ଲକ୍ ଡାଉନ୍ ସମୟରେ ସାମ୍ବାଦିକଙ୍କୁ ଲାଠିପାହାର

ନୟାଗଡ଼ : ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା କରୋନା ମୁକାବିଲା ପାଇଁ ଭାରତ ସରକାର ସାରା ଭାରତକୁ ୨୧ ଦିନ ପାଇଁ ଲକ୍ ଡାଉନ୍ ଘୋଷଣା କରିଥିବା ବେଳେ ସ୍ୱାସ୍ଥ୍ୟ, ପରିବହନ, ପୁଲିସ ଓ ଗଣମାଧ୍ୟମ କର୍ମଚାରୀଙ୍କୁ ଏହି ଲକ୍ ଡାଉନ୍ରୁ ବାଦ ଦେଇଛନ୍ତି। ଗଣମାଧ୍ୟମ କିଭଳି ଲୋକଙ୍କ ପାଖରେ ଅନ୍ୟୟାଶରେ ଖବର ପହଂଚାଇ ପାରିବ ଏବଂ ସଚେତନ କରି ପାରିବ ସେ ନେଇ ସରକାର ସ୍ୱତନ୍ତ୍ର ଗାଇଡ୍ ଲାଇନ୍ ପ୍ରସ୍ତୁତ କରିଛନ୍ତି । ସେହିପରି ଭାବେ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ କିପରି ସୂଚାରୁ ରୂପେ କାର୍ଯ୍ୟ କରିବେ ଏବଂ ପୁଲିସ କେଉଁଭଳି ଢ଼ଙ୍ଗରେ କାର୍ଯ୍ୟ ତଦାରଖ କରିବ ସେଥିପାଇଁ ମଧ୍ୟ ଗାଇଡ୍ ଲାଇନ୍ ପ୍ରସ୍ତୁତ ହୋଇଛି । ମାତ୍ର ନୟାଗଡ଼ ଜିଲ୍ଲା ସଦରଥାନା ପୁଲିସ ଲକ୍ ଡାଉନ୍ ବେଳେ ପୂର୍ବ ରାଗ ଶୁଝାଇବା ପାଇଁ ଫାଇଦା ମାରିଛି। ଆଜି ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆଳ ଦେଖାଇ ଲାଠି ପାହାର ଦେଇଛି।
ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ନିତିଦିନ ଜିଲ୍ଲା ପ୍ରତିନିଧି ଭାବେ କାର୍ଯ୍ୟରତ ଅନିଲ କୁମାର ପଣ୍ଡା ଆଜି ସକାଳ ୮ ଘଟିକା ସମୟରେ ନିଜ ଗ୍ରାମରୁ ନୟାଗଡ଼ ସହରକୁ ଖବର ସଂଗ୍ରହ ପାଇଁ ଆସୁଥିବା ବେଳେ ସଦରଥାନା ପୁଲିସ୍ ତାଙ୍କୁ ବାରବାଟି ଛକରେ ଅଟକାଇଥିଲେ। ଯାହାକୁ ନେଇ ରାସ୍ତା କଡ଼ରେ ଶ୍ରୀଯୁକ୍ତ ପଣ୍ଡା ବାଇକ୍ ସାଇଡ୍ କରି ନିଜକୁ ଗଣମାଧ୍ୟମ ପ୍ରତିନିଧି ଭାବେ ପରିଚୟ ଦେଇଥିଲେ। ଫଳରେ ସେଠାରେ ଉପସ୍ଥିତ ଜଣେ ମହିଳା ପୁଲିସ୍ ପରିଚୟ ପତ୍ର ମାଗିବାରୁ ସେ ପକେଟରୁ ପରିଚୟ ପତ୍ର ବାହାର କରିବା ବେଳକୁ ଅନ୍ୟ ଜଣେ ମହିଳା ପୁଲିସ୍ ତାଙ୍କ ଉପରେ ଲାଠି ପାହାର କରିଥିଲେ। ଯାହାକୁ ଶ୍ରୀଯୁକ୍ତ ପଣ୍ଡା ବିରୋଧ କରିବା ପରେ ସ୍ଥାନୀୟ ଲୋକେ ସେଠାରେ ରୁଣ୍ଡ ହୋଇଥିଲେ।
ଜନସାଧାରଣଙ୍କ ସମାଗମ ଦେଖି ସଦରଥାନାର ଜଣେ ହାବିଲ୍ଦାରଙ୍କ ଇଙ୍ଗିତରେ ପୁଲିସ କର୍ମଚାରୀମାନେ ଗାଡ଼ି ନେଇ ବାଲୁଗାଁ ଅଭିମୂଖେ ଚାଲି ଯାଇଥିଲେ। ସୂଚନାନୁସାରେ, ନିକଟରେ ସଦରଥାନା ଅଧିକାରୀ ଗୋଟିଏ ହତ୍ୟା ଘଟଣାର ଅଭିଯୋଗକାରୀଙ୍କୁ ଏତଲା ଉଠାଇବା ପାଇଁ ଥାନାରେ ଗାଳି କରିବା ସହ ମିଛ ମାମଲାରେ ଗିରଫ କରିବାକୁ ଚଲାଇଥିବା ଚକ୍ରାନ୍ତକୁ ନେଇ ନିତିଦିନ ଖବର ପ୍ରକାଶ କରିଥିବା ବେଳେ ଗତ ୧୧
ମାସ ତଳେ ଏକ ହତ୍ୟାକାଣ୍ଡର ଅଭିଯୁକ୍ତକୁ କିଭଳି ପ୍ରତ୍ୟକ୍ଷଦର୍ଶୀ ସଜା ଯାଇଛି ତାକୁ ନେଇ ଖବର ପରିବେଷଣ କରିଥିଲେ। ସଦରଥାନା ଅଧିକାରଙ୍କର ବ୍ୟବହାର କେତେ କଦର୍ଯ୍ୟ ଯିଏ ଥରେ ଥାନାକୁ ଯାଇଛି ସେ ଅନୁଭବ କରିଛି। ଏପରିକି ଥାନା ଭିତରେ ଅଭିଯୋଗକାରୀଙ୍କୁ ଏତଲା ଉଠାଇବା ପାଇଁ ଥାନା ଅଧିକାରୀ ଦେଇଥିବା ଧମକ ଓ ଗାଳିତ ଅଡିଓ ରେକିଡ଼ିଂ ଭାଇରାଲ ହୋଇଛି। ଯାହାକୁ ନେଇ ଥାନା ଅଧିକାରୀଙ୍କ ପ୍ରରୋଚନାରେ ତଳିଆ କର୍ମଚାରୀମାନେ ଜାଣିଶୁଣି ଆକ୍ରମଣ କରିଥିବା ନେଇ ଆଜି ଶ୍ରୀଯୁକ୍ତ ପଣ୍ଡା ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିୱାକରଙ୍କୁ ଭେଟି ଅଭିଯୋଗ କରିଛନ୍ତି।
ପୁଲିସ ଲକ୍ ଡାଉନ୍ରୁ ଫାଇଦା ନେଇ ଗଣମାଧ୍ୟମର କଂଣ୍ଠରୋଧ କରିବାକୁ ଉଦ୍ୟମ କରୁଛି। ଏହି ଘଟଣାକୁ ସାମ୍ବାଦିକ ମହଲରେ ଦୃଢ଼ ନିନ୍ଦା କରାଯାଇଥିବା ବେଳେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଦାବି
ହୋଇଛି। ନୟାଗଡ଼ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ସଭାପତି ଶ୍ରୀକାନ୍ତ କୁମାର ଖଟେଇ ଏହି ଘଟଣାକୁ ନିନ୍ଦା କରିଥିବା ବେଳେ ଓ ରାଜ୍ୟ ଓଡ଼ିଶା ୟୁନିୟନ ଅଫ୍ ଜର୍ନାଲିଷ୍ଟର ଶୃଙ୍ଖଳା କମିଟି ଅଧ୍ୟକ୍ଷ ଆଚାର୍ଯ୍ୟ ବିଶ୍ୱରଂଜନ ଘଟଣାକୁ ନିନ୍ଦା କରିଛନ୍ତି। ସେହିଭଳି ଜାତୀୟ ସାମ୍ବାଦିକ ୟୁନିୟନ ମହାସଚିବ ପ୍ରସନ୍ନ ମହାନ୍ତି ଏହି ଘଟଣାକୁ ନିନ୍ଦା କରିବା ସହ ରାଜ୍ୟ ଗୃହ ମନ୍ତ୍ରୀ କ୍ୟାପେଟନ୍ ଦିବ୍ୟଶଙ୍କର ମିଶ୍ରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଦୋଷୀ ବିରୁଦ୍ଧରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଗକୁ ଆନ୍ଦୋଳାନତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଶ୍ରୀ ପଣ୍ଡା ଜଣାଇଛନ୍ତି।