କରୋନାରେ ୨୧ ବର୍ଷୀୟ ଫୁଟବଲ୍ କୋଚ୍ ମୃତ

ନୂଆଦିଲ୍ଲୀ : ଦିନକୁ ଦିନ ସାରା ବିଶ୍ବରେ କରୋନା ଏହାର କାୟା ବିସ୍ତାର କରିବାରେ ଲାଗିଛି। କରୋନା ପାଇଁ ଏବେ ସାରା ବିଶ୍ବ ଚିନ୍ତିତ ଓ ଆତଙ୍କିତ। ବର୍ତ୍ତମାନ ପର୍ଯ୍ୟନ୍ତ କରୋନାରେ ମୃତ୍ୟୁ ସଂଖ୍ୟା ୭ହଜାର ପାର୍ ହୋଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ପାଖାପାଖି ପହଞ୍ଚିଲାଣି। ଏହି ଭୂତାଣୁ ଇଟାଲୀରେ ଓ ସ୍ପେନରେ ଜଟିଳ ପରିସ୍ଥିତି ସୃଷ୍ଟି କରିଛି। ୨୪ ଘଣ୍ଟାରେ ଇଟାଲୀରେ ୩୪୯ ଜଣ ଏବଂ ସ୍ପେନରେ ୧୦୦ ଜଣଙ୍କ ମୃତ୍ୟୁ ହୋଇଛି। ଏହି ପ୍ରାଣଘାତୀ କରୋନା ଭାଇରସ୍ରେ ସ୍ପେନର ୨୧ ବର୍ଷୀୟ ଯୁବ ଫୁଟବଲ କୋଚ ଫ୍ରାନ୍ସସ୍କୋ ଗ୍ରାସିଆଙ୍କ ମୃତ୍ୟୁ ହୋଇଛି।
ସ୍ପେନ୍ର ଏଥଲିଟକୋ ପୋର୍ଟାଡା କ୍ଲବରେ ଗ୍ରାସିଆ କୋଚ୍ ଭାବେ କାର୍ଯ୍ୟ କରୁଥିଲେ। ସେ ପୂର୍ବରୁ କ୍ୟାନସର ରୋଗରେ ପୀଡିତ ଥିଲେ। ଏହାରି ମଧ୍ୟରେ ସେ କରୋନା ଭାଇରସର ସଂସ୍ପର୍ଶରେ ଆସିଥିଲେ। ପୂର୍ବରୁ ରୋଗୀ ଥିବାରୁ ତାଙ୍କର ରୋଗ ପ୍ରତିଷେଧକ କ୍ଷମତା ହ୍ରାସ ପାଇସାରିଥିଲା। ତେଣୁ ସେ ଚିକିତ୍ସାଧୀନ ଅବସ୍ଥାରେ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି।
ଗ୍ରାସିଆଙ୍କ ମୃତ୍ୟୁ ନେଇ କ୍ଲବ ପକ୍ଷରୁ ଶୋକ ଜଣାଇଯାଇଛି ଏବଂ କ୍ଲବ କହିଛି ଯେ, ଏହିଭଳି ଘଡିସନ୍ଧି ସମୟରେ ତାଙ୍କ ପରିବାର ସହିତ କ୍ଲବ ରହିଛି। ଆପଣଙ୍କ ମୃତ୍ୟୁ ନେଇ ସବୁଠାରୁ ଅଧିକ ଦୁଃଖି ଆମେ, ଆପଣଙ୍କ ବିନା ଆମ ଖେଳ ଅଧୁରା। ଆମେ ଆପଣଙ୍କ ଯୋଗଦାନ ଏବଂ ଆପଣଙ୍କୁ କେବେ ବି ଭୁଲି ପାରିବୁନାହିଁ।