ସରକାର କ’ଣ ଅପାରଗ ?

ଶୁଭ୍ରାଂଶୁ ପଣ୍ଡା:
ଆସନ୍ତା ଫେବ୍ରୁଆରୀ ୨୦ ତାରିଖରୁ ୨୮ ତାରିଖ ଯାଏଁ ୯ ଦିନ ବ୍ୟାପୀ ପ୍ରଥମ ଥର ପାଇଁ ସରକାରୀ ଉଦ୍ୟମରେ ଏକ ପୁସ୍ତକମେଳା ହେଉଛି। ଲେଖକ, ପ୍ରକାଶକ ଓ ପୁସ୍ତକପ୍ରେମୀଙ୍କ ପାଇଁ ଏହା ଏକ ସୁଖବର ନିଶ୍ଚୟ। ତେବେ ନିର୍ବାଚନକୁ ଦୃଷ୍ଟିରେ ରଖି ତରବରିଆ ଭାବେ ସଂସ୍କୃତି ବିଭାଗ ‘ଓଡ଼ିଶା ରାଜ୍ୟ ପୁସ୍ତକ ମେଳା ୨୦୧୯’ ନାମରେ ଏକ ବହିମେଳା ଆୟୋଜନ କରି ସାହିତ୍ୟିକ-ସାଂସ୍କୃତିକ ପରିବେଶରେ ନିଜର ଡିଣ୍ଡିମ ପିଟିବାର ଯେଉଁ ସ୍ବପ୍ନ ଦେଖିଛନ୍ତି ତାହା କେତେଦୂର ସଫଳ ହେବ, ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସବୁଠୁ ବଡ଼ କଥା ହେଲା ସଂସ୍କୃତି, ପର୍ଯ୍ୟଟନ, କୃଷି ଓ ଅନ୍ୟ ବିଭାଗର ବହୁ ବଡ଼ ବଡ଼ ଉତ୍ସବ/ମେଳା ସରକାର ନିଜେ ଆୟୋଜନ କରି ପାରୁଥିବା ବେଳେ ପୁସ୍ତକମେଳା ଆୟୋଜନ ଦାୟିତ୍ବ ଏକ ଅନଭିଜ୍ଞ ସଂସ୍ଥାକୁ ପ୍ରଦାନ କରିଛନ୍ତି। ଯେଉଁ ସରକାର ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍, ହକି ବିଶ୍ବ କପ୍, ତୋଷାଳି ମେଳା, କୋଣାର୍କ ନୃତ୍ୟ ଉତ୍ସବ, କୃଷି ଓଡ଼ିଶା ଭଳି ଜାତୀୟ ଓ ଅନ୍ତର୍ଜାତୀୟ ଉତ୍ସବ ସଫଳତାର ସହ ଅାୟୋଜନ କରୁଥିବା ଡିଣ୍ଡିମ ପିଟୁଛନ୍ତି, ସେହି ସରକାର ପୁସ୍ତକମେଳା ବେଳକୁ ଅପାରଗ ହୋଇଗଲେ କିପରି?
ସରକାରୀ କଳରେ ବଡ଼ ପୁଞ୍ଜିପତି ବା ଶିଳ୍ପପତି ନାହାନ୍ତି, ତଥାପି ମେକ୍ ଇନ୍ ଓଡ଼ିଶା ଆୟୋଜନ ସଫଳ ହେଲା। ସରକାରୀ କଳରେ ଓଡ଼ିଶୀ ନୃତ୍ୟଶିଳ୍ପୀ କି ବଂଶୀବାଦକ ନାହାନ୍ତି, ତଥାପି ପ୍ରତିବର୍ଷ ରାଜାରାଣୀ ସଂଗୀତ ଉତ୍ସବ, ମୁକ୍ତେଶ୍ବର ନୃତ୍ୟୋତ୍ସବ ଭଳି ବହୁ ଜାତୀୟ/ଅନ୍ତର୍ଜାତୀୟ ସାଂସ୍କୃତିକ ଉତ୍ସବ ଆୟୋଜନ କରୁଛନ୍ତି ସରକାର। ହକି ବିଶ୍ବକପ୍ ଭଳି ଏକ ଅନ୍ତର୍ଜାତୀୟ କ୍ରୀଡ଼ା କୁମ୍ଭ ମଧ୍ୟ ସରକାର ନିଜେ ଆୟୋଜନ କରିପାରିଲେ। ଏସବୁ ଉତ୍ସବ ସରକାର ନିଜେ ଆୟାଜନ କରନ୍ତି ଏବଂ ବିଭିନ୍ନ କାର୍ଯ୍ୟ ପାଇଁ ବାହ୍ୟ ସଂସ୍ଥା ବା ଇଭେଣ୍ଟ ମ୍ୟାନେଜମେଣ୍ଟ ପ୍ରତିଷ୍ଠାନର ସହଯୋଗ ନିଅନ୍ତି।
ଅଥଚ ସରକାରୀ କଳରେ ବହୁ ଲେଖକ ଥାଉ ଥାଉ, ସରକାରଙ୍କର ନିଜର ପ୍ରକାଶନ ଓ ପୁସ୍ତକ ବିକ୍ରି ସଂସ୍ଥା ଥାଉ ଥାଉ, ସରକାର ବହିମେଳା ବେଳକୁ ଅସହାୟ ହୋଇପଡ଼ିଲେ କିପରି? ବିଭାଗର ନାମ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଥିବାବେଳେ, ଭାଷା ସାହିତ୍ୟ ବେଳକୁ ସରକାର ନିକୁ ଅପାରଗ ଭାବିନେଲେ କାହିଁକି? ବିଭାଗ ନ କରି ପାରିଲେ ନାହିଁ- ଓଡ଼ିଶା ସାହିତ୍ୟ ଏକାଡେମୀ, ଓଡ଼ିଆ ଭାଷା ପ୍ରତିଷ୍ଠାନ ଭଳି ଅନୁଷ୍ଠାନ, ଯେଉଁମାନଙ୍କର ପୁସ୍ତକ ପ୍ରକାଶନ ଓ କ୍ରୟ/ବିକ୍ରୟ ଉପରେ ଅଭିଜ୍ଞତା ଅଛି ସେମାନଙ୍କୁ ପୁସ୍ତକମେଳା ଆୟୋଜନ କାମ ଦିଆଯାଇ ପାରିଥାଆନ୍ତା। ଅନ୍ୟ ଉତ୍ସବ ସବୁ ଭଳି ସରକାର ନିଜେ ଆୟୋଜକ ହୋଇ ବାହାର ଭେଣ୍ଡରମାନଙ୍କ ସହଯୋଗରେ ପୁସ୍ତକମେଳା କାମ କରିପାରିଥାଆନ୍ତେ। ଯେଉଁ ସଂସ୍ଥାକୁ ସରକାର ଏବେ ପୁସ୍ତକମେଳା ଆୟୋଜନ ଦାୟିତ୍ବ ଦେଇଛନ୍ତି, ସେମାନେ ମଧ୍ୟ ବାହ୍ୟ ଭେଣ୍ଡରଙ୍କ ସହଯୋଗରେ କାର୍ଯ୍ୟ କରିବେ। ୟେ ତ ସାତସେଣାରେ ପାଣି ବୁହାଇବା ପରି କଥା ହେଲା।
କେବଳ ସେତିକି ନିହେଁ ସରକାରଙ୍କୁ ରାଜନୈତିକ ଫାଇଦା ଦେବା ଉଦ୍ଦେଶ୍ୟରେ ସଂସ୍କୃତି ବିଭାଗ ଦୀର୍ଘଦିନରୁ ପୁସ୍ତକମେଳା ଆୟୋଜନ କରି ଆସୁଥିବା ଅନୁଷ୍ଠାନ ଓ କେବଳ ଭାଷା ସାହିତ୍ୟ ବହି ଛାପି କ୍ଷତିରେ ଚାଲୁଥିବା ଭୁବନେଶ୍ବରର ବହୁ ପ୍ରକାଶକଙ୍କୁ ପ୍ରକାରାନ୍ତରେ ହଟାଇବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି।
ତିନି ମାସ ତଳେ ସରକାର ନିଷ୍ପତ୍ତି ନେଲେ ଯେ ଭୁବନେଶ୍ବରରେ ଏକ ଅନ୍ତର୍ଜାତୀୟ ପୁସ୍ତକମେଳା ଆୟୋଜନ କରିବେ। ଅକ୍ଟୋବର ୩୧ ତାରିଖରେ ସଂସ୍କୃତି ଭବନ ପରିସରରେ ବିଭାଗୀୟ ସଚିବ ମନୋରଂଜନ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଏ ନେଇ ଏକ ବୈଠକ ହୋଇଥିଲା। ଏହି ନିଷ୍ପତ୍ତି ବୈଠକରେ ସଂସ୍କୃତି ବିଭାଗ ଅତିରିକ୍ତ ସଚିବ କଥାଶିଳ୍ପୀ ବିଜୟ ନାୟକ, ଭାଷା ପ୍ରତିଷ୍ଠାନ ନିର୍ଦ୍ଦେଶିକା ତମସାରାଣୀ ଦାସ ମହାପାତ୍ର, ଓରିଶା ପବ୍ଲିସର୍ସ ଆଣ୍ଡ ବୁକ୍ ସେଲର୍ସ ଆସୋସିଏସନ୍ ପକ୍ଷରୁ ଶୁଭେନ୍ଦୁ ଶେଖର ରଥ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକ ନିଷ୍ପତ୍ତି ଅନୁସାରେ, ଭାଷା ସାହିତ୍ୟ ସଂସ୍କୃତି ବାଭାଗ ତରଫରୁ ଓଡ଼ିଶା ସାହିତ୍ୟ ଏକାଡେମୀ, ଓଡ଼ିଆ ଭାଷା ପ୍ରତିଷ୍ଠାନ, ହରେକୃଷ୍ଣ ମହତାବ ରାଜ୍ୟ ସଂଗ୍ରହାଳୟ ଓ ଓରିଶା ପବ୍ଲିସର୍ସ ଆଣ୍ଡ ବୁକ୍ ସେଲର୍ସ ଆସୋସିଏସନ୍ ପୁସ୍ତକମେଳା ଆୟୋଜନ କରିବେ।
ତେବେ ଏବେ ପ୍ରକାଶକମାନଙ୍କ ପାଖକୁ ଯେଉଁ ଲିଫଲେଟ ଓ ବୁକିଂ ଫର୍ମ ପଠାଯାଇଛି, ସେଥିରେ ଆୟୋଜକ ରୂପରେ ସମାନ୍ତରାଳ ଭାବେ କେବଳ ଦୁଇଟି ଅନୁଷ୍ଠାନର ନାମ ରହିଛି- ସଂସ୍କୃତି ବିଭାଗ ଓ ଓରିଶା ପବ୍ଲିସର୍ସ ଆଣ୍ଡ ବୁକ୍ ସେଲର୍ସ ଆସୋସିଏସନ୍।
୧୦୦ ବର୍ଗଫୁଟର ଗୋଟିଏ ଷ୍ଟଲ ପିଛା ପ୍ରକାଶକଙ୍କୁ ୪୫୦୦ ଟଙ୍କା ଦେବାକୁ ପଡ଼ିବ ବୋଲି ଉଲ୍ଲେଖ ରହିଛି। ସବୁ ଠୁ ବଡ଼ କଥା ହେଲା ଏ ଟଙ୍କା ସଂସ୍କୃତି ବିଭାଗ ବା ସାହିତ୍ୟ ଏକାଡେମୀ ବା ଭାଷା ପ୍ରତିଷ୍ଠାନ ବା ରାଜ୍ୟ ସଂଗ୍ରହାଳୟ ନାମରେ ନ ଦେଇ ଓରିଶା ପବ୍ଲିସର୍ସ ଆଣ୍ଡ ବୁକ୍ ସେଲର୍ସ ଆସୋସିଏସନ୍ ନାମରେ ଦେବା ପାଇଁ ଫର୍ମରେ ନିର୍ଦ୍ଦେଶ ରହିଛି। ଅର୍ଥାତ୍ ଅକ୍ଟୋବର ୧ ତାରିଖରେ ସଂସ୍କୃତି ସଚିବଙ୍କ ଉପସ୍ଥିତିରେ ଯେଉଁ ନିଷ୍ପତ୍ତି ହୋଇଥିଲା ତାହା ଧୂଆଁବାଣ ମାତ୍ର। ସଂସ୍କୃତି ବିଭାଗ ସହ ସଲାସୁତରା କରି କଟକର କତିପୟ ପ୍ରକାଶକଙ୍କ ଅନୁଷ୍ଠାନ ଓରିଶା ପବ୍ଲିସର୍ସ ଆଣ୍ଡ ବୁକ୍ ସେଲର୍ସ ଆସୋସିଏସନ୍ କାମଟି ହାତେଇନେଲେ।
ଓରିଶା ପବ୍ଲିସର୍ସ ଆଣ୍ଡ ବୁକ୍ ସେଲର୍ସ ଆସୋସିଏସନ୍ ବିରୋଧରେ ଆମର କିଛି କହିବାର ନାହିଁ। କିନ୍ତୁ ସଂସ୍କୃତି ବିଭାଗ କେଉଁ ଆଧାରରେ ତାଙ୍କୁ ଏ ଦାୟିତ୍ବ ଦେଲେ? ରାଜ୍ୟର ୯୦ ଭାଗରୁ ଅଧିକ ପ୍ରକାଶକ ଏ ସଂସ୍ଥାର ସଦସ୍ୟ ନାହାନ୍ତି। ସରକାରୀ ପ୍ରକାଶନ ସଂସ୍ଥା ଓଡ଼ିଶା ସାହିତ୍ୟ ଏକାଡେମୀ, ସମ୍ବାଦ ଗ୍ରୁପ୍ର ପ୍ରକାଶନ ସଂସ୍ଥା ଆମ ଓଡ଼ିଶା, ଓଡ଼ିଆ ମିଡିଆର ପ୍ରକାଶନ ସଂସ୍ଥା ପେନ୍ ଇନ୍ ବୁକ୍ସ ସମେତ ଭୁବନେଶ୍ବରର ଟାଇମ୍ ପାସ୍, ପଶ୍ଚିମା, ପକ୍ଷୀଘର, ଇଭେଣ୍ଟସ, କାବ୍ୟଲୋକ, ଏଥେନା ବୁକ୍ସ ଭଳି ୧୫-୨୦ ବର୍ଷରୁ ଅଧିକ ସମୟ ଧରି କେବଳ ଭାଷା-ସାହିତ୍ୟ ସମ୍ପର୍କିତ ବହି ଛାପୁଥିବା ଭୁବନେଶ୍ବର, କଟକ, ବାଲେଶ୍ବର ଓ ଅନ୍ୟ ଅଞ୍ଚଳର ଶତାଧିକ ପ୍ରକାଶନ ସଂସ୍ଥା ଓରିଶା ପବ୍ଲିସର୍ସ ଆଣ୍ଡ ବୁକ୍ ସେଲର୍ସ ଆସୋସିଏସନ୍ ସହ ଜଡ଼ିତ ନାହାନ୍ତି।
ଓରିଶା ପବ୍ଲିସର୍ସ ଆଣ୍ଡ ବୁକ୍ ସେଲର୍ସ ଆସୋସିଏସନ୍ର ସଦସ୍ୟ ଯେଉଁମାନେ ସାହିତ୍ୟରୁ ବିଜ୍ଞାନ, କାମସୂତ୍ର ଠାରୁ ରନ୍ଧନ କଳା, ଧନୀ ହେବାର ସହଜ ଉପାୟ ଠାରୁ ଆଇଏଏସ୍ ପାଇବାର ସୂତ୍ର ପର୍ଯ୍ୟନ୍ତ ସବୁ ବହି ଛାପି ବିକି ବେଶ୍ ଲାଭବାନ ହେଉଛନ୍ତି, ସେମାନଙ୍କୁ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ପୁସ୍ତକ ମେଳା ଆୟୋଜନ ଦାୟିତ୍ବ କେଉଁ ଆଧାରରେ ଦେଲେ ତାହା ବୁଝା ପଡ଼ୁନାହିଁ।
ଭିତିରି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ କେବଳ ପୁସ୍ତକମେଳା ଆୟୋଜନର ଦାୟିତ୍ବ ଦିଆଯାଇଛି ତାହା ନୁହେଁ, ସେମାନଙ୍କ ବହି ସରକାରୀ ପ୍ରଯୋଜନାରେ କିଣାଇ ଦେବାଲାଗି ମଧ୍ୟ ସଂସ୍କୃତି ବିଭାଗ ବଚନବଦ୍ଧ। ସାହିତ୍ୟିକମାନେ କ୍ରମଶଃ କଟକରୁ ମୁହଁଫେରାଇ ଭୁବନେଶ୍ବରର ନବ-ପ୍ରକାଶକ ମାନଙ୍କୁ ପାଣ୍ଡୁଲିପି ଦେବାକୁ ଅଧିକ ପସନ୍ଦ କରୁଛନ୍ତି। ଏପରିକି ସଂସ୍କୃତି ବିଭାଗର ନଜରରେ ନଥିବା ଭୁବନେଶ୍ବରର ଏ ପ୍ରକାଶକମାନେ (ସମସ୍ତେ ନିଜେ ଜଣେ ଜଣେ ଲେଖକ ମଧ୍ୟ) ଅନ୍ତର୍ଜାତୀୟ ଶୈଳୀ ଓ ମାନର ପୁସ୍ତକ ମଧ୍ୟ ଛପାଉଛନ୍ତି। ଏ ପ୍ରକାଶକମାନେ ସରକାରୀ ଲବି କରି ବହି ବିକି ପାରନ୍ତିନାହିଁ। ଏମାନଙ୍କ ମଧ୍ୟରୁ ଅଧିକାଂଶ ପ୍ରକାଶକ ରାଜା ରାମମୋହନ ରାୟ ପାଠାଗାର ଯୋଜନାରେ ବହି ଦିଅନ୍ତି ନାହିଁ। ଏମାନେ ଭାଷା ସାହିତ୍ୟକୁ ଗୁରୁତ୍ବ ଦିଅନ୍ତି, ଏମାନେ ନୂଅା ଲେଖକଙ୍କର ବହି ଅଗ୍ରାଧିକାର ଦେଇ ଛାପନ୍ତି ଓ ସେମାନଙ୍କର ପ୍ରଚାର ପ୍ରସାର କରନ୍ତି।
ଗତ ମାସରେ ଗୋଟିଏ ପୁସ୍ତକମେଳା ଯାଇଛି। ଦୁଇଦିନ ତଳେ ରାଜ୍ୟର ବଡ଼ ବହିମେଳେ ରାଜଧାନୀ ପୁସ୍ତକମେଳାରେ ଏ ପ୍ରକାଶକମାନେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଷ୍ଟଲ ଦେଇଥିବା ବେଳେ, ଗୋଟିଏ ମାସର ବ୍ୟବଧାନରେ ପୁଣି ଏକ ବହିମେଳା ଆୟୋଜନ କରି ସରକାର ସେମାନଙ୍କ ପିଠିରେ ପ୍ରହାର କରିଛନ୍ତି। ଓରିଶା ପବ୍ଲିସର୍ସ ଆଣ୍ଡ ବୁକ୍ ସେଲର୍ସ ଆସୋସିଏସନ୍ ବା ସରକାର ଯୁକ୍ତି କରିପାରନ୍ତି ଯେ, କୌଣସି ପ୍ରକାଶକଙ୍କୁ ବାଧ୍ୟ କରାଯାଉନାହିଁ। କିନ୍ତୁ ଭୁବନେଶ୍ବରରେ ପ୍ରକାଶକ ଭାବେ ଯେଉଁମାନେ ପରିଚିତ, ପୁସ୍ତକମେଳାରେ ଯେଉଁମାନଙ୍କ ଆକର୍ଷଣରେ ଲେଖକ-ଭାଷାପ୍ରେମୀ-ବୁଦ୍ଧିଜୀବୀ-ପାଠକ ଆସିଥାନ୍ତି, ସେମାନେ ଷ୍ଟଲ ନ ନେଇ ରହିବେ କିପରି?
ଅନ୍ୟପଟେ ଓରିଶା ପବ୍ଲିସର୍ସ ଆଣ୍ଡ ବୁକ୍ ସେଲର୍ସ ଆସୋସିଏସନ୍ର ପୁସ୍ତକମେଳା ଆୟୋଜନର କୌଣସି ପୂର୍ବ ଅଭିଜ୍ଞତା ନାହିଁ। ସେମାନେ ନିଜେ ଷ୍ଟଲ ଦେଉଥିବାରୁ ପୁସ୍ତକମେଳା ସମୟରେ ନିଜର ବ୍ୟବସାୟକୁ ଅଧିକ ଗୁରୁତ୍ବ ଓ ସମୟ ଦେବେ। ଅନ୍ୟ ପ୍ରତିଯୋଗୀ ପ୍ରକାଶକଙ୍କ ଦୁଃଖ ବୁଝିବାକୁ ତାଙ୍କ ପାଖରେ ସମୟ ନଥିବ। ସରକାରଙ୍କୁ ମଧ୍ୟ ଗୁହାରୀ କରି ହେବନାହିଁ। କାରଣ ଅସଲ ଆୟୋଜନ ଓରିଶା ପବ୍ଲିସର୍ସ ଆଣ୍ଡ ବୁକ୍ ସେଲର୍ସ ଆସୋସିଏସନ୍, କାରଣ ଟଙ୍କା ସେ ନେଉଛି।
ଫେବ୍ରୁଆରୀରେ ରାଜ୍ୟର ପ୍ରଥମ ବହିମେଳା ଭୁବନେଶ୍ବର ପୁସ୍ତକମେଳା ହେବାର ଯୋଜନ ଥିଲା। କିଛି ପ୍ରକାଶକ ମଧ୍ୟ ଷ୍ଟଲ ନେବା ପାଇଁ ପ୍ରସ୍ତୁତି ସାରିଥିଲେ। ତେବେ ସରକାର ନିଜେ ସେ ସମୟରେ ମେଳା ଘୋଷଣା କରି ସେମାନଙ୍କୁ ମଧ୍ୟ ଅନିଶ୍ଚିତତା ଭିତରକୁ ଠେଲିଦେଲେ।
ହାତଗଣତି କିଛି ପ୍ରକାଶକଙ୍କର ଏକ ଅନୁଷ୍ଠାନକୁ ଫାଇଦା ଦେବା ପାଇଁ ଦୀର୍ଘବର୍ଷରୁ ପୁସ୍ତକମେଳା ସହ ଜଡ଼ିତ ଅନୁଷ୍ଠାନ, ଭୁବନେଶ୍ବର ଓ ଅନ୍ୟ ଅଞ୍ଚଳର ପ୍ରସିଦ୍ଧ ପ୍ରକାଶନ ସଂସ୍ଥା ସବୁକୁ ଅଣଦେଖା କରିଛନ୍ତି ସଂସ୍କୃତି ବିଭାଗ।
ତେଣେ ସରକାରଙ୍କ ଅଭୟ ବର ପ୍ରାପ୍ତ ଓରିଶା ପବ୍ଲିସର୍ସ ଆଣ୍ଡ ବୁକ୍ ସେଲର୍ସ ଆସୋସିଏସନ୍ ଫ୍ରେଣ୍ଡ୍ସ ପବ୍ଲିସର୍ସ ଓ କଟକର ଆଉ କିଛି ପ୍ରକାଶକଙ୍କୁ ଚଳିତ ମାସରେ ଭୁବନେଶ୍ବରରେ ହୋଇଥିବା ବଡ଼ ବହିମେଳା ରାଜଧାନୀ ପୁସ୍ତକମେଳାରେ ଭାଗ ନ ନେବା ପାଇଁ କହିଥିଲେ। ପରେ ତାଙ୍କ ସଂଘରେ ଫାଟ ହୋଇ କିଛି ପ୍ରକାଶକ ଭାଗ ନେଲେନାହିଁ ଓ ଆଉ କେତେଜଣ ବାରଣ ସତ୍ତ୍ବେ ଭାଗନେଲେ।
ତରବରିଆ ଓ ଜିଦଖୋର ଭାବେ ନିର୍ବାଚନ ପୂର୍ବରୁ ସାହିତ୍ୟ ସଂସ୍କୃତି ପ୍ରତି ଦରଦ ଦେଖାଇବାର ଏ ଯେଉଁ ଛଦ୍ମ ଅଭିନୟ ସଂସ୍କୃତି ବିଭାଗ ଆରମ୍ଭ କରିଛନ୍ତି ତାହା ବୁମେରାଂ ହୋଇ ବିଭାଗ ପଛରେ କୀଳା ସାଜିବ। ସମୟ ନେଇ ସବୁ ପ୍ରକାଶକ, ବରିଷ୍ଠ ଲେଖକ ଓ ପୁସ୍ତକବିକ୍ରେତାଙ୍କୁ ଏକାଠି କରି ସରକାର ଏ ମେଳାର ଆୟୋଜନ କରି ପାରିଥାଆନ୍ତେ। ଯଦି ହକିରେ ଯୋଗ୍ୟ ସରକାର ବହିମେଳାରେ ନିଜକୁ ଅପାରଗ ଭାବୁଥାଆନ୍ତି, ତେବେ ରାଜ୍ୟର ପ୍ରମୁଖ ପ୍ରକାଶକ ଓ ପୁସ୍ତକ ବିକ୍ରେତାଙ୍କୁ ନେଇ ସରକାର ଓଡ଼ିଶା ପବ୍ଳିଶର ବୁକସେଲର୍ସ ଗିଲ୍ଡ ଗଠନ କରନ୍ତୁ ଯେଉଁଥିରେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଭାଷା ପ୍ରତିଷ୍ଠାନ ମଧ୍ୟ ସଦସ୍ୟ ରହିବେ। ଗିଲ୍ଡ ମାଧ୍ୟମରେ ପୁସ୍ତକମେଳା ଆୟୋଜନ କରାଯାଉ।
ନ ହେଲେ ଅନ୍ୟ ସବୁ ପ୍ରସଙ୍ଗରେ ନିଜକୁ କାଢ଼ୁଆ ସରକାର କହୁଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କ୍ୟାବିନେଟ୍ ଦିନେ ଯେ କୋଣାର୍କ ନୃତ୍ୟ ଉତ୍ସବ ଆୟୋଜନ ଚକେଇଶିଆଣି ଓଡ଼ିଶୀ ବିଦ୍ୟାଳୟକୁ, ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ଆୟୋଜନ ଭାର ପାଣିଗ୍ରାହୀ ଷ୍ଟାବିଲାଇଜର ରିପ୍ୟାରିଂ ଫ୍ୟାକ୍ଟ୍ରୀ ଓ ବିଶ୍ବ କପ୍ ହକି ଆୟୋଜନ ଭୂଷଣ୍ଡପୁର ୟୁଥ୍ ଆଣ୍ଡ୍ ସ୍ପୋର୍ଟସ କ୍ଳବ୍କୁ ଦେଇଦେବା ବିଚିତ୍ର ନୁହେଁ।