ଦୀର୍ଘଦିନ ପରେ କ୍ରିକେଟ ମଇଦାନକୁ ଫେରିବେ ଏହି ଷ୍ଟାର ଖେଳାଳି, କେରଳ ଟିମରେ ମିଳିଲା ସ୍ଥାନ

ନୂଆଦିଲ୍ଲୀ: ୨୦୧୧ ବିଶ୍ବକପ୍ ବିଜୟୀ ଟିମ୍ ଇଣ୍ଡିଆର ସଦସ୍ୟ ଦ୍ରୁତ ବୋଲର ଏସ୍ ଶ୍ରୀସନ୍ଥ ଦୀର୍ଘ ସମୟ ପରେ ପ୍ରତିଯୋଗିତାମୂଳକ କ୍ରିକେଟକୁ ଫେରିବା ନିକଟତର ହୋଇଛନ୍ତି। ସେ ସୟଦ ମୁସ୍ତାକ୍ ଅଲ୍ଲୀ ଟ୍ରଫି ଟି-ଟ୍ବେଣ୍ଟି ଟୁର୍ନାମେଣ୍ଟ ପାଇଁ କେରଳର ୨୬ ଜଣିଆ ଟିମ ତାଲିକାରେ ସ୍ଥାନ ପାଇଛନ୍ତି।
ମଙ୍ଗଳବାର ଦିନ ପ୍ରକାଶ ପାଇଥିବା କେରଳ ଟିମ ତାଲିକାରେ ୩୭ ବର୍ଷୀୟ ଶ୍ରୀସନ୍ଥଙ୍କ ବ୍ୟତୀତ ସଞ୍ଜୁ ସାମସନ, ସଚିନ୍ ବେବି, ଜଲଜ୍ ସାକ୍ସେନା, ରବିନ୍ ଉଥାପ୍ପା ଏବଂ ବେସିଲ ଥାମ୍ପି ଭଳି ଅଭିଜ୍ଞ ଖେଳାଳି ଅଛନ୍ତି।ସୂଚନାଥାଉକି, ଶ୍ରୀସନ୍ତଙ୍କୁ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ରେ ମ୍ୟାଚ୍ ଫିକ୍ସିଂ ମାମଲାରେ ବିସିସିଆଇ ବାସନ୍ଦ କରିଥିଲା।
ଚଳିତ ବର୍ଷ ସେପ୍ଟେମ୍ବର ମାସରେ ଶ୍ରୀସନ୍ଥଙ୍କ ନିଷେଧାଦେଶ ଶେଷ ହୋଇଥିଲା। ସୂଚନାନୁସାରେ, ଡିସେମ୍ବର ୨୦ ରୁ ୩୦ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ସେ ଭାଗନେବେ। ଏହାପୂର୍ବରୁ ସେ କେରଳ କ୍ରିକେଟ୍ ଆସୋସିଏସନ୍ ଦ୍ୱାରା ଆୟୋଜିତ ଟି -୨୦ ସିରିଜରେ ଏକ ଦଳ ପାଇଁ ମନୋନୀତ ହୋଇଥିଲେ।
୨୦୧୧ ମସିହାରେ ଶେଷଥର ପାଇଁ ଟିମ୍ ଇଣ୍ଡିଆ ପକ୍ଷରୁ ଖେଳିଥିଲେ ଶ୍ରୀସନ୍ଥ। ୨୦୦୭ ଟି-ଟ୍ବେଣ୍ଟି ବିଶ୍ବକପ ଏବଂ ୨୦୧୧ ବିଶ୍ବକପ ବିଜେତା ଭାରତୀୟ ଦଳର ସଦସ୍ୟ ଥିଲେ ଏସ୍ ଶ୍ରୀସନ୍ଥ। ତେବେ ବାସନ୍ଦାଦେଶ ଉଠିବା ପରେ ସେ ପୁଣି ଥରେ ଅନ୍ତଃଜାତୀୟ କ୍ରିକେଟକୁ ଫେରିବା ନେଇ ଆଶା ରଖିଛନ୍ତି ଶ୍ରୀସନ୍ଥ।