Odisha Link
Bridging the Missing Links in Odisha

ସଂପୂର୍ଣ୍ଣ ସୁସ୍ଥ ମସ୍ତିଷ୍କରେ ନବ ଦାସଙ୍କ ହତ୍ୟା କରିଥିଲା ଗୋପାଳ: କ୍ରାଇମବ୍ରାଞ୍ଚ

ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନକୁ ଭିତ୍ତିକରି ଅଭିଯୋଗ ଫର୍ଦ୍ଦ ପ୍ରସ୍ତୁତ ହୋଇଥିବା ଜଣାପଡ଼ିଥିବାବେଳେ ବ୍ୟକ୍ତିଗତ ଆକ୍ରୋଶ ରଖି ଗୋପାଳ ହତ୍ୟା କରିଥିବା ଉଲ୍ଲେଖ।

ଓଏଲ୍‌ ବ୍ୟୁରୋ: ବହୁଚର୍ଚ୍ଚିତ ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାକୁ ଆଉ କିଛି ଦିନରେ ପୂରିବ ୪ ମାସ। ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଚାର୍ଜସିଟ୍ ଦାଖଲ କରାଯାଇଛି। ଝାରସୁଗୁଡ଼ା ସ୍ଥିତ ଜେଏମଏଫସି କୋର୍ଟରେ ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଞ୍ଚ। ମାମଲାର ମୁଖ୍ୟ ଅଭିଯୁକ୍ତ ପୁଲିସ ଏଏସ୍ଆଇ ଗୋପାଳକୃଷ୍ଣ ଦାସଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ କ୍ରାଇମବ୍ରାଞ୍ଚ ସମସ୍ତ ପ୍ରକାର ସାଇଣ୍ଟିଫିକ୍ ତଥା ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନକୁ ଭିତ୍ତିକରି ଅଭିଯୋଗ ଫର୍ଦ୍ଦ ପ୍ରସ୍ତୁତ ହୋଇଥିବା ଜଣାପଡ଼ିଥିବାବେଳେ ବ୍ୟକ୍ତିଗତ ଆକ୍ରୋଶ ରଖି ଗୋପାଳ ହତ୍ୟା କରିଥିବା ଉଲ୍ଲେଖ।

ଚାର୍ଜସିଟରେ ରହିଥିବା ତଥ୍ୟ ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଗୋପାଳ ପାଗଳ ନଥିଲା ବୋଲି ସ୍ପଷ୍ଟ ହୋଇଛି। ସଂପୂର୍ଣ୍ଣ ସୁସ୍ଥ ମସ୍ତିଷ୍କରେ ଗୋପାଳ ହତ୍ୟା କରିଥିବା କହିଲା କ୍ରାଇମବ୍ରାଞ୍ଚ। ହତ୍ୟା ଘଟଣା ପରେ ଗୋପାଳ ପାଗଳ ଥିବା ପରିବାର କହିଥିଲେ। ତଦନ୍ତ ଅନୁଯାୟୀ ଗୋପାଳ ବ୍ୟକ୍ତିଗତ ଆକ୍ରୋଶରୁ ହତ୍ୟା କରିଛି। ନବଙ୍କ ପ୍ରତି ଗୋପାଳ ମନରେ ବ୍ୟକ୍ତିଗତ ଆକ୍ରୋଶ, ରାଗ ସୃଷ୍ଟି ହୋଇଥିଲା। ନବ ଦାସ ଓ ତାଙ୍କ ସମର୍ଥକଙ୍କ ପଟୁ ବିପଦ ଥିବା ଗୋପାଳ ଭାବୁଥିଲା ବୋଲି ଚାର୍ଜସିଟରେ ଉଲ୍ଲେଖ ରଖିଛି। ନବଙ୍କୁ ହତ୍ୟା କରିବା ପାଇଁ ଗୋପାଳ ମନସ୍ଥ କରିଥିଲା। ହତ୍ୟାପାଇଁ ସେ ଯୋଜନା ପ୍ରସ୍ତୁତ କରିଥିଲା ଓ ତାକୁ କାର୍ଯ୍ୟରେ ଲଗାଇଥିଲା। ତେବେ ଗୋପାଳ ମନରେ କାହିଁକି ଆକ୍ରୋଶ ଥିଲା ଲେଖିନି କ୍ରାଇମବ୍ରାଞ୍ଚ।

ଖବର ଅନୁସାରେ, ଗତ ଜାନୁଆରୀ ୨୯ ତାରିଖରେ ତତ୍କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରାଯାଇଥିଲା। ଅଭିଯୁକ୍ତ ଗୋପାଳକୁ ଘଟଣାସ୍ଥଳରୁ ପିସ୍ତଲ ସହ ପୁଲିସ ଗିରଫ କରିବାରେ ସକ୍ଷମ ହୋଇଥିଲା। ଅଭିଯୁକ୍ତ ଗୋପାଳ ବର୍ତ୍ତମାନ ଜେଲରେ ଦିନ କାଟୁଛି। ଅଭିଯୁକ୍ତ ଗୋପାଳର ଗୁଜରାଟ ଗାନ୍ଧୀନଗର ସ୍ଥିତ ଫରେନସିକ୍ ଲ୍ୟାବ୍ରେ ପଲିଗ୍ରାଫ୍ ଓ ନାର୍କୋ ଟେଷ୍ଟ କରାଯାଇଥିଲା। ତେବେ ବିଭିନ୍ନ ତଥ୍ୟକୁ ଭିତ୍ତି କରି ଆଜି ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଞ୍ଚ।

Leave A Reply

Your email address will not be published.