ଓଡ଼ିଆ ବିଶ୍ୱବିଦ୍ୟାଳୟ ଡିଜାଇନକୁ ଅନୁମୋଦନ

ଭୁବନେଶ୍ୱର: ଓଡ଼ିଆ ବିଶ୍ୱବିଦ୍ୟାଳୟ ଡିଜାଇନକୁ ଅନୁମୋଦନ। ପୁରୀ ଜିଲ୍ଲାର ସତ୍ୟବାଦୀ ସ୍ଥିତ ପ୍ରସିଦ୍ଧ ବନ ବିଦ୍ୟାଳୟରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ଡିଜାଇନକୁ ଅନୁମୋଦନ ମିଳିଛି। ବିଶ୍ୱବିଦ୍ୟାଳୟର ଡିଜାଇନକୁ ଅନୁମୋଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ବନ ବିଦ୍ୟାଳୟ ପରିସରରେ ଏହି ଓଡ଼ିଆ ଭାଷା ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଏହାର ମର୍ଯ୍ୟାଦାକୁ ବହୁଗୁଣିତ କରିବ। ଏହି ନୂତନ ବିଶ୍ୱବିଦ୍ୟାଳୟର ଡିଜାଇଇନ ସତ୍ୟବାଦୀ ବନ ବିଦ୍ୟାଳୟ ଢାଞ୍ଚାରେ କରାଯାଇଛି। ଏଠାରେ ଶାନ୍ତ, ସ୍ନିଗ୍ଧ ଓ ମୁକ୍ତ ପରିବେଶ ମଧ୍ୟରେ ଉତ୍ତମ ଶୈକ୍ଷିକ ଅନୁଭବ ପ୍ରଦାନର ଲକ୍ଷ୍ୟ ରଖାଯାଇଛି।
ଓଡ଼ିଆ ଭାଷା ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଭାଷା ସମ୍ପର୍କରେ ଉଚ୍ଚତର ଶିକ୍ଷା ପ୍ରଦାନ କରାଯିବା ସହିତ ଆମ ଭାଷା, ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ଉଚ୍ଚତର ଗବେଷଣା ପାଇଁ ସୁଯୋଗ ସୃଷ୍ଟି କରାଯିବ। ସାରା ଦେଶରେ ଓଡ଼ିଆ ଜାତିର ସ୍ୱତନ୍ତ୍ରତା ଏବଂ ଓଡ଼ିଆ ଭାଷାର ମହନୀୟତା ସମ୍ପର୍କରେ ଏହା ଏକ ଉଦାହରଣ ସୃଷ୍ଟି କରିବ। ଓଡ଼ିଆ ଭାଷା ବିଶ୍ୱବିଦ୍ୟାଳୟ ଓଡ଼ିଆ ଭାଷାକୁ ବିଶ୍ୱସ୍ତରରେ ପ୍ରତିଷ୍ଠିତ କରିବା ପାଇଁ ଏକ ଅନନ୍ୟ ସୁଯୋଗ।
ପୂର୍ତ୍ତ ବିଭାଗ ପକ୍ଷରୁ କରାଯାଇଥିବା ଡିଜାଇନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଏହି ବୈଠକକୁ ମୁଖ୍ୟମନ୍ତ୍ରୀଙ୍କ 5T ସଚିବ ଭି.କେ. ପାଣ୍ଡିଆନ୍ ସଞ୍ଚାଳନ କରିଥିଲେ। ଏଥିରେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ପି.କେ. ଜେନା ଏବଂ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବମାନେ ଉପସ୍ଥିତ ଥିଲେ। ଏହାର ନିର୍ମାଣର ବିସ୍ତୃତ ଯୋଜନା ସମ୍ପର୍କରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ କରାଯାଇ ନିଷ୍ପତ୍ତି ନିଆଯିବ।