Odisha Link
Bridging the Missing Links in Odisha

ହିରୋସୀମା: ଆଜିବି ମନରୁ ଲିଭିନି ଭୟାବହତା

ହିରୋସୀମା: ଆଜି ହେଉଛି ଅଗଷ୍ଟ ୬। ଜାପାନ ସହିତ ସାରା ବିଶ୍ବ ପାଇଁ ଆଜିର ଦିନ ଅଭୁଲା। କାରଣ ଆଜିର ଦିନରେ ଜାପାନର ହିରୋସୀମା ସହରରେ ପଡ଼ିଥିଲା ପରମାଣୁ ବୋମା। ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଥିଲେ ଏବଂ ଅନେକ ଲୋକ ପଙ୍ଗୁ ହୋଇଗଲେ। ସେହି ଦୁଃଖଦ ମୂହୁର୍ତ୍ତକୁ ମନେ ପକାଇବା ସହ ମୃତକଙ୍କୁ ସମବେଦନା ଜଣାଇବା ପ୍ରତିବର୍ଷ ହିରୋସିମା ଦିବସ ପାଳିତ କରାଯାଏ।

ଆଜି ୭୪ ତମ ହିରୋସୀମା ଦିବସ ଅବସରରେ ବିଶ୍ବକୁ ପରମାଣୁ ଆତଙ୍କରୁ ମୁକ୍ତ ରଖିବା ପାଇଁ ଜାପାନ ଜାତିସଙ୍ଘର ଐତିହାସିକ ପରମାଣୁ ନିରସ୍ତ୍ରୀକରଣ ଚୁକ୍ତିରେ ସ୍ବାକ୍ଷର କରିବା ପାଇଁ ହିରୋସୀମା ମେୟର ନିବେଦନ କରିଛନ୍ତି। ହିରୋସୀମାରେ ଥିବା ଶାନ୍ତି ସ୍ମାରକୀ ପାର୍କରେ ଏହି ଅବସରରେ ମହମବତୀ ଜଳାଇ ସାମୁହିକ ପ୍ରାର୍ଥନସଭା ଅନୁଷ୍ଠିତ ହୋଇଯାଇଛି। ବିଶ୍ବକୁ ପରମାଣୁ ଆତଙ୍କରୁ ମୁକ୍ତ ରଖିବା ପାଇଁ ଏଥିରେ ଆହ୍ବାନ ଦିଆଯାଇଛି।
ଜାପାନ ପାଇଁ କଳା ଦିନ:
ଆଜି ପରି ସେଦିନ ମଧ୍ୟ ଆକାଶ ନିର୍ମଳ ଥିଲା। ସୁବଦିନ ପରି ଲୋକେ ସେମାନଙ୍କ କାମରେ ବ୍ୟସ୍ତ ଥିଲେ। ମାତ୍ର କେହି କିଛି ବୁଝିବା ଆଗରୁ ଧ୍ୱସ୍ତ ହୋଇଯାଇଥିଲା ଏହି ସହର। ହଠାତ୍ ଏକ ଭୟଙ୍କର ଶବ୍ଦରେ ଥରି ଉଠିଥିଲା ଜାପାନ। ହିରୋସୀମା ସହରର ୪ ବର୍ଗ କିଲୋମିଟର ଅଞ୍ଚଳ ଥରି ଉଠିବା ସହିତ ଘରଗୁଡ଼ିକ ଭୁଶୁଡ଼ି ପଡ଼ିଥିଲା। କେବଳ ସେତିକି ନୁହେଁ, ହଜାର ହଜାର ଲୋକ ନିମିଷକ ମଧ୍ୟରେ ହୋଇ ଯାଇଥିଲେ ପାଉଁଶ। ଏହା ଥିଲା ଆମେରିକାର ପରମାଣୁ ବୋମା ନିକ୍ଷେପର ଫଳ। ତାହା ଥିଲା ଜାପାନ ପାଇଁ କଳା ଦିବସ।
୬ ଅଗଷ୍ଟ, ୧୯୪୫:
ସକାଳ ୮ଟା ୧୫ ମିନିଟ୍‌ରେ ଆମେରିକାର ଏୟାରକ୍ରାଫ୍ଟ ଚଳାଇ କର୍ଣ୍ଣେଲ ପଲ ଡବ୍ଲ୍ୟୁ ଟିବେଟ୍‌ ୫ଟନ୍‌ ଓଜନ ବିଶିଷ୍ଟ ‘ଲିଟିଲ ବୟ’କୁ ହୀରୋସୀମା ଆକାଶରୁ ତଳକୁ ପକାଇବାର ମାତ୍ର ୧ ଘଣ୍ଟା ମଧ୍ୟରେ ଶ୍ମଶାନ ପାଲଟି ଯାଇଥିଲା ହିରୋସୀମା ସହର। ଯେଉଁଥିରେ ୧ଲକ୍ଷ ୪୦ ହଜାର ଲୋକଙ୍କ ମୃତ୍ୟୁ ଘଟିଥିଲା। ସମଗ୍ର ସହରରେ ବିଭୀଷିକା ଦେଖିବାକୁ ମିଳିଥିଲା। ଏହି ପରମାଣୁର ପ୍ରଭାବ ଆଜି ଯାଏ ଏହି ସହର ଉପରେ ଦେଖିବାକୁ ମିଳେ। ଏଠାରେ ଏବେ ବି ଘାସ କଅଁଳୁ ନାହିଁ । ଏଠାରେ ଜନ୍ମ ନେଉଥିବା ଶିଶୁଙ୍କ ଠାରେ ପରମାଣୁର ପ୍ରଭାବ ଦେଖିବାକୁ ମିଳେ। ବିକଳାଙ୍ଗ ହୋଇ ଅନେକ ଜନ୍ମ ନେଇଥାନ୍ତି।

ତେବେ କହିରଖୁଛୁ ଜାପାନରେ ଦ୍ୱିତୀୟ ବିଶ୍ୱଯୁଦ୍ଧର ସମାପ୍ତି ସମୟରେ ୨ଥର ଆମେରିକା ତରଫରୁ ପରମାଣୁ ଆକ୍ରମଣ କରାଯାଇଥିଲା। ପ୍ରଥମେ ହିରୋସିମାରେ ଏବଂ ତିନି ଦିନ ପରେ ନାଗାସାକିରେ। ହିରୋସିମାରେ ୧୪୦,୦୦୦ ଲୋକ ଏବଂ ନାଗାସାକିରେ ୭୪,୦୦୦ ଲୋକ ନିଜ ଜୀବନ ହରାଇଥିଲେ। ଆମେରିକା ରାଷ୍ଟ୍ରପତି ରୂପେ ବାରାକ ଓବାମା ମେ ୨୦୧୬ରେ ହିରୋସିମା ଗସ୍ତ କରିଥିବା ପ୍ରଥମ ଆମେରିକା ରାଷ୍ଟ୍ରପତି ପାଲଟିଥିଲେ। ଏହି ବିଭୀଷିକା ପରେ ଜାପାନ ପୁଣି ଥରେ ଅଣ୍ଟା ସଳଖି ଛିଡା ହାେଇଛି। ବିଶ୍ୱ ଦରବାରରେ ନିଜକୁ ପ୍ରତିଷ୍ଠିତ କରିପାରିଛି। ଟେକ୍ନୋଲୋଜିରେ ମଧ୍ୟ ଏହି ଦେଶ ବହୁତ ଆଗୁଆ । ଲଗାତର ଭାବେ ଆସୁଥିବା ସୁନାମୀ, ଭୂକମ୍ପ ଏହାର ମେରୁଦଣ୍ଡକୁ ଦୋହଲାଉଛି ସତ, ମାତ୍ର ହାର ମାନିନି ।

Comments are closed.