Odisha Link
Bridging the Missing Links in Odisha

ପାକିସ୍ତାନ ଯିବାକୁ ମନାକଲେ ଖେଳାଳି, କାହିଁକି ଜାଣନ୍ତୁ

ନୂଆଦିଲ୍ଲୀ: ପାକିସ୍ତାନକୁ ମଳିଛି ଆଉ ଏକ ବଡ଼ ଝଟକା। ଏଥର କିନ୍ତୁ ଝଟକା ଦେଇଛି ଶ୍ରୀଲଙ୍କା ଟିମ୍। ସେପ୍ଟେମ୍ବର ୨୭ରେ ଶ୍ରୀଲଙ୍କା-ପାକିସ୍ତାନ ମଧ୍ୟରେ ହେବାକୁ ଯାଉଛି ଟି-୨୦ସିରିଜ। ଏହି ଟି-୨୦ ସିରିଜ ପାକିସ୍ତାନରେ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ତେବେ ଏହାରି ମଧ୍ୟରେ ସୋମବାର ଶ୍ରୀଲଙ୍କା କ୍ରିକେଟ୍‌ ଟିମ୍‌ର ପ୍ରମୁଖ ୧୦ଜଣ ଖେଳାଳୀ ପାକିସ୍ତାନ ଯିବାକୁ ମନା କରି ଦେଇଛନ୍ତି। ଏହି ୧୦ ଜଣଙ୍କ ମଧ୍ୟରେ ସାମିଲ ରହିଛନ୍ତି ଟିମ୍‌ ଶ୍ରୀଲଙ୍କାର ଅଧିନାୟକ ଲସିଥ ମାଲିଙ୍ଗା ଓ ଆଞ୍ଜେଲୋ ମାଥ୍ୟୁସ୍। ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ଖେଳାଳିମାନେ ପାକିସ୍ତାନ ଯିବାକୁ ମନା କରି ଦେଇଥିବା ସୂଚନା ମିଳିଛି।

ଆତଙ୍କବାଦକୁ ନେଇ ସାରା ବିଶ୍ବରେ ଚର୍ଚ୍ଚାରେ ପାକିସ୍ତାନ। ପାକିସ୍ତାନ ସରକାର ଆତଙ୍କବାଦକୁ ପୋତ୍ସାହନ ଦେଉଥିବା ଖବର ଏବେ ସାରା ବିଶ୍ବବାସୀଙ୍କୁ ଜଣା। ଏହା ପୂର୍ବରୁ ମଧ୍ୟ ଶ୍ରୀଲଙ୍କା ଟିମ୍‌କୁ ପାକିସ୍ତାନରେ ଆକ୍ରମଣ କରାଯାଇଛି। ୨୦୦୯ ମସିହାରେ ପାକିସ୍ତାନ ଗସ୍ତରେ ଥିବା ଶ୍ରୀଲଙ୍କା କ୍ରିକେଟ୍ ଟିମର ବସ୍ ଉପରକୁ ଆତଙ୍କବାଦୀ ଆକ୍ରମଣ କରିଥିଲେ। ଏହି ଆତଙ୍କି ଆକ୍ରମଣରେ କିଛି ଖେଳାଳୀ ଆହତ ମଧ୍ୟ ହୋଇଥିବା ଖବର ଆସିଥିଲା। ଏଭଳି ପରିସ୍ଥିତିରେ ଟିମ୍‌ର ଖେଳାଳିଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠୁଥିବା କାରଣରୁ ଦଳର ପ୍ରମୁଖ ୧୦ ଖେଳାଳି ଏଭଳି ନିଷ୍ପତ୍ତି ନେଇଛନ୍ତି।

ପାକିସ୍ତାନ ଯିବାକୁ ମନା କରୁଥିବା ୧୦ଜଣ ଖେଳାଳି ହେଲେ ଅଧିନାୟକ ଲସିଥ୍ ମାଲିଙ୍ଗା, ଆଞ୍ଜେଲୋ ମାଥ୍ୟୁସ, ନିରୋସେନ୍ ଡିକଓ୍ଵାଲେ, ଲୁସଲ ପେରେରା, ଧନଞ୍ଜୟ ଡି ସିଲଭା, ତିସାରା ପେରେରା, ଅକିଲା ଧନଞ୍ଜୟ, ସୁରଙ୍ଗା ଲାକମଲ, ଦିନେଶ ଚାନ୍ଦିମାଲ ଓ ଦିମୁଥ କରୁଣାରତ୍ନେ।

Comments are closed.