Odisha Link
Bridging the Missing Links in Odisha

ପ୍ରବେଶିକା ପରୀକ୍ଷା ମାଧ୍ୟମରେ ଶିକ୍ଷକ ନିଯୁକ୍ତି, ପୂରଣ ହେବ ୧୦ ହଜାର ଶିକ୍ଷକ ପଦବୀ

ଭୁବନେଶ୍ବର: ରାଜ୍ୟରେ ଶିକ୍ଷକ ନିଯୁକ୍ତି ପାଇଁ ହେବ ପ୍ରବେଶିକା ପରୀକ୍ଷା। ପୂରଣ ହେବ ଖାଲି ଥିବା ୧୦ ହଜାର ହାଇସ୍କୁଲ ଶିକ୍ଷକ ପଦବୀ। ନିଯୁକ୍ତି ପାଇବେ ୬ ହଜାର ଟିଜିଟି, ୪ ହଜାର ୪୪୫ ହିନ୍ଦୀ, ସଂସ୍କୃତ ଓ ଖେଳ ଶିକ୍ଷକ। ପ୍ରଥମ ଥର ପାଇଁ ଏତେ ଶିକ୍ଷକଙ୍କୁ ପ୍ରବେଶିକା ପରୀକ୍ଷା ମାଧ୍ୟମରେ ଚୟନ କରାଯିବ। ଏନେଇ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି।

ଏହି ପ୍ରବେଶିକା ପରୀକ୍ଷା ସିବିଟି (କମ୍ପ୍ୟୁଟର ବେସଡ୍‌ ଟେଷ୍ଟ) ମାଧ୍ୟମରେ ହେବ। ସିବିଟି ମାଧ୍ୟମରେ ପରୀକ୍ଷା କରିବା ଲାଗି ଏକ ସ୍ବତନ୍ତ୍ର ସଂସ୍ଥାକୁ ନିୟୋଜିତ କରାଯିବ ଏବଂ ପରୀକ୍ଷା ଫଳ ଆଧାରରେ ଶିକ୍ଷକମାନେ ନିଯୁକ୍ତି ପାଇବେ। ପୂର୍ବରୁ ଯେତେଥର ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ହୋଇଛି ତାହା ଯୋଗ୍ୟତା ତଥା କ୍ୟାରିଅର ମାର୍କିଂ ଆଧାରରେ କରାଯାଇଛି। ‌ତେବେ ଏଥର ପ୍ରବେଶିକା ପରୀକ୍ଷା ମାଧ୍ୟମରେ ଶିକ୍ଷକ ନିଯୁକ୍ତି ପ୍ରଥମ ଥର ‌ହେବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।

ଗତ ୫ ବର୍ଷ ହେଲା ନିଯୁକ୍ତି ପ୍ରକ୍ରିୟା ହୋଇ ନ ଥିବାରୁ ହିନ୍ଦୀ, ସଂସ୍କୃତ, ପିଇଟି ଓ ଟିଜିଟି ଆଦି ବହୁ ଶିକ୍ଷକ ପଦ ଖାଲିପଡ଼ିଛି। ୨୦୧୬ରେ ହିନ୍ଦୀ, ସଂସ୍କୃତ, ପିଇଟି ଓ ୨୦୧୯-୨୦ରେ ଟିଜିଟିକୁ ମିଶାଇ ମୋଟ ୨୭୪୦ ପଦ ଲାଗି ନିଯୁକ୍ତି ପ୍ରକ୍ରିୟା ହୋଇଥିବା ବେଳେ ସେଥିମଧ୍ୟରୁ ମାତ୍ର ୧୩୦୦ ଜଣ ନିଯୁକ୍ତ ହୋଇଥିଲେ। ଫଳରେ ଦିନକୁ ଦିନ ଖାଲି ଶିକ୍ଷକ ପଦ ବଢ଼ିବଢ଼ି ଚାଲିଛି।

ତେଣୁ ଚଳିତବର୍ଷରେ ୧୦ ହଜାର ୪୪୫ ଶିକ୍ଷକ ନିଯୁକ୍ତି କରିବାକୁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବୈଷୟିକ କମିଟି ଏଦିଗରେ ବ୍ୟାପକ ମାନସମନ୍ଥନ କରିବା ସହ ସିବିଟି ମାଧ୍ୟମରେ ନିଯୁକ୍ତି ପ୍ରକ୍ରିୟା କରିବା ପାଇଁ ପ୍ରସ୍ତାବ ଦେଇଛି। ଯାହାକୁ ଆଧାର କରି ‌ବିଭାଗ ଏବେ ପ୍ରବେଶିକା ପରୀକ୍ଷା ଲାଗି ଟେଣ୍ଡର ଆହ୍ବାନ କରିବାକୁ ଯାଉଛି। ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ଗଣଶିକ୍ଷା ବିଭାଗଠାରୁ ଅନୁମତି ଲୋଡ଼ାଯାଇଛି। ଯେତେଶୀଘ୍ର ଅନୁମତି ମିଳିଲେ ଏଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

Leave A Reply

Your email address will not be published.