Odisha Link
Bridging the Missing Links in Odisha

ରାଜସ୍ୱ ସଂଗ୍ରହ ୧୯% ବୃଦ୍ଧି

ଭୁବନେଶ୍ୱର : ଚଳିତ ବର୍ଷର ମେ’ ମାସ ଶେଷ ସୁଦ୍ଧା ରାଜସ୍ୱ ସଂଗ୍ରହ ୧୯ ପ୍ରତିଶତ ବୃଦ୍ଧି ପାଇଛି । ପଞ୍ଚମ ପାଳିର ରାଜ୍ୟ ସରକାର ପାଇଁ ଏହା ଆଣି ଦେଇଛି ବଡ଼ ଧରଣର ଆଶ୍ୱସ୍ତି । ତେବେ ଗତ ମାସରେ ଯୋଜନା ଓ କାର୍ଯ୍ୟକ୍ରମ ବାବଦ ଖର୍ଚ୍ଚ ପରିମାଣ ପୂର୍ବ ବର୍ଷ ତୁଳନାରେ କମିଛି । ନିର୍ବାଚନ ଆଚରଣ ବିଧି ଲାଗୁ ରହିବା ଯୋଗୁ ଏଭଳି ସ୍ଥିତି ଉତ୍ପନ୍ନ ହୋଇଥିବା କୁହାଯାଇଛି ।
ଆଜି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚିବ ସ୍ତରୀୟ ବୈଠକ ଆଲୋଚନାରୁ ରାଜ୍ୟର ଆର୍ଥିକ ଚିତ୍ର ସାମ୍ନାକୁ ଆସିଛି । ବୈଠକରେ ଅର୍ଥ ବିଭାଗର ପ୍ରମୁଖ ସଚିବ ଅଶୋକ କୁମାର ମୀନା ଚଳିତ ଆର୍ଥିକ ବର୍ଷର ଏପ୍ରିଲ ଓ ମେ’ଦୁଇ ମାସର ରାଜସ୍ୱ ସଂଗ୍ରହ ଓ ବିନିଯୋଗ ହାର ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ । ଏହି ତଥ୍ୟ ଅନୁଯାୟୀ ଚଳିତ ମାସ ଶେଷ ସୁଦ୍ଧା ରାଜସ୍ୱ ସଂଗ୍ରହ ପୂର୍ବ ବର୍ଷର ଏହି ସମୟ ତୁଳନାରେ ୧୯% ଅଧିକ । ୨୦୧୮ ମୋ ମାସ ସୁଦ୍ଧା ରାଜସ୍ୱ ସଂଗ୍ରହ ସମୁଦାୟ ୫୪୬୬ କୋଟି ଟଙ୍କା ହୋଇଥିଲା । ଚଳିତ ବର୍ଷ ମେ’ ମାସ ସୁଦ୍ଧା ଏହି ରାଶି ୬୫୦୫ କୋଟି ଟଙ୍କାକୁ ବୃଦ୍ଧି ପାଇଛି ।
ଏଥିମଧ୍ୟରୁ ନିଜସ୍ୱ ଟିକସ ବାବଦରେ ୪୨୫୭ କୋଟି ଟଙ୍କା ସଂଗ୍ରହ ହୋଇ ୯.୨୫% ଏବଂ ଅଣ ଟିକସ ବାବଦରେ ୨୨୪୭ କୋଟି ଟଙ୍କା ସଂଗ୍ରହ ହୋଇ ୪୩.୨୧% ଅଭିବୃଦ୍ଧି ଘଟିଛି । ଅଣ ଟିକସ ରାଜସ୍ୱ ବାବଦରେ ଇସ୍ପାତ ଓ ଖଣି ବିଭାଗର ଖଣି ରୟାଲିଟି ଆଦାୟରେ ସର୍ବାଧିକ ୫୧.୧୮ ପ୍ରତିଶତ ହୋଇଥିବା ବେଳେ ଜଳ ସମ୍ପଦ ବିଭାଗର ଶିଳ୍ପ ପାଇଁ ଜଳ ଦେୟରେ ୧୬.୨୨ % ବୃଦ୍ଧି ଘଟିଛି । ତେବେ ମାସ ଶେଷ ସୁଦ୍ଧା ଯୋଜନା ବାବଦରେ ବଜେଟ୍ ବିନିଯୋଗ ୮୭୪୬ କୋଟି ହୋଇଛି । ବିଗତ ବର୍ଷ ଏହି ସମୟ ତୁଳନାରେ ୧୯% ଭାଗ କମ ଥିବା ରେକର୍ଡ କରାଯାଇଛି । ଜୁନ୍ ଓ ଜୁଲାଇ ମାସରେ ବଜେଟ୍ ବିନିଯୋଗ ସହ କ୍ଷେତ୍ରସ୍ତରୀୟ କାର୍ଯ୍ୟ ଓ ସେବା ଯୋଗାଣ ତ୍ୱରାନ୍ୱିତ କରିବାକୁ ମୁଖ୍ୟ ସଚିବ ବିଭାଗୀୟ ମୁଖ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ଆସନ୍ତା ୧୭ ତାରିଖ ସୁଦ୍ଧା ଅଗ୍ରାଧିକାର ଭିତ୍ତିରେ ବାର୍ଷିକ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବା ପାଇଁ ମଧ୍ୟ ଶ୍ରୀ ପାଢ଼ୀ ସେମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ଉପରେ ଗୁରୁତ୍ୱାରୋପ କରିଥିଲେ ଉନ୍ନୟନ କମିସନର ଅସିତ ତ୍ରିପାଠୀ । ଏଥିପାଇଁ ଜାତୀୟ ସ୍ତରରେ ୩୦୬ଟି ସୂଚକାଙ୍କ ଚିହ୍ନଟ କରାଯାଇଛି । ସେଗୁଡ଼ିକ ପ୍ରାୟ ୧୮ଟି ବିଭାଗର କାର୍ଯ୍ୟ ପରିସରଭୁକ୍ତ । ତନ୍ମଧ୍ୟରୁ ଓଡ଼ିଶା ପାଇଁ ପ୍ରଯୁଜ୍ୟ ଲକ୍ଷ୍ୟଗୁଡ଼ିକୁ ଚିହ୍ନଟ କରି ସେଗୁଡ଼ିକୁ ହାସଲ କରିବାକୁ ଶ୍ରୀ ତ୍ରିପାଠୀ ବିଭିନ୍ନ ବିଭାଗ ମୁଖ୍ୟଙ୍କୁ ପରାମର୍ଶ ଦେଇଥିଲେ ।
ବିଧାନସଭାରେ ଆସନ୍ତା ୨୮ ତାରିଖରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରାଯିବ ବୋଲି ପ୍ରମୁଖ ସଚିବ ଶ୍ରୀ ମୀନା ସୂଚେଇଥିଲେ । ଏ ନେଇ ନିଜ ନିଜ ବିଭାଗର ନୂଆ ପଦକ୍ଷେପ ବା କାର୍ଯ୍ୟ ଯୋଜନା ପ୍ରସ୍ତୁତ କରି ତୁରନ୍ତ ଅର୍ଥ ବିଭାଗକୁ ଅବଗତ କରାଇବାକୁ ସେ କହିଥିଲେ । ବିଭିନ୍ନ ସରକାରୀ ବିଭାଗ, ସ୍ୱୟଂ ଶାସିତ ସଂସ୍ଥା ଏବଂ ସାଧାରଣ ଉଦ୍ୟୋଗ ନିଜ ନିଜ ବିଭାଗ ପାଇଁ ଆବଶ୍ୟକୀୟ କ୍ରୟ ଅନଲାଇନ ଜେମ୍ ପୋର୍ଟାଲ ମାଧ୍ୟମରେ କରିବା ପାଇଁ ଆବଶ୍ୟକୀୟ କ୍ରୟ ଅନଲାଇନ ଜେମ୍ ପୋର୍ଟାଲ ମାଧ୍ୟମରେ କରିବା ପାଇଁ ମଧ୍ୟ ବିଭାଗମାନଙ୍କୁ ପରାମର୍ଶ ଦିଆଯାଇଥିଲା ।

Comments are closed.