Odisha Link
Bridging the Missing Links in Odisha

ଅକ୍ଟୋବର ୨୦ରୁ ୨ୟ କୋରାପୁଟ ସାହିତ୍ୟ ଉତ୍ସବ, ଉଦ୍‌ଯାପନୀ ଉତ୍ସବରେ ଯୋଗଦେବେ ରାଜ୍ୟପାଳ ଓ ସଂସ୍କୃତି ମନ୍ତ୍ରୀ

କୋରାପୁଟ: ରାଜ୍ୟର ଜଣାଶୁଣା ଗଣମାଧ୍ୟମ ଓ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ଚଳିତ ମାସ ୨୦ ତାରିଖରୁ ଆରମ୍ଭ ହେଉଛି ଦ୍ବିତୀୟ କୋରାପୁଟ ସାହିତ୍ୟ ଉତ୍ସବ। ଦୁଇଦିନ ଧରି ହେବାକୁ ଥିବା ଉତ୍ସବର ଉଦ୍‌ଘାଟନୀ ସମାରୋହ କୋରାପୁଟ ସହର ଠାରୁ ୨୨ କିଲୋମିଟର ଦୂର ବ୍ରାଉନ୍‌ ଭାଲି କଫି ଇଷ୍ଟେଟ୍‌ର ପ୍ରାକୃତିକ ପରିବେଶରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଉଦ୍ଯାପନୀ ଉତ୍ସବ କୋରାପୁଟ ସ୍ଥିତ ଜନଜାତି ସଂଗ୍ରହାଳୟରେ ଅନୁଷ୍ଠିତ ହେବ। ଜମ୍ମୁ ଓ କଶ୍ମୀରରୁ ଅସୁଥିବା ବରିଷ୍ଠ ଡୋଗ୍ରୀ ଲେଖକ ପ୍ରଫେସର ଲଳିତ ମଙ୍ଗୋତ୍ରା ଉତ୍ସବକୁ ଉଦ୍‌ଘାଟନ କରିବାକୁ ଥିବା ବେଳେ କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ର ଅତିଥି ଭାବେ ଯୋଗଦେବେ। ସେହିପରି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ସଂସ୍କୃତି-ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଉଦ୍‌ଯାପନୀ ସମାରୋହରେ ଅତିଥି ଭାବେ ଯୋଗଦେବେ। ଏହା ଭିନ୍ନ ଦୁଇ ଦିନ ବ୍ୟାପୀ ଏହି ଜାତୀୟ ଉତ୍ସବର ୧୫ଟି ଅଧିବେଶନରେ ୬୦ରୁ ଅଧିକ ବକ୍ତା ଓ ୪୦ରୁ ଅଧିକ କବି ଯୋଗଦେବାକୁ ଥିବା ବେଳେ ଓଡ଼ିଶା ତଥା ଓଡ଼ିଶା ବାହାରୁ ୩୦୦ରୁ ଅଧିକ ବ୍ୟକ୍ତି ଏହି ଉତ୍ସବରେ ଯୋଗଦେବାକୁ କୋରାପୁଟ ଆସୁଛନ୍ତି।

ଉଦ୍‌ଯାପନୀ ସମାରୋହରେ ବିଶିଷ୍ଟ କଥାକାର ଡ.ଗୌରହରି ଦାସ ଓ କବି ବିିପିନ୍ ନାୟକଙ୍କୁ ୨ୟ କୋରାପୁଟ ସାହିତ୍ୟ ସମ୍ମାନ ପ୍ରଦାନ କରାଯିବ ବୋଲି ଆୟୋଜକ ଓଡ଼ିଆ ମିଡିଆର ନିର୍ଦ୍ଦେଶକ ତଥା କଥାଶିଳ୍ପୀ ଶୁଭ୍ରାଂଶୁ ପଣ୍ଡା ସୂଚନା ଦେଇଛନ୍ତି। ଉଭୟ ପ୍ରାପକଙ୍କୁ ମାନପତ୍ର, ସମ୍ମାନ ଫଳକ ସହ ୨୧ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ। ଏତଦ୍‌ଭିନ୍ନ ଅବିଭକ୍ତ କୋରାପୁଟ ଜିଲ୍ଲାର ୧୦ ଜଣ ପ୍ରସିଦ୍ଧ ଓ ପ୍ରତିଭାଧର ବ୍ୟକ୍ତିଙ୍କୁ ମଧ୍ୟ

ଏହି ଅବସରରେ ସମ୍ବର୍ଦ୍ଧନା ପ୍ରଦାନ କରାଯିବ। ଏମାନଙ୍କ ଭିତରେ ସଫଳ କୃଷି ଉଦ୍ୟୋଗୀ ସୁଜୟ ପ୍ରଧାନ, ଜୟପୁରର ବନ୍ୟପ୍ରାଣୀ ଉଦ୍ଧାରକ ସଂସ୍ଥା ଓ୍ବାର ଟିମ୍, ସହକାରୀ ଜିଲ୍ଲାପାଳ ଆଲୋକ କୁମାର ଅନୁଗୁଳିଆ, ଲେଖକ ସତ୍ୟନାରାୟଣ ଗନ୍ତାୟତ, ଜୟପୁରର ସାରସତ୍ବ ସଂଗଠକ ଚନ୍ଦ୍ରକାନ୍ତ ବିଶ୍ବାଳ, ନାଟ୍ୟ ବ୍ୟକ୍ତିତ୍ବ ଅଶୋକ କର, ଯୁବ ବ୍ୟବସାୟୀ ଅକ୍ଷୟ କୂମାର ପାତ୍ର, ବିଶିଷ୍ଟ ଲେଖକ ଜଳଧର ସ୍ବାଇଁ, ସାମ୍ବାଦିକ ସାନ୍ତାକାର ଚେଲାପିଲା ଓ ସାମଜିକ କର୍ମୀ ସଂଜୀତ ପଟ୍ଟନାୟକ ରହିଛନ୍ତି।

କୋରାପୁଟ ସାହିତ୍ୟ ଉତ୍ସବରେ ମୋଟ ୧୫ଟି ଅଧିବେଶନ ରହିଛି। ଉଦଘାଟନୀ ଉତ୍ସବ ଦିନ ୩ଟି ଅଧିବେଶନ ରହିଥିବା ବେଳେ ଦ୍ବିତୀୟ ଦିନ ୧୨ଟି ଅଧିବେଶନ ଅନୁଷ୍ଠିତ ହେବ। ଦ୍ବିତୀୟ ଦିନର ପ୍ରଥମ ଅଧିବେଶନରେ ‘କୋରାପୁଟ ଓ ବିକାଶ’ ଶୀର୍ଷକ ପ୍ରସଙ୍ଗରେ ଏକ ବିତର୍କ ଆୟୋଜନ କରାଯାଇଛି। ଏଥିରେ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ, କଂଗ୍ରେସ ନେତା ପ୍ରଦୀପ ମାଝୀ, ବିଜେପି ନେତା ଭୃଗୁ ବକ୍ସିପାତ୍ର, ଅବସରପ୍ରାପ୍ତ ପ୍ରଶାସକ ଗଦାଧର ପରିଡ଼ା, ନୀତିସ୍ଥାପକ ଚାରୁଦତ୍ତ ପାଣିଗ୍ରାହୀ ଓ ସାମାଜିକ କର୍ମୀ ଉମି ଡାନିଏଲ୍ ପ୍ରମୁଖ ଭାଗ ନେବେ। ଏହି ବିତର୍କ ପରିଚାଳନା କରିବେ ବରିଷ୍ଠ ସାମ୍ବାଦିକ ସନ୍ଦୀପ ସାହୁ। ଏହି ଅଧିବେଶନରେ କୋରାପୁଟର ବିକାଶ, ସମସ୍ୟା ଓ ସମାଧାନ ଉପରେ ଚର୍ଚ୍ଚା ହେବ।

‘ପ୍ରକୃତି ଓ ସୃଜନ’ ଶୀର୍ଷକ ଅନ୍ୟ ଏକ ଅଧିବେଶନରେ କୋରାପୁଟର ବିଧାୟକ ରଘୁରାମ ପଡ଼ାଲ, ପ୍ରଫେସର ବିକ୍ରମ କୁମାର ଦାସ, ଦାଶ ବେନହୁର, ନାରାୟଣ ପଣ୍ଡା, ସୁନିତା ଶତପଥୀ ଓ ପ୍ରସିଦ୍ଧ ମାଲାୟଲମ ଲେଖକ ଭି.ମୁଜାଫର ଅହମ୍ମଦ ଯୋଗଦେବେ। ଏହାକୁ ପରିଚାଳନା କରିବେ ନେତାଜୀ ଅଭିନନ୍ଦନ। ଦୁଇଦିନ ବ୍ୟାପୀ ବିଭିନ୍ନ ଅଧିବେଶନରେ ଗୌରହରି ଦାସ, କବି ବିପିନ ନାୟକ, ଶକ୍ତି ମହାନ୍ତି, ପ୍ରୀତିଧାରା ସାମଲ, ଦେବଦତ୍ତ ପତି, ଗିରିଶ ରଞ୍ଜନ, କୁଳାଙ୍ଗାର ବ୍ୟଙ୍ଗକବି, ନରେନ୍ଦ୍ର ଭୋଇ, ସୁରେନ୍ଦ୍ର ପାଣିଗ୍ରାହୀ, ଶୁଭଶ୍ରୀ ଲେଙ୍କା, କନକ ମଞ୍ଜରୀ ସାହୁ, ଅଗ୍ନିବେଶ ମହାପାତ୍ର, ଗାୟତ୍ରୀ ମାଭୁରୁ, ଆଦିତ୍ୟଶ୍ବେର ମିଶ୍ର, ଅଜୟ ସ୍ବାଇଁ, ଅମରେଶ ବିଶ୍ବାଳ, ହାଡ଼ିବନ୍ଧୁ ମହାଖୁଡ଼, ସଂଯୁକ୍ତା ମହାପାତ୍ର, ଅମୀୟ ରଞ୍ଜନ ମହାପାତ୍ର, ବିରଜା ବଳ, ଦୀପକ ସାମନ୍ତରାୟ, ପ୍ରଦୀପ ବିଶ୍ବାଳ, ରକ୍ଷକ ନାୟକ, ଶରତ ଆଚାର୍ଯ୍ୟ, ଜ୍ଞାନ ହୋତା, ରମାକାନ୍ତ ମିଶ୍ର, ପଦ୍ମଶ୍ରୀ କମଳା ପୁଜାରୀ, ସୁମନୀ ଝୋଡ଼ିଆ ପ୍ରମୁଖ ଯୋଗଦେବେ। ଏ ଅବସରରେ କୋଟପାଡ଼ ଶାଢ଼ୀକୁ ନେଇ ବହୁ ସମ୍ମାନ ପ୍ରାପ୍ତ ପ୍ରାମାଣିକ ଚଳଚ୍ଚିତ୍ର  ‘କୋଟପାଡ଼ ଉଇଭିଂ’ ପ୍ରଦର୍ଶିତ ହେବ।

ଓଡ଼ିଆ ମିଡିଆ ପକ୍ଷରୁ ବର୍ଷ ବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରୁ ଅନ୍ୟତମ ଓ ପ୍ରମୁଖ ହେଉଛି କୋରାପୁଟ ସାହିତ୍ୟ ଉତ୍ସବ। ଏତଦ‌୍‌ଭିନ୍ନ ଅନୁଷ୍ଠାନ ଭୁବନେଶ୍ବର ସାହିତ୍ୟ ଉତ୍ସବ, ଓଡ଼ିଶା ମିଡିଆ କନକ୍ଲେଭ୍, ଓଡ଼ିଶା ଉତ୍କର୍ଷ ସମ୍ମାନ, ଓଡ଼ିଶା ଯୁବ ସମ୍ମାନ, ଓଡ଼ିଶା ଶିକ୍ଷା ସମ୍ମାନ ଓ ଭାଷା ଉତ୍ସବ ଭଳି ବିଭିନ୍ନ ଜାତୀୟ ଓ ରାଜ୍ୟସ୍ତରୀୟ ଉତ୍ସବ ମାନ ପ୍ରତି ବର୍ଷ ଆୟୋଜନ କରିଥାଏ।

Comments are closed.