Odisha Link
Bridging the Missing Links in Odisha

ନିରଂଜନଙ୍କୁ ବିରୋଧ କରୁଥିବା ନେତା ଏବେ କଂଗ୍ରେସ ଟିକେଟ୍‌ ଆଶାୟୀ

ବାଲେଶ୍ବର: “ପ୍ରସାଦ ହରିଚନ୍ଦନ ବଲ୍ଲେ ବଲ୍ଲେ। କିଛି ପ୍ରତ୍ୟାଖ୍ୟିତ ଗନ୍ଧିଆ ନଳା ବୁଢ଼ା ଘୋଡ଼ା ଅର୍ଥ ବଳ ବ୍ୟବହାର କରି ଓ ଅସତ୍‌ ସାମ୍ବାଦିକଙ୍କୁ ଲାଞ୍ଚ ଦେଇ ତାଙ୍କ ବାବଦରେ ଭୁଲ ତଥ୍ୟ ପ୍ରଚାର କରୁଛନ୍ତି। ପ୍ରଦେଶ କଂଗ୍ରେସ ସଭାପତି ପରିବର୍ତ୍ତନ ହେବାର ନାହିଁ। ଏଆଇସିସି ବୁଝି ସାରିଛି, ପ୍ରସାଦ ଜୀଙ୍କ ନେତୃତ୍ବରେ ଓଡ଼ିଶା କଂଗ୍ରେସ୍‌ ଉଚିତ୍‌ ମାର୍ଗରେ ଯାଉଛି। ମୋ ମତରେ ବୁଢ଼ାମାନେ ଏବେ ଦୟାକରି ବିଶ୍ରାମ ନେଇଯାଆନ୍ତୁ।”

ପ୍ରସାଦ ହରିଚନ୍ଦନ ଓଡ଼ିଶା କଂଗ୍ରେସର ସଭାପତି ପଦରୁ ବିଦା ହେବେ ଓ ନିରଂଜନ ନୂଆ ସଭାପତି ହେବା ନେଇ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଥିବା ବେଳେ ନିଜ ଫେସବୁକ କାନ୍ତରେ ଏମିତି କିଛି ଲେଖୁଥିଲେ କଂଗ୍ରେସ ସଦସ୍ୟ ରବି ଶତପଥୀ। ପ୍ରସାଦଙ୍କୁ ନିଜର ଦିଲ୍ଲୀ ସ୍ଥିତ ଘରକୁ ବୁଲାଇ ନେବାର ଫଟୋ ଛାଡ଼ିବା ସହ ତାଙ୍କ ନେତୃତ୍ବରେ ହିଁ କଂଗ୍ରେସ ଆଗେଇ ପାରିବ ଓ ବିଜେଡିକୁ ମାତ୍‌ ଦେଇପାରିବ ବୋଲି ରବି ଦୃଢ଼ୋକ୍ତି ବାଢ଼ିଥିଲେ। ଏପରିକି ବୁଢ଼ାମାନେ ରାଜନୀତିରୁ ବିଶ୍ରାମ ନେଇଯାଆନ୍ତୁ ବୋଲି ପରୋକ୍ଷରେ କହିଥିଲେ ରବି।

ଆଉ ନିରଂଜନ ସଭାପତି ହେବା ପରେ ହଠାତ୍‌ ରବି ଶତପଥୀ ନିଜର ରାଜନୀତିକ ଫାଇଦା ପାଇଁ ନିରଂଜନ ବିରୋଧୀ ମନ୍ତବ୍ୟରୁ ଆପେ ଓହରି ଯାଇଛନ୍ତି। ଯେଉଁ ନିରଂଜନଙ୍କ ସଭାପତିତ୍ବ ହେବାକୁ ବିରୋଧ କରୁଥିଲେ ଏବେ ବିଧାୟକ ଟିକେଟ୍‌ ପାଇଁ ସେଇ ନିରଂଜନଙ୍କର ଶରଣ ପଶିଛନ୍ତି ରବି ଓରଫ୍‌ ରବୀନ୍ଦ୍ର କୁମାର ଶତପଥୀ।

ବାଲେଶ୍ବର ଜିଲ୍ଲା ସିମୁଳିଆ  ମଣ୍ଡଳୀ ପାଇଁ ରବୀନ୍ଦ୍ର ହେଉଛନ୍ତି କଂଗ୍ରେସ ଟିକେଟ ଆଶାୟୀ। ପ୍ରାର୍ଥୀମାନେ ନିଜର ଆପରାଧିକ ସଂପୃକ୍ତିର ସମସ୍ତ ତଥ୍ୟ ସର୍ବସାଧାରଣରେ ଗଣମାଧ୍ୟମ ସହଯୋଗରେ ପ୍ରକାଶ କରିବେ ବୋଲି ନିର୍ବାଚନ ଆୟୁକ୍ତ ନିର୍ଦ୍ଦେଶ ଦେବା ପରେ କଂଗ୍ରେସ ଦଳ ଭିତରେ ଏବେ ରବିଙ୍କୁ ନେଇ ମୁଣ୍ଡବ୍ୟଥା ବଢ଼ିଛି। ୨୦୧୫ ମସିହାରେ ହୋଇଥିବା ୧୪୫ କୋଟି କର୍ପୋରେସନ୍‌ ବ୍ୟାଙ୍କ ଠକେଇ ମାମଲାରେ ତାଙ୍କର ସଂପୃକ୍ତି ଥିବା ଅଭିଯୋଗ ହୋଇଛି। ଦିଲ୍ଲୀର ମେହରୁଲି ଥାନାରେ ଏ ନେଇ ତାଙ୍କ ନାମରେ ମାମଲା ରୁଜୁ ହୋଇଥିଲା। ପରେ ସେ ଲାପତା ଅଛନ୍ତି ବୋଲି ପୁଲିସ କୋର୍ଟକୁ ଜଣାଇବାରୁ କୋର୍ଟ ରବିଙ୍କୁ ହାଜିରା ପାଇଁ ଖବରକାଗଜ ବିଜ୍ଞାପନ ମାଧ୍ୟମରେ ଜଣାଇଥିଲେ। ମାମଲାର ତଦନ୍ତ ସିବିଆଇଙ୍କ ହାତରେ ସମର୍ପି ଦିଆଯାଇଥିଲା।

ସିମୁଳିଆରେ ରବୀନ୍ଦ୍ରଙ୍କ ରାଜନୈତିକ ସଂପୃକ୍ତିରେ ଆପତ୍ତି ଉଠାଇ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ପଦ୍ମଲୋଚନ ପଣ୍ଡା ଦଳ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି। ସେହିପରି ନିର୍ବାଚନ ମଣ୍ଡଳୀରେ ବିଜେଡିର ସ୍ଥିତି ଭଲ ଥିବା ବେଳେ ବିଜେପି ନେତା ଶଶି କୁମାର ସାହୁଙ୍କ ଯୋଗଦାନ ଦଳର ବିଜୟ ଆଶାକୁ ବହୁଗୁଣିତ କରିଛି। ରବି ଖଇରା ବ୍ଲକର ହୋଇଥିବା ବେଳେ ସିମୁଳିଆ ବ୍ଲକରେ ତାଙ୍କ ପ୍ରତି ଖୋଦ ଦଳୀୟ କର୍ମୀ ବି ଅସନ୍ତୁଷ୍ଟ ଅଛନ୍ତି। ପଦ୍ମଲୋଚନ ଦଳ ଛାଡ଼ିବା ପରେ ସିମୁଳିଆ ବ୍ଲକର ବହୁ ପୁରୁଣା କଂଗ୍ରେସ କର୍ମକର୍ତ୍ତା ବିଜେପିେର ସାମିଲ ହୋଇଛନ୍ତି। ଖଇରା ବ୍ଲକରୁ ମଧ୍ୟ ବହୁ ସଂଖ୍ୟାରେ ଶଶିଙ୍କର ସମର୍ଥକ କଂଗ୍ରେସ ଛାଡ଼ି ଦେଇଛନ୍ତି। ଏପରି ସ୍ଥଳେ ଆପରାଧିକ ସଂପୃକ୍ତି ନଥିବା, ଉଭୟ ସିମୁଳିଆ ଓ ଖଇରା ସଂଗଠନକୁ ସମାନ୍ତରାଳ ଭାବେ ଗୁରୁତ୍ବ ଦେଇ କାମ କରୁଥିବା ଜଣେ ପୁରୁଖା ମୁହଁକୁ କଂଗ୍ରେସ କର୍ମୀମାନେ ନିଜର ପ୍ରାର୍ଥୀ କରିବାକୁ ଚାହୁଛନ୍ତି।

ପଢ଼ନ୍ତୁ-

ସିମୁଳିଅ‍ାରୁ କଂଗ୍ରେସ୍ ପ୍ରାର୍ଥୀ ହେବେ ଠକେଇ ଅଭିଯୁକ୍ତ!

Comments are closed.