Odisha Link
Bridging the Missing Links in Odisha

ଦାଶ ବେନହୁରଙ୍କ ଦଶଟି ପୁରୀ ପ୍ରସଙ୍ଗ

ଦାଶ ବେନହୁର

ଦଶଟି ପୁରୀ ପ୍ରସଙ୍ଗ

(ସାମାଜିକ ଗଣମାଧ୍ୟମରେ ବରିଷ୍ଠ କଥାଶିଳ୍ପୀ, ଶିଶୁ ସାହିତ୍ୟିକ ଓ ଶିକ୍ଷାବିତ୍ ଶ୍ରୀ ଦାଶ ବେନହୁର ପୁରୀ ସହର ଓ ଜଗନ୍ନାଥଙ୍କୁ ନେଇ ଲେଖିଥିବା ୧୦ଟି ଭାବାବେଗ ଭରା, ଯୁକ୍ତିନିଷ୍ଟ ତଥା ଚିନ୍ତାଦ୍ୟୋତକ କ୍ଷୁଦ୍ର ଆଲେଖ)

ଓଡ଼ିଶା ମଥାର ତିଳକ ପୁରୀ।
ତା’ର ଧୂଳି ମାଟି ପବିତ୍ର।
ଥିଲା।
ଆଜି ଆମେ ତାକୁ କେମିତି ରଖିଛେ?
ଏସିଆର ବୃହତ୍ତମ ହଇଜା ହାସପାତାଳ ପୁରୀରେ।
ଭୂମିତଳ ଜଳ ଅତ୍ୟନ୍ତ ପ୍ରଦୂଷିତ। କେଉଁ ଆବହମାନ କାଳରୁ ମଧୁରଜଳର ସୁରକ୍ଷିତ ଅଂଚଳଟି ଲୋକ ବସତି ହେତୁ ପାଇଖାନା ଓ ଆବର୍ଜ୍ଜନାରେ ଭର୍ତ୍ତି। ଶରଧାବାଲିରୁ ନଦୀ ହଟିଲେ, ବଡ଼ଶଙ୍ଖ ହଜିଲା, ଛଅ ରଥରୁ ତିନିରଥ ହେଲା, ବଡ଼ଦାଣ୍ଡର କୋଠାଧାଡ଼ିକୁ ଆଖିରୋଚକ କରିବା ପାଇଁ ସରକାର ଏକରଂଗୀ କଲେ ମାତ୍ର ଟିକେ ବରଷାରେ ଏବେ ବି ମେଡିକାଲ ଛକ ଉବୁଟୁବୁ। ସାଇ ସାଇ ନାଳ ନର୍ଦ୍ଦମାରେ ମଶା ଭିଣିଭିଣି। ଫାଇଲେରିଆ ପାଇଁ ପ୍ରଶସ୍ତ କ୍ଷେତ୍ର।
ଟଙ୍କା ଆସୁଛି ଯାଉଛି।
ସେବକମାନେ ଠାକୁର ଠାକୁରାଣୀ ସେବାରେ ଯେତେ ନାହାନ୍ତି ତା’ ଠାରୁ ଅଧିକ ଅଛଂତି ସମୁଦ୍ରକୂଳିଆ ହୋଟେଲ ସେବାରେ।
ଧୂଳି,ମାଟି,ପାଣି, ପବନ, ମନ ସବୁ ପ୍ରଦୂଷିତ।
କିଏ ଫେରେଇଦେବ ମୋ ପବିତ୍ର ପୁରୀ?
ଓଡ଼ିଶାର ଆତ୍ମାପୁରୁଷ ମଥାରେ ଥିବା ଏ ପ୍ରସିଦ୍ଧ ତିଳକକ୍ଷେତ୍ରକୁ କ’ଣ ଆଉ ବିଦେଶୀ ଆସି ପବିତ୍ର କରିବେ?
ରଥଯାତ୍ରା ଚାଲିଛି।
ଠାକୁରଙ୍କୁ ଦର୍ଶନକଲାବେଳେ ତାଙ୍କ ଧାମର କଥା ଭାବିବା ନା ନାଇଁ?

ଶ୍ରୀଜଗନ୍ନାଥଙ୍କୁ ଆମେ ଏ ଯାଏ ପୁରୀନାଥ କରି ରଖିଛେ।ପୂର୍ବତନ ଗଡ଼ଜାତଗୁଡ଼ିକୁ ଛାଡ଼ିଦେଲେ ଓଡ଼ିଶାର ଉତ୍ତର ଦକ୍ଷିଣ ପଶ୍ଚିମ ଆଡ଼କୁ ସୁଦ୍ଧା ପରିବ୍ୟାପ୍ତ ହେବାକୁ ଦେଇନେ।
ଖାଲି ବଡ଼ ବଡ଼ କଥା!
ଆମ ଠାକୁର ବିଶ୍ବ ପ୍ରସିଦ୍ଧ!
ବଙ୍ଗଳା, ହିନ୍ଦୀ, ତେଲୁଗୁ, ତାମିଲ, ମାଲାୟାଲମ୍‌, ପଞ୍ଜାବୀ ଆଦି ନାନା ଭାଷାଭାଷୀ ଭାଇ, ମାଆ ମାଉସୀଙ୍କ ସହ କେତେ ବିଦେଶୀ ବିଦେଶିନୀ ଆସିଛନ୍ତି ପୁରୀ। ହେଲେ କାଇଁ ସେ ସବୁ ଭାଷାରେ ଜଗତରନାଥଙ୍କ ଜଣାଣ, ଭଜନ କି ପ୍ରାର୍ଥନାଟିଏ ତ ଏ କାନ ଶୁଣିଲାନି!
ବିଶ୍ୱକବି ରବି ଠାକୁରଙ୍କୁ ସୁଦ୍ଧା ଜଗନ୍ନାଥେ ଦିଶିଲେ ନାହିଁ।
କାହିଁକି?
କାହିଁକି?
ଏହାର ଉତ୍ତର କିଏ ଦବ?
ଖାଲି ଗୋଡ଼େଇ ଗୋଡ଼େଇ କହୁଥା, ଦାଦା ମିଷ୍ଟି ଖାବେନ୍‌?
ଧନ୍ୟ ତୁମ କବାଟକିଳା ଠାକୁର ଭକ୍ତି!
ଏବେ ହାଲକୁ ଦୁଇ ଚାରିଟା ଚାଲାକିଆ ହିନ୍ଦୀ ଓ ବଙ୍ଗଳାରେ ଗୀତ ବାନ୍ଧି ବଜାରକୁ ଛାଡ଼ିଛନ୍ତି ବୋଲି ଆମେ ଶୁଣୁଛୁ।
ଠାକୁରେ ଜାଣନ୍ତି!!
ସବୁଆଡ଼େ ରଥଯାତ୍ରା ହେଉଛି ବୋଲି କେତେ କିଏ ଛାତି ବାଡ଼ୋଉଛନ୍ତି ହେଲେ ଭୁଲିଯାଉଛନ୍ତି ଯେ ଯାତ୍ରା ଦେଖିବା ଜଗନ୍ନାଥଙ୍କୁ ହେଜିବା ସମାନ କଥା ନୁହେଁ। ହେଜିଲେ ସିନା ଭଜନ ଜାଗିବ! ସେଇଥିଲାଗି ଜଣାଣ ଭଜନ ଅନ୍ୟ ଭାଷାରେ ବାହାରୁନି।

ଭୁ ଶ୍ରୀଜଗନ୍ନାଥ ନିଜେ ନିଜର ନାମ ଜଗନ୍ନାଥ କି ପତିତପାବନ ଦେଇନାହାନ୍ତି। ନିଜକୁ ମହାକାଳ କି ଶ୍ରୀକୃଷ୍ଣ ବା ବୁଦ୍ଧ କହିନାହାନ୍ତି।
ତାଂକ ବିଭୂତିକୁ ଅନୁଭବ କରି ଆମେ ଭକ୍ତମାନେ ତାଂକୁ ସର୍ବଧର୍ମ ସମନ୍ୱୟର ଠାକୁର ବୋଲି ମାନୁଛେ। ସାଲବେଗ ମୁସଲମାନ ହେଲେ ବି,ଦାସିଆ ବାଉରୀ ଦଳିତ ହେଲେ ମଧ୍ୟ ସେ ସେମାନଂକୁ କୋଳେଇ ଥିଲେ ବୋଲି ସ୍ବୀକାର କରୁଛେ। ତଥାପି ତାଂକ ଶ୍ରୀମନ୍ଦିରରେ ଅନେକଙ୍କୁ ଏ ପ୍ରବେଶ-ବାରଣ କାହିଁକି?
କିଏ ଏ ନିଷ୍ପତ୍ତି ନେଇଛନ୍ତି? କେଉଁ ଭଲ ପାଇଁ ନେଇଛନ୍ତି? ସବୁ ପୁରୁଣା ବିଚାର କ’ଣ ଭଲ? ସମାଜକୁ ସଂସ୍କାରିବା ଦାୟିତ୍ବ କାହାର? କଠଉ ପିନ୍ଧି ବୁଲୁଥିଲ, ଏବେ ତ କେଡ଼େ ସୁନ୍ଦର ଚମଡ଼ା, ପ୍ଲାଷ୍ଟିକ୍‌ ଜୋତା ଚପଲକୁ ଆଦରିନେଲ! ସୂତା ଲୁଗା ପିନ୍ଧୁଥିଲ, ଏବେ ତ କେଡ଼େ ଢଂଗରେ ଟେରିଲିନ୍‌, ଟେରିକଟ୍‌, ପଲିଷ୍ଟର ଲୁଗାପଟାରେ ଦେହ ସଜେଇ ମନ୍ଦିରରେ ପଶୁଛ, ଠାକୁରଂକୁ ଛୁଉଁଛ? ମାରା ହଉନି? କିରସ୍ତାନୀ, ମୁସଲମାନୀ ଦେଶମାନଂକରୁ ତିଆରି ହେଇ ଆସୁଥିବା କେତେ କେତେ ଚିଜ ବ୍ୟବହାର କରୁଛ! ସେଥିରେ କାଇଁ ଅପବିତ୍ର ତ ହଉନ?
ଲାଜ କେମିତି ଲାଗୁନି?
ରାଷ୍ଟ୍ରପତି ଦେଶର ମୁଖ୍ୟ, ପ୍ରଥମ ନାଗରିକ। ତାଂକୁ କ’ଣ ମନା କରୁଛ? କହୁଛ ତମେ ଦଳିତ, ମନ୍ଦିରରେ ପଶିପାରିବନି?
ତମେ ସବୁ କିଏ?
ସମୟ ଆସିଲାଣି, ନେତା ଜନତା, ଧର୍ମୀ ଅଧର୍ମୀ ଏ କଥା ବିଚାର କରିବା ଦରକାର।
ଜୟ ଜଗନ୍ନାଥ।
ଓଡ଼ିଶା ମାଆର ଜୟ ହେଉ।

କଥାରେ ଅଛି ନେଲାଠାରୁ ହୀନ ନାହିଁ ଦେଲାଠାରୁ ପୁଣ୍ୟ ନାହିଁ।
ଧର୍ମର ଅନ୍ୟ ନାମ ପୁଣ୍ୟ ଅର୍ଜନ।
ପୁରୀ ଓଡ଼ିଶାର ସର୍ବବୃହତ୍ ପୁଣି ସର୍ବଶ୍ରେଷ୍ଠ ଧର୍ମକ୍ଷେତ୍ର, ପୁଣ୍ୟକ୍ଷେତ୍ର। ଧର୍ମ ଅର୍ଜନ ପାଇଁ ଆମେ ପୁରୀ ଯାଉ।
କ’ଣ ଦେଉ, କ’ଣ ନେଉ?
ଦୀପ ଜାଳୁ, ବାନା ବାନ୍ଧୁ, ଭୋଗ ଦେଉ, ଥାଳିରେ ଟଙ୍କେ ମସେ ପକାଉ, ମନ ପାଇଲେ ହୁଣ୍ଡିରେ କିଛି ଗଳେଇ ଦେଉ।
ନେଉ କ’ଣ?
ନେବା ଆଗରୁ ମାଗଣର ତାଲିକା ଦେଉ। ଝିଅ ପାଇଁ ଭଲ ବର, ପୁଅ ଲାଗି ବଡ଼ ଚାକିରି, ପତିଙ୍କର ପଦୋନ୍ନତି, ନିର୍ବାଚନରେ ଜିତାପଟ, ରୋଗରୁ ଆରୋଗ୍ୟଲାଭ, ହଜିଥିଲେ ପ୍ରାପ୍ତି, ଶତ୍ରୁର ବଂଶନାଶ। ତାଲିକାର ଅନ୍ତ ନାହିଁ।
ଦେଉ ଯାହା, ମାଗୁ ବା ନେଉ ତା’ଠାରୁ କାହିଁ କେତେଗୁଣ ଅଧିକ। ଥଳି ଭର୍ତ୍ତିକରି ନେଇଯାଉ ଆଶ୍ୱାସନା।
ଚରମ ଆଶ୍ୱାସନାର ଏ ପରମ ପାବନ କ୍ଷେତ୍ର ଏବେ ମାଗତା, ମାଗିଖିଆ, ହରଣଚାଳିଆ, ଭୋଗବାଦିଆ, କର୍ମକୋଢ଼ିଆଙ୍କ
ଦୌରାତ୍ମ୍ୟରେ ଉବୁଟୁବୁ।
ପ୍ରଭୁ ସୁଦ୍ଧା ସୁରକ୍ଷିତ ନାହାନ୍ତି। ତାଙ୍କ ପେଟ ଭିତରେ ହାତ ପୂରାଇ ଦେଖି ସାରିଲେଣି ସେଠି କ’ଣ ଅଛି। ହରଣଚାଳ ହୋଇଯାଉଛି ରତ୍ନଭଣ୍ଡାର ଚାବି।
ଆଜି ଠାକୁରଙ୍କର ବାହୁଡ଼ା ଯାତ୍ରା।
ପୁରୀଲୋ ତୋ ନିଜକୁ ତୁ ରକ୍ଷାକର।
ବେଳା ବଡ଼ ବିଷମ।

“କାହିଁକି ଛତିଆ ଯିବ ହେ ନାରାୟଣ!”
ଥରେ ଚାନ୍ଦବାଲିରେ ସଞ୍ଜବେଳେ ଅନ୍ଧଟିଏ ଆଜ୍‌ବେଷ୍ଟସ୍‌ର ଦୁଇଖଣ୍ଡକୁ ଦାସକାଠିଆ କରି ଗୀତଟିକୁ ଗାଉଥିଲା। ଆଖିରୁ ଧାର ଧାର ଲୁହ ବୋହିଯାଉଥାଏ।
କି କାନ୍ଦ! କି ମର୍ମବେଦନା!
“ଗୀତ ତ ଗାଉଛ, ଏମିତି କାନ୍ଦୁଛ କାହିଁକି?”
ଉତ୍ତରରେ କୋହ ଉଠାଇ ଅନ୍ଧଟି କହିଥିଲା, “ଆଜ୍ଞା! ପୁରୀ ଛାଡ଼ି ଠାକୁର ଛତିଆ ପଳେଇଯିବେ। ତାଙ୍କ ମନ ଭଲ ନାହିଁ।”
ଜୀବନରେ ପୁରୀ ଯାଇ ନ ଥିବା, ଚର୍ମନେତ୍ରରେ ଜଗନ୍ନାଥଙ୍କୁ ଦର୍ଶନ କରି ନ ଥିବା ଅନ୍ଧ ଭିକାରି ଟି ସେଦିନ ପ୍ରଭୁ ଛତିଆ ପଳେଇବେ ବୋଲି ଆକୁଳ ହୋଇ କାନ୍ଦୁଥିଲା। ବାପା ଯେମିତି ଘର ଛାଡ଼ି ପଳାଉଛନ୍ତି। ଛୋଟପିଲା କାନ୍ଦୁଛି।
କି ଅପୂର୍ବ ସେ ପ୍ରୀତି! କି ଅଭାବନୀୟ ସେ ଭକ୍ତି!
ପୁରୀ କାହିଁ, ଚାନ୍ଦବାଲି କାହିଁ!
ଆଖି ନାହିଁ ଦେଖିବାକୁ।
ଅଥଚ କୋହ ଉଠୁଛି ଏଇଥିପାଇଁ ଯେ ଠାକୁରଙ୍କ ମନ ଭଲ ନାହିଁ।
ସେ ଗୀତ ଆଉ ଶୁଣିବାକୁ ମିଳୁନି।
ଆଜି କ’ଣ କେହି ଆଖିଥିବା ଭକ୍ତ କାନ୍ଦି ଉଠୁଛି ଯେ ଠାକୁରଙ୍କ ମନ ଭଲନାହିଁ? ବ୍ରହ୍ମ ବିଭ୍ରାଟ ଦିନୁ ସେ ଛଟପଟ ହେଉଛନ୍ତି ଆସ୍ଥାନ ଛାଡ଼ି ଚାଲିଯିବା ପାଇଁ?
କିଏ ଅଛ କେଉଁଠି?
ସେ ଅନ୍ଧ ଭାଇର ଭାବନା-ତିଳକ ଟିକେ ମାରିଦିଅ ଓଡ଼ିଆଙ୍କ ମୁଣ୍ଡରେ। ପୁରୀ ପୁରସ୍ତମ ପାଲଟୁ।
ଜୟ ଜଗନ୍ନାଥ, ଜୟ ଜଗତ୍‌ପତି।

ପୁରୀ କଥା ପଡ଼ିଲେ ଆପେ ତୁଣ୍ଡରେ କାହାଣୀଟିଏ କଡ଼ ଲେଉଟାଏ। ଯିଏ ଯାଇଛି ସେ ତ କହେ, ଯିଏ ନ ଯାଇଛି ସେ ବି ପଦେ ଅଧେ ଖସେଇଦିଏ ପାଟିରୁ।
କେତେ ବିଶ୍ବାସ କେତେ ସମାଲୋଚନା।
ଶେଷକୁ ବିଶ୍ବାସ ଜିଣେ।
ଅନୁଗୁଳ ଡେଇଁଲେ କେତେ ଭିତରକୁ ଗାଆଁଟି। ଅପନ୍ତରା।
ଚାଷନିର୍ଭର ବଡ଼ ଅଭାବୀ ଘର। ଜେଜି ବୁଢ଼ୀ, ବାପା ମାଆ, ନାତିଟିଏ। ଯୋଗ ଦେଖ ନାତି କଲେଜ ପଢ଼ା ସାରୁସାରୁ ବଡ଼ ଚାକିରିଟିଏ ପାଇଲା। ଦିନେ ଜେଜେମା ପାଖରେ ସେରନ୍ତା ହଉ ହଉ ସେ ଘୋଷଣା କଲା- ଜେଜିଲୋ! ମୋ ଚାକିରିରେ ଫି ବରଷ ଘରଲୋକଙ୍କୁ ନେଇ ବୁଲି ଯିବାର ସୁବିଧା ଅଛି। ମୁଁ ତତେ ସାରା ଭାରତ ବୁଲେଇ ଦେବି।
ବୁଢ଼ୀ ଦଣ୍ଡେ ଅଟକିଲା। ଶେଷକୁ ନାତି ମୁଣ୍ଡରେ ହାତ ବୁଲେଇ କହିଲା- “ଧନରେ! ଭାରଥ ଦେଖି କି ପାଇବି? ମତେ ଥରୁଟେ ପୁରୀ ନେଇଯା। ସେଠି ଯିଏ ଅଛି ତାକୁ ଦେଖିଲେ ଜଗତ ଦେଖିଲା ପରି। ଜାଣିନୁ ଶିବଙ୍କ ଚାରିପଟେ ଗଣେଶ ବୁଲିବା କଥା!”
ଏତିକି କହି ବୁଢ଼ୀ ହାତ ଲଗେଇଥିଲା ମୁଣ୍ଡରେ। ଆଖି ଜାଙ୍ଗୁଳୁ ଜାଙ୍ଗୁଳୁ। ନିତି ଶୋଇଲା ବେଳେ ସେ ଡାକେ, “ହେ ଜଗନ୍ନାଥେ!”
ନାତି ଜେଜେ ମାଆକୁ ପୁରୀ ନେଇପାରିଲା କି ନାଇଁ ଜଣାନାହିଁ।
ବୁଢ଼ୀ କିନ୍ତୁ ତା’ ପର ବରଷ ଚାଲିଗଲା।
ଏଇଭଳି ପୁରୀର କାହାଣୀ।
ଦେଖି ଯେମିତି ନ ଦେଖି ତା’ ଠାରୁ ଅଧିକ।
ଜୟ ଜଗନ୍ନାଥ, ଜୟ ଜଗତ୍‌ପତି।

ପଚ୍‌!!
ଖଲିପତର, କାଗଜ, ଜରି, ମଇଳା, ପଂକ ସବୁ ଗଦା ହୋଇଥିଲା ସେଠି।
ଗଲା ମୋ ଚପଲ, ଶାଢ଼ି ସବୁ ଗଲା। ଚିଡ଼ି ଉଠିଲେ ଭଦ୍ରମହିଳା।
ପାଟିରୁ ବାହାରିଲା – ଏଇଥିପାଇଁ ମୁଁ ପୁରୀ ଆସେନି। ଅସଭ୍ୟଗୁଡ଼ାକ!
ଶ୍ରୀକ୍ଷେତ୍ରରେ କିଛି ଅଘଟଣ ଘଟିଲେ ପ୍ରଥମେ ମାଡ଼ଖାଏ ପୁରୀ।
ତା’ପରେ ପଣ୍ଡା,ପଢ଼ିଆରି, ସେବାୟତ। ତେଣିକି ପୋଲିସ, ତା ପରେ ସରକାର।
ଲୋକେ ଆପଣାକୁ ଦୋଷଦେବା କେହି କେବେ ଶୁଣିଛନ୍ତି?
ଖାଲି ଶୁଣାଯାଏ ରଥଯାତ୍ରାରେ ଦଶଲକ୍ଷ ଲୋକଙ୍କ ଭିଡ଼।
ସୁନାବେଶ ଦେଖିବାକୁ ଗହଳିରେ ବଡ଼ଦାଣ୍ଡ ଦୁଲୁକିଲା।
ଏ ସନ କାର୍ତ୍ତିକରେ ହବିଷ୍ୟାଳିଙ୍କ ନାହିଁ ନ ଥିବା ସମାବେଶ।
ପୁରୀର କେହି ନୁହନ୍ତି ଏମାନେ। ଯିବା ଆସିବା ଲୋକ।
ଏମାନଙ୍କ ପାଇଁ ପୁରୀ ହେଉଛି ଭକ୍ତି ଓ ଭୋଗର ବଜାର।
ଅଗଣିତ ଜନତା ଆସନ୍ତି ପୁରୀ। ବ୍ୟବହୃତ ସବୁକଥା ଛାଡ଼ିଦେଇ ଯାଆନ୍ତି। ଠୁଙ୍ଗା, ଜରି, କାଗଜ, କୁଡ଼ୁଆ, ଡବା, ଦେହଜ ସର୍ବବିଧ ମଇଳା ଏକାକାର। ମନେ ରଖନ୍ତୁ ଲକ୍ଷ ଲକ୍ଷ ଲୋକ। ସାରାଦିନ। କେବେ କେବେ ଦିନ ରାତି।
କେଉଁ ବେତାଳ ଆସି ସଜାଡ଼ି ଦେବ ରାତିକେ!
ପାପ ଧୋଇ ପୁଣ୍ୟ ଘେନିଗଲାପରି କେଡ଼େ ସୁନ୍ଦର ସବୁ ଝାଡ଼ିଝୁଡ଼ି ଦେଇ ଯାଆନ୍ତି।
ମନ ଡାକୁଛି କହିବାକୁ ତୁମେ ଭକ୍ତ ପରା! ୟେ ପ୍ରଭୁଙ୍କର କ୍ଷେତ୍ର।ନିଜକୁ ଚାହଁ। ନିଜେ ସୃଷ୍ଟି କରିଥିବା ଆବର୍ଜ୍ଜନାର ଦାୟିତ୍ୟ ନିଜେ ନିଅ।
ଦେଖିବ ପୁରୀ କେତେ ନିର୍ମଳ, କେତେ ପରିଷ୍କାର। ଆଁ କରି ଚାହିଁବ ଜଗତ।
ପୁରୀକୁ ଦୋଷ ଦିଅନା।

ପୁରୀ, ସାମନ୍ତ ଚନ୍ଦ୍ରଶେଖର କଲେଜର ଏକ ନମ୍ବର ଛାତ୍ରାବାସରେ ସେତେବେଳେ ଗୋଟେ ପ୍ରତିଯୋଗିତା ହେଉଥିଲା। ଇଟିଂ କମ୍ପିଟିସନ୍‌। ମାନେ ଖାଇବାରେ ଦକ୍ଷତା କଷାକଷି। କିଏ କେତେ ଖାଇପାରିବ! କେଉଁଥର ରୁଟି ତରକାରି ତ କେଉଁଥର କେବଳ ରସଗୋଲା।
କିଏ କେତେ ଖଣ୍ଡ ରୁଟି ବା କେତେଟା ରସଗୋଲା ଖାଇପାରୁଛି!
ସେତେବେଳେ ପେଟ ପୂରାଇ ଖାଇବାକୁ ଅଣ୍ଟୁ ନଥିବା ଛାତ୍ରଙ୍କ ପାଇଁ ଏହା ଥିଲା ଏକ ଉତ୍ସବ।
ଏକ ବିରଳ ହଷ୍ଟେଲସ୍ତରୀୟ ପ୍ରତିଯୋଗିତା।
ପୁରୀରେ ଖାଇବାକୁ ନେଇ ଗୋଟେ ପ୍ରତିଯୋଗିତା କାହିଁକି?
ତା’ର କାରଣ ହେଲା ପୁରୀ ଗୋଟାଏ ଖିଆଳିଆ ଜାଗା। ଲୋକେ ଚିରା ପିନ୍ଧିବେ ପଛକେ ଦିନଯାକର ରୋଜଗାରକୁ ଟେଳେ ଭାଙ୍ଗ ସେରେ ରାବିଡ଼ିରେ ଉଡ଼େଇ ଦେବେ।
ଶ୍ରୀ ମନ୍ଦିରରେ ଯେତେ ପ୍ରକାରର ପିଠା,ମିଠା ଓ ଭୋଜନ ସାମଗ୍ରୀ ମିଳେ ତାହା ପୂରା ଦୁନିଆରେ ବିରଳ। ଅତଏବ ଖାଇବା ପ୍ରତିଯୋଗିତାଟା ପୁରୀକୁ ଫାବେ।
ହେଲେ ଆଜି ସାରା ପୁରୀ ବୁଲିଗଲେ ଭଲ ପରିଷ୍କାର ପରିଚ୍ଛନ୍ନ ଖାଇବା ଦୋକାନଟିଏ କେଉଁଠି ନାହିଁ। ସାଧାରଣ ଲୋକଟିଏ କ’ଣ ଯାଇ ବଡ଼ ହୋଟେଲରେ ଖାଇବ ନା ଖାଇପାରିବ ? ସ୍ବାସ୍ଥ୍ୟକୁ ଜଗି ଆନନ୍ଦରେ ଖାଇବା ପାଇଁ ଜାଗାମାନ ଲୋଡ଼ା।
ହୋଟେଲ ଶିଳ୍ପ ବଢ଼ୁଛି।
ଆନନ୍ଦବଜାର ମନ୍ଦିର ବାହାରେ ତା’ର ସ୍ବରୂପ ଖୋଜୁଛି।
କେବଳ ହୋଟେଲ ଯଥେଷ୍ଟ ନୁହେଁ ମାହାର୍ଜେ କାଚ ମାର୍ଗେ ଖାଇବା ହାଟ ଦରକାର।
ପୁରୀ ଯିବ ଭଲ ଖାଇବାକୁ ମିଳିବନି ଇଏ କେମିତିକା କଥା!!

ଶ୍ରୀଜଗନ୍ନାଥ କ୍ଷେତ୍ର ପୁରୀ ଏକ ସହର ମାତ୍ର ନୁହେଁ ଅତୀତ ଓଡ଼ିଶାର ଗୋଟାଏ ଅଣପୋତା ତାମ୍ର ଚିତ୍ରପଟ। ଜୀବନ୍ତ।
ଗୋଟାଏ ଜାତି ବା ମଣିଷ ଗୋଷ୍ଠୀକୁ ଚିହ୍ନିବାପାଇଁ ହେଲେ ତା’ର ଖାଦ୍ୟ, ପୋଷାକ, ଭାଷା ଓ ଚାଲିଚଳନକୁ ଅନୁଧ୍ୟାନ କରିବା ଦରକାର। ଲିଖିତ ଇତିହାସ ଥିଲେ ତ ଭଲକଥା, ଯଦି ନାହିଁ?
ଅନୁଷ୍ଠାନ ଗଢ଼ାହୁଏ, ସମୟକ୍ରମେ ସେ ହଜେ। ମଣିଷମାନେ ବି ମରି ହଜି ଯାଆନ୍ତି। ଦୁର୍ଗ, ପ୍ରାସାଦ,ମନ୍ଦିର ମାଟିରେ ମିଶିଯାଏ। ହେଲେ ଯାହାଥାଏ ତାହା ଅତୀତର କଥା କହେ।
ଭିତରେଇ ଦେଖିଲେ ଶ୍ରୀଜଗନ୍ନାଥ ବୋଧହୁଏ ଏ ଭଳି ଏକ ଦର୍ଶନ, ସଂସ୍କୃତି ଓ ଅନୁଷ୍ଠାନ ଯାହାଙ୍କ ମାଧ୍ୟମରେ ଓଡ଼ିଆ ଜାତିର ଅତୀତକୁ ଚିହ୍ନି ହେବ।
ଯେଉଁ ଜାତିର ଆରାଧ୍ୟ ଠାକୁର ବାରମାସେ ତେର ପର୍ବରେ ବିଳସିତ ହୁଏ, ମହାର୍ଘ ଆୟ ଅଳଙ୍କାରରେ ବିମଣ୍ଡିତ ହୁଏ, ଛତିଶା ନିଯୋଗରେ ରାଜପଣ କରେ, ମାନବଦୁର୍ଲଭ ଖାଦ୍ୟପେୟର ନୈବେଦ୍ୟ ଗ୍ରହଣ କରେ ସେ ଜାତି ଦରିଦ୍ର ଥାଇ କ’ଣ ଏ ସବୁ କେବେ କରିପାରିଥିବ? ଶ୍ରୀମନ୍ଦିରର ରୀତିନୀତି କ’ଣ କହୁଛି ଏ ଜାତି ଅଭାବରେ ଥିଲା?
ଜଣେ ଧନୀ ନ ହେଲେ ତା ଅଗଣାରେ ଧନ-ଝଲକର ଚନ୍ଦ୍ରାତପ ଝିଲିମିଲି ହେବ କେମିତି?
ଶ୍ରୀ ଜଗନ୍ନାଥ ଓଡ଼ିଆ ଜୀବନର ପ୍ରତୀକ।
ତାଙ୍କରି ମାଧ୍ୟମରେ ଓଡ଼ିଆଜାତି ନିତିପ୍ରତି ତା’ର ଅତୀତ ଐଶ୍ୱର୍ଯ୍ୟ ଅନୁଭବ କରେ।
ହେଲେ ଏବର ଓଡ଼ିଆ କହୁଛି ସେ ଚିର ଦରିଦ୍ର।
ଓଡ଼ିଆମାନେ କେବେଠାରୁ ଦରିଦ୍ର ହେଲେ?
କେବେଠାରୁ ବିକଳାଙ୍ଗ ହେଲା ପୁରୀ?
୧୯୨୧ରେ ପୁରୀ ଅଂଚଳ ବୁଲି ଗାଂଧୀଜି କହିଥିଲେ “ମୁଁ ଦାରିଦ୍ର୍ୟ ଦେଖିଛି ହେଲେ ଉତ୍କଳର ଏ ଦାରିଦ୍ର୍ୟ ଭଳି ନଗ୍ନ ଦାରିଦ୍ର୍ୟ କେଉଁଠି ଦେଖିନାହିଁ।”
କିଏ ଏମିତି କଲା ପୁରୀକୁ? ଉତ୍କଳକୁ? ଓଡ଼ିଶାକୁ?

୧୦

ଐଶ୍ୱର୍ଯ୍ୟର ଅନ୍ୟନାମ ପୁରୀ।
ଭାକ୍ତିକ ଐଶ୍ୱର୍ଯ୍ୟ ପୁଣି ପରିଚୟଗତ ଐଶ୍ୱର୍ଯ୍ୟ।
ଭକ୍ତିର ଆଧାର ଏତେ ବ୍ୟାପକ ଯେ ବିପଦରେ ପଡ଼ିଲେ କେତେ କିଏ ଧାଇଁ ଆସନ୍ତି କେତେ ଦୂରଦୂରାନ୍ତରୁ। ରାଜା ଧାଏଁ ପ୍ରଜା ଧାଏଁ। ନେତା ଦଉଡ଼େ, ଜନତା ବି ଦଉଡ଼େ।
ବିପଦରେ ପଡ଼ିଲେ ଜଗନ୍ନାଥ ଦିଶନ୍ତି, ପୁରୀ ଦିଶେ। ସୁନୀଲ୍‌ ଦତ୍ତ ଓ ଅମିତାଭ ବଚ୍ଚନଙ୍କ ଭଳି ମିଛ ଦୁନିଆର ନାୟକମାନେ ବି ଆସି ରତ୍ନ ବେଦୀ ତଳେ ମଥା ପାତନ୍ତି।
ଓଡ଼ିଆମାନଙ୍କ ପାଇଁ ଏ ଯେମିତି ଚରମ ଭକ୍ତିର କ୍ଷେତ୍ର ସେମିତି ବି ବିସ୍ଫାରିତ ଏକ ବ୍ୟାପକ ପରିଚୟର କ୍ଷେତ୍ର। ବାହାରକୁ ଗଲେ ଓଡ଼ିଆ କହେ ମୁଁ ଜଗନ୍ନାଥ ଧାମରୁ ଆସିଛି।
ଏବର କଥା ଅଲଗା। ସେତେବେଳେ ତ ରାଜା ଓ ରାଜପଣର ବଡ଼କଥା ଥିଲା ଆହରଣ ଅଥବା ଅପହରଣ। ସେଇ ଥିଲା ଜିତାପଟ। ଏକସ୍‌ପାଣ୍ଡ୍‌ ଅର ପେରିସ୍‌। ବିସ୍ତାର କର ନ ହେଲେ ବିଲୀନ ହୋଇଯାଅ। ସେଇଥିପାଇଁ ଓଡ଼ିଆ ଏବେ ବି ଗଂଗା ଠାରୁ ଗୋଦାବରୀ କହି ଆତ୍ମପ୍ରସାଦ ଲାଭ କରେ।
ସେଇ ଜିତାପଟ ଓ ଅପହରଣ ବାଟେ ଯେଉଁ ମାଢ଼ ମାଢ଼ ସୁନା ଆସିଥିଲା ସେ ସବୁ ନେଇ ଓଡ଼ିଆ ଜାତି ବିମଣ୍ଡିତ କରିଥିଲା ଜଗନ୍ନାଥଙ୍କୁ। ସେଇ ସୁନାବେଶ। ଓଡ଼ିଆ ଐଶ୍ୱର୍ଯ୍ୟର ଜଗନ୍ନାଥୀୟ ଆଲିମ୍ପନ ଏ ବେଶପଟା। ଦିନେ ଓଡ଼ିଆ ଜିଣୁଥିଲା ଏବଂ ତାହା ପ୍ରତିଭାତ ହେଉଥିଲା ଜଗନ୍ନାଥଙ୍କ ପାଖରେ।
ଆଜି ଓଡ଼ିଆ କ’ଣ ଜିଣୁଛି? କାହିଁ ସେ ଜିତାପଟ?
ଆଜି ଓଡ଼ିଆ କେଉଁ ଐଶ୍ୱର୍ଯ୍ୟରେ ବିମଣ୍ଡିତ କରୁଛି ଜଗନ୍ନାଥଙ୍କୁ?
ଶ୍ରୀକ୍ଷେତ୍ର ପୁରୀକୁ?

Comments are closed.