ମୋତେ କାଳିଆ ପାଖକୁ ନେଇ ଚାଲ…

କଟକ: ଏକାଠି ଜନ୍ମ ହୋଇଥିଲେ। ଦୀର୍ଘ ୧୪ ମାସ ହେଲା ଗୋଟିଲ ଜାଗାରେ ଖେଳୁଥିଲେ, ହସୁଥିଲେ। ହେଲେ ବୁଧବାର ଜଗାକୁ ଏକାକରି କାଳିଆ ସବୁଦିନ ପାଇଁ ଚିରନିଦ୍ରାରେ। ହେଲେ ନିୟତିର ଏହି ଦାରୁଣ ସତ୍ୟକୁ ବୁଝିବା ପାଇଁ ଜଗାର ସେହି କଅଁଳ ମନର ସାମର୍ଥ୍ୟ ନାହିଁ। ପାଖରେ ଭାଇକୁ ନପାଇ ଝୁରି ହେଉଛି ଜଗା। ଗାଁରେ କାଳିଆର ଶେଷକୃତ୍ୟ ସାରି ସନ୍ଧ୍ୟାରେ ବାପା ଭୂୟାଁ ଏସ୍ସିବି ମେଡିକାଲ ଫେରିଥିଲେ। ବାପାଙ୍କୁ ଏକୁଟିଆ ଦେଖି ଜଗା କାଳିଆ କୁଆଡ଼େ ଗଲା ବୋଲି ପଚାରିଥିଲା। ମା’ ସହିତ କାଳିଆ ଗାଁକୁ ଯାଇଛି ବୁଲା ବୁଲି କରି ଫେରି ଆସିବ ବୋଲି କହିଥିଲେ ଭୂୟାଁ।
ହେଲେ ସେତିକିରେ ସରି ନଥିଲା କଥା। ବାପାଙ୍କ କଥା ଉପରେ ଭରସା ରଖି କିଛି ସମୟ ପାଇଁ ନିରବ ରହିଥିଲା ଜଗା। ହେଲେ ଅପରାହ୍ନରେ ପୁଣିଥରେ କାଳିଆ କୁଆଡେ ଗଲା। ତାକୁ ମୋ ପାଖକୁ ଆଣ ନଚେତ୍ ମୋତେ ତା ପାଖକୁ ନେଇ ଚାଲ ବୋଲି ଜିଦି କରୁଛି ଜଗା। ଯାହାକୁ ଦେଖି ବାପା ଭୂୟାଁ କହଁର ଆଖିରେ ଲୁହ। ଅପରପକ୍ଷେ କାଳିଆର ମୃତଦେହ ସତ୍କାର ପରେ ମା’ ପୁଷ୍ପାଞ୍ଜଳି ଗାଁରେ ରହିଛନ୍ତି। ସୁଦ୍ଧିକ୍ରିୟା ସାରି ପୁଷ୍ପାଞ୍ଜଳି ଡିସେମ୍ବର ୯ ତାରିଖରେ ଜଗା ପାଖକୁ ଫେରିବ ବୋଲି ଭୂୟାଁ କହିଛନ୍ତି।
ସୂଚନାଥାଉକି, ଯୋଡମୁଣ୍ଡ ଶିଶୁ ଜଗା କାଳିଆଙ୍କର ଦିଲ୍ଲୀ ସ୍ଥିତ ଏମ୍ସ୍ରେ ଅସ୍ତ୍ରୋପଚାର କରାଯାଇଥିଲା। ସଫଳ ଭାବେ ଦୁଇ ଜଣଙ୍କୁ ଅଲଗା କରାଯାଇଥିଲା। ଜଗା ଅସ୍ତ୍ରୋପଚାର ପରେ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଥିବା ବେଳେ କାଳିଆ ସାମାନ୍ୟ ଅସୁସ୍ଥ ରହିଥିଲା। ପରେ ଡାକ୍ତରୀ ଟିମ୍ର ପରାମର୍ଶ କ୍ରମେ ଜଗା କାଳିଆଙ୍କୁ କଟକ ଏସ୍ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।
ସୂଚନାଥାଉକି, ୧୨୫ଜଣ ଡାକ୍ତର ଓ ପାରା ମେଡିକାଲ ଷ୍ଟାଫ୍ ଏହି ଅତି ଜଟିଳ ଅପରେସନ କରିଥିଲେ। ତେବେ ଦୁଇଟି ପର୍ଯ୍ୟାୟରେ ଜଗା-କାଳିଆଙ୍କ ମୁଣ୍ଡ ଅଲଗା ହୋଇଥିଲ। ୨୦୧୭ ଅଗଷ୍ଟ ୨୮ ତାରିଖରେ ପ୍ରଥମ ପର୍ଯ୍ୟାୟ ଅପରେସନ ହୋଇଥିଲା । ଏଥିରେ କାଳିଆ ମୁଣ୍ଡରେ ଭେନସ୍ ବାଇପାସ୍ ସୃଷ୍ଟି କରାଯାଇଥିଲା। ସେପଟେ ଜଗା ମସ୍ତିଷ୍କକୁ ଆଂଶିକ ଅଲଗା କରାଯାଇଥିଲା। ଲଗାତର ୨୫ଘଣ୍ଟା ପାଇଁ ଏହି ଅପରେସନ ଚାଲିଥିଲା। ପରେ ୨୦୧୭ ଅକ୍ଟୋବର ୨୫ ତାରିଖରେ ୨୦ଘଣ୍ଟା ଧରି ଦ୍ୱିତୀୟ ପର୍ଯ୍ୟାୟ ଅପରେସନ ହୋଇଥିଲା। ଏଥିରେ ସମ୍ପୂର୍ଣ୍ଣ ଭାବେ ଉଭୟଙ୍କ ଯୋଡ଼ା ମୁଣ୍ଡକୁ ଅଲଗା କରାଗଲା। ଏହା ପରେ ଚୂଡାନ୍ତ ଅପରେସନ ହୋଇଥିଲା।
ଏହି ଅପରେସନ ବେଳେ ଜଗା ହୃଦ୍ଘାତର ଶିକାର ହୋଇଥିଲା।ହେଲେ ୧୫ ମିନିଟ୍ ପରେ ଡାକ୍ତରମାନେ ଜଗା ସ୍ୱାସ୍ଥ୍ୟକୁ ସ୍ୱାଭାବିକ କରିବାରେ ସକ୍ଷମ ହୋଇଥିଲେ। ଏଭଳି ଜଟିଳ ଅପରେସନ୍ରେ ଉଭୟ ଜୀବନ ପ୍ରତି ୭୫ରୁ ୮୦ପ୍ରତିଶତ ବିପଦ ରହିଛି ବୋଲି ଚିକିତ୍ସା ବିଜ୍ଞାନୀମାନେ ମତ ଦେଇଥିଲେ। କିନ୍ତୁ ଡାକ୍ତରୀ ଟିମ୍ ଅକ୍ଲାନ୍ତ ପରିଶ୍ରମ କରି ଅପରେସନକୁ ସଫଳ ସାବ୍ୟସ୍ତ କରିଥିଲେ। ଅପରେସନ ଯୋଗୁ ୨୮ ମାସ ବୟସର ଜଗା- କାଳିଆଙ୍କ ଯୋଡ଼ା ମୁଣ୍ଡ ଅଲଗା ହୋଇ ପାରିଥିଲା। ଉଭୟଙ୍କ ମୁଣ୍ଡରେ ଚର୍ମ ପ୍ରତିରୋପଣ ହୋଇଥିଲା। ଲିମ୍କା ବୁକ୍ ଅଫ ରେକର୍ଡସ୍ର ୨୦୨୦ ସଂସ୍କରଣରେ ଏହି ଅପରେସନକୁ ପ୍ରଥମ ସଫଳ ଯୋଡାମୁଣ୍ଡ ଅପରେସନର ମାନ୍ୟତା ଦିଆଯାଇଥିଲା।