Odisha Link
Bridging the Missing Links in Odisha

ପାସେଞ୍ଜର ଟ୍ରେନ୍‌ ଭାବି ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଚଢ଼ିଗଲେ ଦୁଇ ଭଉଣୀ, ଆଉ ତାପରେ…..

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ଦେଖିବାକୁ ମଳିଛି ଏକ ହୃଦୟବିଦାରକ ଘଟଣା। ଟ୍ରେନରୁ ଡେଇଁପଡ଼ିଲେ ୨ଭଉଣୀ। କାରଣ ଜାଣିଲେ ଆପଣ ମଧ୍ୟ ହେବେ ଆଶ୍ଚର୍ଯ୍ୟ। ପାସେଞ୍ଜର ଟ୍ରେନ୍‌ ଭାବି ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଚଢ଼ିଗଲେ ଦୁଇ ଭଉଣୀ। ଆଉ ପରେ ଜାଣିବାକୁ ପାଇଲେ, ସେମାନେ ଚଢ଼ିଥିବା ଟ୍ରେନ୍‌ଟି ପାସେଞ୍ଜର ନୁହେଁ ଏକ୍ସପ୍ରେସ୍‌ ଟ୍ରେନ୍‌। ଶେଷରେ କିଛି ଉପାୟ ନପାଇ ଦୁଇ ଭଉଣୀ ଟ୍ରେନ୍‌ରୁ ଡେଇଁ ପଡ଼ିଥିଲେ। ଫଳରେ ସାନ ଭଉଣୀ ଆଗରେ ଚାଲିଗଲା ବଡ଼ ଭଉଣୀଙ୍କ ଜୀବନ।

ଜାଣନ୍ତୁ ପୁରା ଘଟଣା:
ବରଗଡ଼ ଜିଲ୍ଲାର ଚିଖିଲି ଅଞ୍ଚଳ ବାପା-ମାଆ ଛେଉଣ୍ଡ ସୁବାସିନୀ ମହାନନ୍ଦିଆ ହେମଗିରି କନିକାଠାରେ ମାମୁ ଘରେ ରହି କନିକା ସେବାଶ୍ରମରେ ନବମ ଶ୍ରେଣୀରେ ପାଠ ପଢ଼ନ୍ତି। ସ୍କୁଲ ଛୁଟି ଥିବାରୁ ସେ ତାଙ୍କ ବଡ଼ ଭଉଣୀ ବିଦେଶିନୀ ମହାନନ୍ଦିଆଙ୍କ ଶାଶୁ ଘର ଛତିଶଗଡ଼ ରାଇଗଡ଼କୁ ବୁଲିବା ପାଇଁ ଯାଇଥିଲେ। ବିଦେଶିନୀ ତାଙ୍କ ଭଉଣୀ ସୁବାସିନୀଙ୍କୁ ସ୍କୁଲରେ ଛାଡ଼ିବା ପାଇଁ ଷ୍ଟେସନ୍‌ରେ ପହଞ୍ଚି ଥିଲେ। ଠିକ୍‌ ସେତିକି ବେଳେ ପ୍ଲାଟ୍‌ଫର୍ମରେ ସାଉଥ୍‌ ବିହାର ଏକ୍ସପ୍ରେସ ଟ୍ରେନ୍‌ ଛିଡ଼ା ହୋଇଥିଲା। ପାସେଞ୍ଜର ଟ୍ରେନ୍‌ ଭାବି ଦୁଇ ଭଉଣୀ ସେହି ଟ୍ରେନ୍‌ରେ ଚଢ଼ି ଯାଇଥିଲେ। ତେବେ ଟ୍ରେନ୍‌ଟି ହେମଗିରି ରେଳ ଷ୍ଟେସନରେ ନଅଟକିବାରୁ ଦୁଇ ଭଉଣୀ ବ୍ୟାଗପତ୍ର ଧରି ଡେଇଁ ପଡ଼ିଥିଲେ। ଫଳରେ ଦୁଇ ଭଉଣୀ ଗୁରୁତର ଆହତ ହୋଇଥିଲେ।

ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ହେମଗିରି ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ବଡ଼ ଭଉଣୀ ବିଦେଶିନୀକୁ ଡାକ୍ତର ମୃତ ଘୋଷଣା କରିଥିଲେ। ସାନ ସୁବାସିନୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ସୁନ୍ଦରଗଡ଼ ସ୍ଥାନାନ୍ତରିତ କରାଯାଇଛି। ଏବେବି ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି।

Comments are closed.