ଗଣେଶ ପୂଜା ପ୍ରସାଦ ଖାଇ ୩୦୦ ଅସୁସ୍ଥ

କାଶୀନଗର: ଗଣେଶ ପୂଜା ପ୍ରସାଦ ସେବନ କରି ଗୋଟିଏ ଗ୍ରାମର ୩ ଶହ ଲୋକ ଅସୁସ୍ଥ। ଏହି ଘଟଣା ଘଟିଛି କାଶୀନଗର ବ୍ଲକ ଅନ୍ତର୍ଗତ କିଡିଗାଁରେ। ଗତକାଲି ଗ୍ରାମରେ ଗଣେଶ ପୂଜା ଉପଲକ୍ଷେ ପ୍ରସାଦ ସେବନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଉକ୍ତ ଗ୍ରାମର ପ୍ରାୟ ୪୦୦ ଜଣ ଅନ୍ନପ୍ରସାଦ ସେବନ କରିଥିଲେ।
ପ୍ରସାଦ ସେବନ କରିବା ପରଠାରୁ ଜଣକ ପରେ ଜଣେ ଗତକାଲି ରାତି ସୁଦ୍ଧା ପ୍ରାୟ ୩ ଶହ ଲୋକ ଅସୁସ୍ଥ ହୋଇ ପଡ଼ିଥିଲେ। ସମସ୍ତେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ସେମାନଙ୍କ ମଧ୍ୟରୁ କେବଳ ୪୬ ଜଣ କାଶୀନଗର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି।
ଏନେଇ ଖବର ପାଇ କାଶୀନଗର ଡାକ୍ତରଖାନାର ଭାରପ୍ରାପ୍ତ ଅଧିକାରୀ ଡାକ୍ତରୀ ଦଳ ସହ ଗ୍ରାମରେ ପହଞ୍ଚି ସମସ୍ତଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିଥିଲେ। ଗ୍ରାମରେ ୧୪୬ ଜଣଙ୍କୁ ଚିକିତ୍ସା କରି ଔଷଧ ପ୍ରଦାନ କରିଛନ୍ତି।