କରୋନା: ରାଜ୍ୟରେ ଖୋଲିଲା ୭୨୭୬ ଅସ୍ଥାୟୀ ଚିକିତ୍ସା ଶିବିର

ଭୁବନେଶ୍ବର: କରୋନା ଭାଇରସର ମୁକାବିଲା ପାଇଁ ଆଜି ରାଜ୍ୟ ସରକାର ୧୪ଟି ଜିଲ୍ଲାକୁ ଲକଡାଉନ ଘୋଷଣା କରିଛନ୍ତି। ଏଥିସହିତ ‘କରୋନା’ ମୁକାବିଲା ପାଇଁ ପଞ୍ଚାୟତ ସ୍ତରରେ ଅସ୍ଥାୟୀ ଚିକିତ୍ସା ଶିବିର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର। ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟର ସମସ୍ତ ୬ ହଜାର ୭୯୮ଟି ପଞ୍ଚାୟତରେ ମୌଳିକ ସୁବିଧା ଥାଇ ୭ ହଜାର ୨୭୬ଟି ଅସ୍ଥାୟୀ ଚିକିତ୍ସା ଶିବିର ଚିହ୍ନଟ କରାଯାଇଛି। ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ କୋଭିଡ-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ।
ଏହି ଅସ୍ଥାୟୀ ଚିକିତ୍ସା ଶିବିର ଗୁଡ଼ିକରେ ଆବଶ୍ୟକ ସମୟରେ ଖାଦ୍ୟ, ବେଡ୍ ଓ ବେଡସିଟ୍ ଯୋଗାଇବାକୁ ସେବା ପ୍ରଦାନକାରୀଙ୍କୁ ଚିହ୍ନଟ କରାଯାଇଛି। ଏଥିସହ ସମସ୍ତ ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପାଣି, ଶୌଚାଳୟ, ପରିମଳ ଓ ବିଦ୍ୟୁତ ଯୋଗାଣ ଭଳି ମୌଳିକ ବ୍ୟବସ୍ଥା ପ୍ରସ୍ତୁତ ରଖିବାକୁ କୁହାଯାଇଛି। ଏଥିପାଇଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ୧୦ ଲକ୍ଷ ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ୫ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ବିଡିଓ ମାନଙ୍କୁ କ୍ଷମତା ପ୍ରଦାନ କରାଯାଇଛି ବୋଲି ଶ୍ରୀ ବାଗ୍ଚୀ କହିଛନ୍ତି।