ରାମ ମନ୍ଦିର ଭୂମି ପୂଜନ କାର୍ଯ୍ୟକ୍ରମରେ ରୋକ ଲଗାଇବା ପାଇଁ ପିଟିଶନ

ଅଯୋଧ୍ୟା: ଅଯୋଧ୍ୟାରେ ନିର୍ମାଣ ହେବ ବହୁ ପ୍ରତୀକ୍ଷିତ ରାମ ମନ୍ଦିର। ଅଗଷ୍ଟ ୫ ତାରିଖରେ ଅନୁଷ୍ଠିତ ହେବ ଭୂମି ପୁଜନ। ଏହି ଭୂମି ପୂଜନ ସମାରୋହକୁ ରୋକିବା ପାଇଁ ଆଲ୍ହାବାଦ ହାଇକୋର୍ଟରେ ଏକ ଲେଟର ପିଟିଶନ ଦାଖଲ କରାଯାଇଛି। ଲେଟର ପିଟିଶନଟିକୁ ପିଏଲ୍ ଭାବରେ ଗ୍ରହଣ କରି ଭୂମି ପୂଜନ ସମାରୋହରେ ପ୍ରତିବନ୍ଧକ ଲଗାଇବା ପାଇଁ ମୁଖ୍ୟ ବିଚାରପତିଙ୍କୁ ଦାବି କରାଯାଇଛି।
ଦିଲ୍ଲୀର ସାମ୍ବାଦିକ ସାକେତ ଗୋଖଲେ ଦ୍ବାରା କରାଯାଇଥିବା ଲେଟର ପିଟିଶନରେ ଉଲ୍ଲେଖ ରହିଛି ଯେ, ରାମ ମନ୍ଦିର ନିର୍ମାଣ ପାଇଁ ହେବାକୁ ଥିବା ଭୂମି ପୂଜନ ସମାରୋହ କୋଭିଡ-୧୯ର ଅନଲକ୍-୨ର ଗାଇଡଲାଇନ୍କୁ ଉଲଂଘନ କରୁଛି। ପିଟିଶନରେ ଆହୁରି ଉଲ୍ଲେଖ ରହିଛି ଯେ, ଭୂମି ପୂଜନ ସମାରୋହରେ ପ୍ରାୟ ୩୦୦ ଲୋକ ଏକତ୍ରିତ ହେବେ। ଯାହା କୋଭିଡ ଗାଇଡଲାଇନ୍ର ବିପରୀତ।
ଲେଟର ପିଟିଶନ ମାଧ୍ୟମରେ ଭୂମି ପୂଜନ କାର୍ଯ୍ୟକ୍ରମରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରାଯାଇଛି। ଭୂମି ପୂଜନ କାର୍ଯ୍ୟକ୍ରମ ହେବା ଦ୍ବାରା କରୋନା ଭାଇରସ୍ ସଂକ୍ରମଣ ବ୍ୟାପକ ହେବାର ଆଶାଙ୍କା ଅଛି। ଲେଟର ପିଟିଶନରେ ରାମ ମନ୍ଦିର ଟ୍ରଷ୍ଟ ସହିତ କେନ୍ଦ୍ର ସରକାରଙ୍କୁ ବିପକ୍ଷ ଦଳ ଭାବେ ପକ୍ଷଭୁତ କରାଯାଇଛି।