବା ଜଣାପଡ଼ିଛି। ୩୦ଟି ବିମାନ ବନ୍ଦରରେ ସ୍କ୍ରିନିଂ ବ୍ୟବସ୍ଥା କରାଯାଇଛି। ଏଥିସହ ସରକାର ଲୋକଙ୍କ ପାଇଁ ହେଲ୍ପ ଲାଇନ୍ ନମ୍ୱର +91-11-23978046 ଏବଂ ଇ-ମେଲ୍ ଆଇଡି ncov2019@gmail.com ଜାରି କରିଛନ୍ତି।