Odisha Link
Bridging the Missing Links in Odisha

ନୟାଗଡ଼ରେ ଚିଟ୍‌ଫଣ୍ଡ କେଳେଙ୍କାରୀ, ପଞ୍ଚାୟତ ନିର୍ବାଚନରେ ଜବାବ୍‌ ଦେବେ ଜନତା

ନୟାଗଡ଼: ମିଶନ୍‌ ଶକ୍ତି ବିଭାଗ ମାଧ୍ୟମରେ ରାଜ୍ୟର ୭୦ ଲକ୍ଷ ମହିଳାଙ୍କୁ ସ୍ବାବଲମ୍ବୀ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ବେଳେ ସେହି ମିଶନ୍‌ ଶକ୍ତିର ଆଳ ଦେଖାଇ ନୟାଗଡ଼ ଜିଲ୍ଲାରେ ପ୍ରାୟ ୫୦୦୦ ହଜାର ଗରିବ ମହିଳା ଚିଟ୍‌ଫଣ୍ଡ ଠକେଇର ଶିକାର ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୯ ସାଧାରଣ ନିର୍ବାଚନ ପ୍ରଚାର ନୟାଗଡ଼ରୁ ଆରମ୍ଭ କରିଥିଲେ। ଏଠାରେ ବହୁ ସଂଖ୍ୟାରେ ମହିଳା ଉପସ୍ଥିତ ରହି ହୁଳହୁଳି ମାଧ୍ୟମରେ ତାଙ୍କୁ ସ୍ବାଗତ କରିଥିଲେ। ମହିଳା ସଶକ୍ତିକରଣ ପାଇଁ ବିଜେଡି ସରକାର କିଭଳି ଯୋଜନା କରିଛନ୍ତି ସେ ନେଇ ମୁଖ୍ୟମନ୍ତ୍ରୀ ନିଜ ବକ୍ତବ୍ୟରେ କହିଥିଲେ। ତେବେ ସେ ସଭାରେ ଉପସ୍ଥିତ ଥିବା ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅରୁଣ ସାହୁଙ୍କ ଭରସାରେ ଜିଲ୍ଲାର ମହିଳାମାନେ ଚିଟ୍‌ଫଣ୍ଡରେ ଅର୍ଥଲଗାଣ କରି ଠକେଇର ଶିକାର ହୋଇଥିବା କ୍ରାଇମବ୍ରାଞ୍ଚରେ ଅଭିଯୋଗ ହୋଇଥିଲେ ବି ଏଯାଏଁ ଚିଟ୍‌ଫଣ୍ଡ ଚୋରକୁ ଧରାଯାଇ ନଥିବା ବେଳେ ଚିଟ୍‌ଫଣ୍ଡ୍‌ ଠକେଇର ଚେର କେଉଁଠି ତାହା ସ୍ପଷ୍ଟ ହେଉନାହିଁ।

ରାଜ୍ୟରେ ଚିଟ୍‌ଫଣ୍ଡ ଠକେଇ ମାମଲାରେ ଏଯାବତ୍‌ ଜମାକାରୀଙ୍କୁ କୌଣସି ସୁଫଳ ମିଳିନଥିବା ବେଳେ ଇତିମଧ୍ୟରେ ଦୁଇଟି ସାଧାରଣ ନିର୍ବାଚନ ପାର ହୋଇସାରିଛି। ନୟାଗଡ଼ ଜିଲ୍ଲାରେ ପ୍ରାୟ ସବୁ ଚିଟ୍‌ଫଣ୍ଡ ସଂସ୍ଥା ସାଧାରଣ ଜନତାଙ୍କ ଠାରୁ ଟଙ୍କା ଲୁଟିଥିଲେ ବି ତାହା ଫେରସ୍ତ ମିଳିବାର କୌଣସି ବାଟ ଫିଟିନାହିଁ। ତେବେ ଜିଲ୍ଲାରେ କାହା ଇଙ୍ଗିତରେ ବା କାହାର ଅଭୟ ବଳରେ ଖୋଲାଖୋଲି ଭାବେ ଚିଟ୍‌ଫଣ୍ଡ ଠକେଇ ଚାଲିଥିଲା ସେ ନେଇ ଏବେ ଚର୍ଚ୍ଚା ବଢ଼ିବାରେ ଲାଗିଛି। ସ୍ଥାନୀୟ ବିଧାୟକ ତଥା ବରିଷ୍ଠ ମନ୍ତ୍ରୀ ଅରୁଣ କୁମାର ସାହୁଙ୍କୁ ଚିଟ୍‌ଫଣ୍ଡ ମାମଲାରେ ସିବିଆଇ ପକ୍ଷ କରିଥିବା ବେଳେ ତାଙ୍କ ପ୍ରତି ଜନଆକ୍ରୋଶ ବଢ଼ିବାରେ ଲାଗିଛି। ୨୦୧୯ ସାଧାରଣ ନିର୍ବାଚନର ୪ ମାସ ପୂର୍ବରୁ ମନ୍ତ୍ରୀ ଅରୁଣ କୁମାର ସାହୁଙ୍କୁ ସିବିଆଇ ଚିଟ୍‌ଫଣ୍ଡ ସଂପୃକ୍ତି ଅଭିଯୋଗରେ ପଚରାଉଚରା ପାଇଁ ଡକାଇଥିଲା। ଏହା ପୂର୍ବରୁ ଚିଟ୍‌ଫଣ୍ଡ ମାମଲାରେ ଫସି ତତ୍‌କାଳୀନ ଚୌଦ୍ବାର ବିଧାୟକ ପ୍ରଭାତ ବିଶ୍ବାଳ ଜେଲ୍‌ ଯାଇଥିବା ବେଳେ ଓ ପରେ ଟିକେଟ୍‌ ପାଇବାରୁ ବଞ୍ଚିତ ହୋଇଥିବା ବେଳେ ମନ୍ତ୍ରୀ ଅରୁଣଙ୍କ କ୍ଷେତ୍ରରେ ଦଳ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲା।

କେବଳ ବଡ଼ବଡ଼ ଚିଟ୍‌ଫଣ୍ଡ ସହ ମନ୍ତ୍ରୀଙ୍କ ସଂପୃକ୍ତି ନେଇ ଜିଲ୍ଲାରେ ଚର୍ଚ୍ଚା ହେଉଛି ତାହା ନୁହେଁ, ବରଂ ଆଠବର୍ଷ ତଳେ ସାଧାରଣ ଗରିବ ମହିଳାଙ୍କୁ ଠକିଥିବା ଜିଲ୍ଲା ବାହାରର ଜଣେ ମହିଳା ଚିଟ୍‌ଫଣ୍ଡ ବ୍ୟବସାୟୀଙ୍କ ସହ ମନ୍ତ୍ରୀଙ୍କର ସଂପର୍କ ଥିବା ଅଭିଯୋଗ ହୋଇଥିଲା। ମନ୍ତ୍ରୀଙ୍କ ଭରସାରେ ଗରିବ ମହିଳାମାନେ ସେହି ସଂସ୍ଥାରେ ଅର୍ଥଲଗାଣ କରିଥିଲେ ବୋଲି ୨୦୧୩ ମସିହାରେ କ୍ରାଇମ୍‌ ବ୍ରାଞ୍ଚରେ ଅଭିଯୋଗ ହୋଇଥିଲା।

ଅଭିଯୋଗ ଅନୁସାରେ, ପୁରୀ ଜିଲ୍ଲା କାକଟପୁର ଅଞ୍ଚଳର କ୍ଷଣପ୍ରଭା ଓଝା ନାମକ ଜଣେ ମହିଳା ଗରିବ ମହିଳାଙ୍କୁ ଋଣ ଦେବା ପାଇଁ ଅସହାୟ ଶ୍ରମଜୀବୀ ମହିଳା ସମିତି ନାମରେ ଅନୁଷ୍ଠାନ ଗଢ଼ିଥିଲେ। ୨୦୧୨ ମସିହାରେ କ୍ଷଣପ୍ରଭା ନୟାଗଡ଼ରେ ନିଜ ସଂସ୍ଥାର କାର୍ଯ୍ୟାଳୟ ଖୋଲି ଏଜେଣ୍ଟ୍‌ଙ୍କ ମାଧ୍ୟମରେ ଋଣ ଦେବାର ବାହାନା କରି ମହିଳାଙ୍କ ଠାରୁ ଟଙ୍କା ଲୁଟି ଫେରାର୍‌ ହୋଇଯାଇଥିଲେ। ମିଶନ୍‌ ଶକ୍ତି ଯୋଜନାରେ ୩୦ ହଜାର ଟଙ୍କାର ଋଣ କରାଇଦେବା ଲାଗି ପ୍ରତିଶ୍ରୁତି ଦେଇ ଜଣକା ୭,୨୦୦ ଟଙ୍କା ଲେଖାଏଁ ଆଦାୟ କରିଥିଲେ କ୍ଷଣପ୍ରଭା।

ନିରୀହ ମହିଳାଙ୍କ ବିଶ୍ବାସଭାଜନ ହେବାପାଇଁ ନୟାଗଡ଼ରେ ଏକ ସଭାର ଆୟୋଜନ କରିଥିଲେ ଏହି ମହିଳା ଏବଂ ଏ ସଭାରେ ସେତେବେଳେ ମନ୍ତ୍ରୀ ଅରୁଣ କୁମାର ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଜମାକରୀଙ୍କ ଭରସା ଜିତିଥିଲେ। ତଥାକଥିତ ମିଶନ୍‌ ଶକ୍ତି ଯୋଜନା, ମନ୍ତ୍ରୀଙ୍କ ଭାଷଣ ଓ କ୍ଷଣପ୍ରଭାଙ୍କ ପ୍ରଲୋଭନରେ ଭଳିଯାଇ ନୟାଗଡ଼ର ମହିଳାମାନେ ଏହି ସଂସ୍ଥାରେ ଅର୍ଥଲଗାଣ କରିଥିଲେ। ନୟାଗଡ଼ରେ ସଫଳ ହେବା ପରେ କ୍ଷଣପ୍ରଭା ଅନୁରୂପ ଭାବେ କଟକ ଜିଲ୍ଲା ବଡ଼ମ୍ବାରେ ମହିଳାଙ୍କ ଠାରୁ ଟଙ୍କା ଆଦାୟ କରିଥିଲେ। ସେଠାରେ ଲୋକଙ୍କ ହୃଦୟ ଜିତିବା ପାଇଁ କ୍ଷଣପ୍ରଭା ମନ୍ତ୍ରୀଙ୍କ ସହ ନିଜର ଫଟୋ ଦେଖାଇଥିଲେ ଓ ଏହି ଯୋଜନା ସରକାରଙ୍କ ମିଶନ୍‌ ଶକ୍ତି ଅନ୍ତର୍ଗତ ବୋଲି ବୁଝାଇଥିଲେ। ଉଭୟ ଜିଲ୍ଲାରୁ କୋଟିକୋଟି ଟଙ୍କା ଆଦାୟ କରି ୨୦୧୩ରେ ଫେରାର୍‌ ହୋଇଯାଇଥିଲେ କ୍ଷଣପ୍ରଭା।

୨୦୧୩ ଜୁନ୍‌ ମାସରେ ନୟାଗଡ଼ରେ ସମିତିର ଏଜେଣ୍ଟ ଭାବେ କାର୍ଯ୍ୟ କରୁଥିବା ଗୌତମ ପ୍ରଧାନ ସାଙ୍ଗରେ ଜମାକରୀଙ୍କୁ ନେଇ ଭୁବନେଶ୍ବର କ୍ରାଇମ୍‌ ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖାରେ ଏକ ମାମଲା କରିଥିଲେ। ମନ୍ତ୍ରୀଙ୍କ ନାମ କହି କ୍ଷଣପ୍ରଭା ନୟାଗଡ଼ରୁ ପ୍ରାୟ ୩ କୋଟି ଓ ବଡ଼ମ୍ବାରୁ ୫୦ ଲକ୍ଷ ଲୁଟି ନେଇଛନ୍ତି ବୋଲି ଶ୍ରୀ ପ୍ରଧାନ ସେତେବେଳେ ଗଣମାଧ୍ୟମକୁ କହିଥିଲେ। କ୍ଷଣପ୍ରଭାଙ୍କ ସହ ମନ୍ତ୍ରୀ ଅରୁଣ କୁମାର ସାହୁଙ୍କର ଅର୍ଥନୈତିକ ଦେଣନେଣ ସମ୍ପର୍କ ଅଛି ବୋଲି ସେତେବେଳେ ଜିଲ୍ଲା କଂଗ୍ରେସ ଅଭିଯୋଗ କରିଥିଲା। କେବଳ କ୍ଷଣପ୍ରଭାଙ୍କ ସମିତି ନୁହେଁ, ରାଜ୍ୟର ବଡ଼ବଡ଼ ଚିଟଫଣ୍ଡ ଠକଙ୍କ ସହ ମନ୍ତ୍ରୀଙ୍କର ସଂପୃକ୍ତି ରହିଛି ଓ ସେଥିପାଇଁ ୨୦୧୯ରେ ସିବିଆଇ ତାଙ୍କୁ ଡାକିଥିଲା ବୋଲି କଂଗ୍ରେସ ଅଭିଯୋଗ କରିଛି।

ଇତି ମଧ୍ୟରେ ଦୁଇଦୁଇଟି ସାଧାରଣ ନିର୍ବାଚନ ଯାଇଛି। ଅରୁଣ ଦୁଇଥର ଯାକ ଟିକେଟ୍‌ ପାଇ ବିଜୟୀ ହୋଇଛନ୍ତି। ତେବେ ଜିଲ୍ଲାରେ ଚିଟ୍‌ଫଣ୍ଡ ଠକାମୀର ଚେର କେଉଁଠି ଓ ଚିଟ୍‌ଫଣ୍ଡ ଚୋର କିଏ ତାହା ସରକାର ସାର୍ବଜନୀନ କରନ୍ତୁ ବୋଲି ସାଧାରଣରେ ଦାବି ହେଉଛି। ଆଗକୁ ପୌର ଓ ପଞ୍ଚାୟତ ନିର୍ବାଚନ ଥିବାବେଳେ ଚିଟ୍‌ଫଣ୍ଡ ଜମାକାରୀ ଏଥର ସରକାରଙ୍କୁ ଉଚିତ ଉତ୍ତର ଦେବାକୁ ଅଣ୍ଟା ଭିଡ଼ୁଛନ୍ତି।