ଓଡ଼ିଆ ପୁଅ ଜିତିଲେ ମାଇକ୍ରୋସଫ୍ଟ ପୁରସ୍କାର

ବେଙ୍ଗାଲୁରୁ: ଆଜିର ସମୟରେ ବହୁତ ଲୋକ ଅର୍ଗାନ ଡୋନେସନ ବା ଅଙ୍ଗଦାନ ପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି। ହେଲେ ଉଚିତ୍ ସମୟରେ ଅଙ୍ଗପ୍ରତ୍ୟଙ୍ଗ ଲୋଡୁଥିବା ବ୍ୟକ୍ତିଙ୍କୁ ଏହା ମିଳିପାରୁ ନାହିଁ। ଏଭଳି କିଛି ସମସ୍ୟା ବାବଦରେ ଓ୍ୱେବ୍ ସିରିଜରେ ଦେଖିଥିଲେ ଓଡ଼ିଆ ପୁଅ ପ୍ରତୀକ ମହାପାତ୍ର। ଏହାପରେ ଇଣ୍ଟରନେଟରେ ଅଧିକ ଗବେଷଣା କରି ସେ ଏକ ଆପ୍ସ ତିଆରି କରିଛନ୍ତି, ଯାହା ଅଙ୍ଗଦାନ କରୁଥିବା ଲୋକ ଏବଂ ଅଙ୍ଗପ୍ରତ୍ୟଙ୍ଗ ଆବଶ୍ୟକ କରୁଥିବା ଲୋକଙ୍କୁ ଗୋଟିଏ ପ୍ଲାଟଫର୍ମରେ ଏକାଠି କରାଇବ ।
ପ୍ରତୀକ ଏହି ଆପ୍ସ ତିଆରି କରି ମାଇକ୍ରୋସଫ୍ଟର ଗୁଡ ଆଇଡିଆ ଚ୍ୟାଲେଞ୍ଜ ୨୦୧୯ ପୁରସ୍କାର ଜିତିଛନ୍ତି। ଏଥିପାଇଁ ମାଇକ୍ରୋସଫ୍ଟ ତରଫରୁ ସେ ଏକ୍ସବକ୍ସ ଓ୍ୱାନ୍ ଏକ୍ସ କନସୋଲ ଏବଂ ଏନଭିଡିଆ ଗ୍ରାଫିକ୍ସ ପ୍ରୋସେସିଙ୍ଗ ୟୁନିଟ୍ ସହ ୨, ୫୦୦ ଡଲାର (୫୦ରୁ ୬୦ ହଜାର) ଅର୍ଥରାଶି ପୁରସ୍କାର ସ୍ଵରୂପ ପାଇଛନ୍ତି। ଆଗକୁ ଲୋକଙ୍କ କାମରେ ଆସିବା ଭଳି ଆପ ତିଆରି କରିବାର ଯୋଜନା ରହିଛି ବୋଲି ସେ ଗଣମାଧ୍ୟମକୁ କହିଛନ୍ତି।
୨୧ ବର୍ଷୀୟ ପ୍ରତୀକ ହେଉଛନ୍ତି ବେଙ୍ଗାଲୁରୁରେ ଆରଭି କଲେଜ୍ ଅଫ୍ ଇଞ୍ଜିନିୟରିଂ କଲେଜରେ କମ୍ପ୍ୟୁଟର ସାଇନ୍ସ ବିଭାଗର ଶେଷ ବର୍ଷର ଛାତ୍ର। ‘ଅର୍ଗାନ ସିକ୍ୟୋର’ ଆପ୍କୁ ପ୍ରଥମେ କର୍ଣ୍ଣାଟକାରେ ରିଲିଜ କରିବାକୁ ଲକ୍ଷ୍ୟ ରଖିଛନ୍ତି ପ୍ରତୀକ। ଏହାପରେ ସେ ଏହାକୁ ଆମେରିକା, ଚାଇନା, ସାଉଥ କୋରିଆ ଓ କାନାଡାରେ ରିଲିଜ କରିବାକୁ ଯୋଜନା କରିଛନ୍ତି ବୋଲି ପ୍ରକାଶ ପାଇଛି।