Odisha Link
Bridging the Missing Links in Odisha

୪ ଥର ବିବାହ କରି ଧରାପଡ଼ିଲେ ମିଛ କନିଆ

କଳାହାଣ୍ଡି: ବେଶ୍‌ ଧୁମ୍‌ଧାମ୍‌ରେ ଚାଲିଥିଲା ବାହାଘର ଆଉ ଭୋଜି ଭାତର ଆସର। ହେଲେ ସମସ୍ତଙ୍କୁ ଅଗୋଚର ଥିଲା ଏହା ପରର ପରିଣତି। ହାତରେ ଶଙ୍ଖା, ମଥାରେ ସିନ୍ଦୁର ପିନ୍ଧି ସତସତିକା କିନିଆ ସାଜି ଧୋକା ଦେଉଥିଲା କନିଆ। ଥରେ କି ଦୁଇ ଥର ନୁହେଁ ୪ ଥର ବିବାହ କରି ଧରାପଡ଼ିଛି ମିଛ କନିଆ। ଏହି ଘଟଣାରେ କନିଆକୁ ସହଯୋଜ କରୁଥିବା ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି କଳାହାଣ୍ଡି ପୁଲିସ୍‌।

ଗିରଫ ଠକ୍ ଦଳର ଚାରି ଜଣ ସଦସ୍ୟ ହେଲେ ସୁନ୍ଦରଗଡର ଏଲି .ମହନ୍ତ, ବଲାଙ୍ଗୀର କଣ୍ଟାବାଞ୍ଜି ର ବିରବଲ ଶର୍ମା , ଛତିଶଗଡ ମହାସମୁନ୍ଦର ମିନା ଗୁପ୍ତା ଓ ଛତିଶଗଡ ବିଲାସପୁର ଶ୍ରବଣ ସୋନି।

ବିବାହ ନିମନ୍ତେ କନିଆ ପ୍ରସ୍ତୁତ ଥିବା କହି ଠକ ଦଳର ସଦସ୍ୟ କନିଆର ମା’, ମାମୁଁ ଓ ଭାଇ ସାଜୁଥିଲେ। ଏହି ଠକ ଦଳ ବୟସ୍କ ତଥା ବିବାହ ବିଚ୍ଛେଦ ବ୍ୟକ୍ତିଙ୍କୁ ଟାର୍ଗେଟ କରୁଥିଲେ। ପରେ ବିବାହ ନିମନ୍ତେ ୪ ଲକ୍ଷର ଡିଲ୍‌ କରୁଥିଲେ। ନକଲି ବଧୂ ଏଲି ମହନ୍ତ ନାଁରେ ପୂର୍ବରୁ ମଧ୍ୟ ୩ ଗୋଟି ବିବାହ କରିଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡିଛି। ବିବାହର କିଛି ମାସ ପରେ ଶାଶୁ ଘରେ ନିର୍ଯାତନା ଦିଆଯାଉଥିବା ବାହାନା କରି ଝିଅ ଫେରାର ହେଇ ଯାଉଥିଲା।

ଠକ ଯୁବତୀ ଜଣକ ପୂର୍ବରୁ ରାଜ୍ୟରେ ତଥା ରାଜ୍ୟ ବାହାରେ ବିବାହ କରିସାରି ଟଙ୍କା ଲୁଟି ଥିବା ଜଣାପଡିଛି। ଏଥରକ ଠକ ଦଳ ଟାର୍ଗେଟ କରିଥିଲା କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅଂଚଳର ଜଣେ ବ୍ୟସ୍କ ବ୍ୟକ୍ତିଙ୍କୁ। ଗତ ଜୁନ୍‌ ମାସରେ ଯୁବତୀଜଣକ ଉକ୍ତ ବ୍ୟକ୍ତିଙ୍କୁ ବିବାହ କରିଥିଲା। ବିବାହର କିଛି ମାସ ଠିକ୍‌ଠାକ୍‌ ଚାଲିବା ପରେ ଯୁବତୀଜଣକ ବିଭିନ୍ନ ବାହାନା କରି ସେଠାରୁ ପଳାଇ ଆସିବାକୁ ଚେଷ୍ଟା କଲେ।

ଏନେଇ ବିବାହ କରିଥିବା ବ୍ୟକ୍ତିଙ୍କର ସନ୍ଦେହ ହେବାରୁ ସେ ନିଜ ପତ୍ନୀଙ୍କ ଆଧାର କାର୍ଡ ଦେଖିଥିଲେ। ସେଥିରେ ତାଙ୍କର ବିଭିନ୍ନ ନାଁ ଥିବା ଜାଣିବାକୁ ପାଇଥିଲେ। ଏହାପରେ ଯୁବତୀଜଣକ ସେଠାରୁ ଗତ ଅକ୍ଟୋବରରେ ପଳାଇ ଆସିଥିଲେ। ଏହାପରେ ତାଙ୍କୁ ବିବାହ କରିଥିବା ବ୍ୟକ୍ତି ଏନେଇ ରାମପୁର ଥାନାରେ ମାମଲା ରୁଜୁ କରିଥିଲେ। ଏହାପରେ ପୁଲିସ୍‌ ଖୋଳତାଡ଼ କରି ଯୁବତୀଙ୍କ ସମେତ ଉକ୍ତ ଦଳର ୪ ଜଣଙ୍କୁ ବିଭିନ୍ନ ଜାଗାରୁ ଗିରଫ କରିଛି। ଏଭଳି ଏହି ଠକ ଦଳ ଦ୍ୱାରା ଯଦି କେହି ଠକେଇ ର ଶିକାର ହୋଇଥାନ୍ତି ତେବେ କଳାହାଣ୍ଡି ପୁଲିସ୍‌କୁ ସୂଚନା ଦେବାକୁ ଏସ୍‌ପି ନିବେଦନ କରିଛନ୍ତି।

Comments are closed.