ପରିବା ବଜାରରେ ନିଆଁ, ଆକାଶ ଛୁଆଁ ଦର

ଭୁବନେଶ୍ବର: ପରିବା ବଜାରରେ ନିଆଁ। ପରିବା ଦର ଏବେ ଆକାଶ ଛୁଆଁ। ଦୀର୍ଘ ୧୦ ଦିନ ମଧ୍ୟରେ ପରିବା ଦର ହୁ ହୁ ହୋଇ ବଢି ଚାଲିଛି। ଲକ୍ ଡ଼ାଉନ ହେଉ କିମ୍ବା ସଟ୍ ଡ଼ାଉନ ସମୟରେ ପରିବା ଦର ଯେତିକି ବୃଦ୍ଧି ହୋଇନଥିଲା ଏବେ ପରିବା ଦର ଆକାଶ ଛୁଆଁ। ୨ ରୁ ୩ଟି ପରିବାକୁ ବାଦ୍ ଦେଲେ କୌଣସି ପରିବା ଦର ୫୦ ଟଙ୍କାରୁ କମ ନାହିଁ।
ପରିବା ଦର ବୃଦ୍ଧି ଖାଉଟିଙ୍କ ଉପରେ ଚଡକ ସାଜିଛି। ବାଇଗଣ ଦର ୪୦ ରୁ ୫୦, ପୋଟଳ ୫୦ ରୁ ୬୦, କାଙ୍କଡ଼ ୧୦୦ ରୁ ୧୩୦, ଫୁଲ କୋବି ୮୦ ରୁ ୧୦୦, ବିନ୍ସ ୬୦ରୁ ୮୦, ଟମାଟର ୪୦ ରୁ ୫୦ ଟଙ୍କା ରହିଛି। ଏପରିକି ଆଳୁ ଦର ମଧ୍ୟ ୩୫ ରୁ ୪୦ ଟଙ୍କା ରହିଛି। ଆଗକୁ କାର୍ତିକ ମାସ ଥିବା ବେଳେ ପରିବା ଦର ଆହୁରି ବଢ଼ିପାରେ ବୋଲି ବ୍ୟବସାୟୀ କହୁଛନ୍ତି। ଏନେଇ ଚିନ୍ତାରେ ଖାଉଟି।
ଏଥିସହ ରାଜ୍ୟସଭାରେ ଆଜି ପାରିତ ହେଲା ଅତ୍ୟାବଶ୍ୟକ ମାମଗ୍ରୀ ସଂଶୋଧନ ଆଇନ। ଅତ୍ୟାବଶ୍ୟକ ମାମଗ୍ରୀ ତାଲିକାରୁ ବାଦ୍ ପଡ଼ିଲା ଅଳୁ, ପିଆଜ, ଡ଼ାଲି। ଏହି ଅତ୍ୟାବଶ୍ୟକ ମାମଗ୍ରୀ ସଂଶୋଧନ ଆଇନ ଉଭୟ ଗ୍ରାହକ ଓ କୃଷକଙ୍କ ସପକ୍ଷରେ ରହିବ ବୋଲି କେନ୍ଦ୍ର ସରକାର ଦାବି କରିଛନ୍ତି।