Odisha Link
Bridging the Missing Links in Odisha

ପୌର ନିର୍ବାଚନ ପୂର୍ବରୁ ଘର ସଜାଡ଼ିିଲେ ନବୀନ

ଭୁବନେଶ୍ବର: ଆଗକୁ ରାଜ୍ୟରେ ହେବାକୁ ଯାଉଛି ପୌର ନିର୍ବାଚନ। ଏଥି ସହିତ ପୌର ନିର୍ବାଚନର ପୂର୍ବରୁ ରାଜ୍ୟରେ ହେବ ଛାତ୍ର ସଂସଦ ନିର୍ବାଚନ। ଏସବୁକୁ ନଜରରେ ରଖି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଆରମ୍ଭ କରିଛନ୍ତି ଗୋଟି ଚାଳନା। ପୌର ନିର୍ବାଚନ ଓ ଛାତ୍ର ସଂସଦ ନିର୍ବାଚନକୁ ଦୃଷ୍ଟିରେ ରଖି ନବୀନ ଟିକେଟ ପାଇ ନଥିବା ଆଶାୟୀ ନେତା ଏବଂ ଛାତ୍ର ନେତା ମାନଙ୍କୁ ଖୁସି କରିବା ପାଇଁ ଆରମ୍ଭ କରିଛନ୍ତି ଅଙ୍କକଷା।
ଅସନ୍ତୁଷ୍ଟ ଆଶାୟୀଙ୍କୁ ଥଇଥାନ:
ଦୁଇଟି ପର୍ଯ୍ୟାୟରେ ବିଜେଡି ଜଣେ ବିଶେଷଜ୍ଞଙ୍କ ସମେତ ମୋଟ ୪୭ଜଣ ରାଜନୀତିକଙ୍କୁ ବିଭିନ୍ନ ସରକାରୀ ପଦପଦବୀରେ ଥଇଥାନ କରିଛି। ଗତ ସପ୍ତାହରେ ପ୍ରଥମ ପର୍ଯ୍ୟାୟରେ ମନ୍ତ୍ରୀ ଆଶାୟୀ ଥିବା ୧୨ଜଣ ବିଧାୟକଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ସହ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପଦରେ ଥଇଥାନ କରିଥିଲେ। ଗତକାଲି ଆଉ ୩୫ଜଣଙ୍କୁ ବିଭିନ୍ନ ନିଗମ ଓ ବୋର୍ଡର ଅଧ୍ୟକ୍ଷ ତଥା ବିଭାଗର ଉପଦେଷ୍ଟା ଭାବେ ଅବସ୍ଥାପିତ କରାଯାଇଛି। ଦୀର୍ଘଦିନ ଧରି ଏହି ନେତାମାନଙ୍କୁ ଥଇଥାନ ପାଇଁ ଚାପ ପଡ଼ୁଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ଗତକାଲି ପ୍ରକାଶିତ ତାଲିକାରେ ୧୦ଟି ନୂଆ ଉପଦେଷ୍ଟା ପଦବୀ ସୃଷ୍ଟି କରାଯାଇ ଦଳୀୟ ନେତାଙ୍କୁ ଥଇଥାନ କରାଯାଇଛି।
ଥଇଥାନରେ ଯୁବ ନେତାଙ୍କୁ ପ୍ରାଧାନ୍ୟ:
ରାଜନୀତିକ ବାଧ୍ୟବାଧକତା ଦୃଷ୍ଟିରୁ ଦଳର ବରିଷ୍ଠ ନେତା ସୁବାସ ସିଂ, ପ୍ରିୟଦର୍ଶୀ ମିଶ୍ର, ରାମଚନ୍ଦ୍ର ପଣ୍ଡା, ବିଜୟ କୁମାର ନାୟକ, ପ୍ରଭାତ ଆଦିତ୍ୟ ମିଶ୍ର, ଈଶ୍ୱର ପାଣିଗ୍ରାହୀ, କୃତିବାସ ପାତ୍ର, ବିନୟ ଟପ୍ପୋ, ଜନ୍ମେଜୟ ଲେଙ୍କା, ଉତ୍କଳ କେଶରୀ ପରିଡ଼ାଙ୍କୁ ଥଇଥାନ କରାଯାଇଛି। ଏଥି ସହିତ ଥଇଥାନରେ ଯୁବ ନେତାଙ୍କୁ ମଧ୍ୟ ଅଧିକ ଶ୍ରେୟ ଦିଆଯାଇଛି। ଦଳୀୟ ଟିକେଟ୍ ଆଶାୟୀ ଥିବା ବରିଷ୍ଠ ନେତା ଯୁଗଳ କିଶୋର ପଟ୍ଟନାୟକଙ୍କ ପୁଅ ଅସିତ୍ ପଟ୍ଟନାୟକ ସମେତ ବିଜେଡ଼ି ଛାତ୍ର ଉପଦେଷ୍ଟା ଚିନ୍ମୟ ସାହୁ, ଖଣ୍ଡପଡ଼ାର ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ, ଦିଲ୍ଲୀପ ତିର୍କୀ, ଅନୁପ ସାଏ, ସୁଜିତ୍ କୁମାର, ଲେନିନ ମହାନ୍ତି, ଯୁବ ବିଜେଡି ସଭାପତି ଅମ୍ରେଶ ପତ୍ରୀ, ପୂର୍ବତନ ବିଧାୟକ ମାନସ ମାଡକାମୀ, ଅମରେନ୍ଦ୍ର ଦାସ, ସୁଧୀର ଦାସ, ସଂଗ୍ରାମ କେଶରୀ ପାଇକରାୟ, ସତ୍ୟବ୍ରତ ତ୍ରିପାଠୀ, ଅନୁଗୁଳର ଲୁଲୁ ଅମାତ୍ ପ୍ରମୁଖ ମଧ୍ୟ ଏଥର ଥଇଥାନ ତାଲିକାରେ ସ୍ଥାନ ପାଇଛନ୍ତି।

ପରାଜିତ ହେଭିଓ୍ବେଟଙ୍କୁ ଅଣଦେଖା:
ଗତକାଲି ନବୀନଙ୍କ ଅନୁମୋଦନରେ ୩୫ ଜଣ ନେତାଙ୍କୁ ଥଇଥାନ ହୋଇଛନ୍ତି। ହେଲେ ସାଧାରଣ ନିର୍ବାଚନରେ ପରାଜିତ ହୋଇଥିବା ଜଣେ ବି ଦଳୀୟ ନେତାଙ୍କୁ ଏହି ଦୁଇଟି ପର୍ଯ୍ୟାୟରେ ଥଇଥାନ କରିବାକୁ ଦଳ ତତ୍ପରତା ଦେଖାଇ ନାହିଁ। ଯାହାକୁ ନେଇ ଦଳର ପରାଜିତ ନେତାମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ତେବେ ତାଲିକାରେ ଦଳର ପରାଜିତ ହେଭିୱେଟ୍ ନେତା ଯଥା ସଞ୍ଜୟ ଦାସବର୍ମା, ଦେବାଶିଷ ସାମନ୍ତରାୟ, ରବି ନାରାୟଣ ନନ୍ଦ, ରବୀନ୍ଦ୍ର ଜେନା ଓ ମହେଶ୍ୱର ମହାନ୍ତି ପ୍ରମୁଖଙ୍କୁ ସାମିଲ କରାଯାଇ ନାହିଁ। ଏହି ନେତାମାନଙ୍କୁ ଖୁବଶୀଘ୍ର ରାଜ୍ୟସ୍ତରୀୟ ନୂଆ ପଦପଦବୀ ସୃଷ୍ଟି କରି ଥଇଥାନ କରାଯିବ ବୋଲି ଚର୍ଚ୍ଚା ହେଉଛି।

Comments are closed.