Odisha Link
Bridging the Missing Links in Odisha

ରାୟଗଡାର ବିଭିନ୍ନ ରାସ୍ତାକୁ କବଜା କରିନେଇଛନ୍ତି ଭାରୀଯାନ

ରାୟଗଡା : ରାୟଗଡାର ବିଭିନ୍ନ ରାସ୍ତାକୁ କବଜା କରିନେଇଛନ୍ତି ଭାରୀଯାନ । ଅତି ବେପରୁଆ ଭାବେ ଟ୍ରକ, ଟ୍ୟାଙ୍କର, ଟ୍ରେଲର ସବୁ ଯାତାୟତ କରୁଛି । ଏଥିପାଇଁ ଅନେକ ସମୟରେ ଦୁର୍ଘଟଣା ମଧ୍ୟ ଘଟୁଛି । ବିପଦ ଜନକ ଅବସ୍ଥାରେ ସ୍କୁଲ ଯାତାୟତ କରୁଛନ୍ତି ପିଲାଏ ।ଭାରୀ ଯାନ ଯୋଗୁଁ ଆମ୍ବୁଲାନ୍ସ ବି ଅଟକି ରହୁଛି । ଆଉ ଏହାକୁ ନେଇ ଅସନ୍ତୋଷ ବି ବଢ଼ିଲାଣି ।
ମାଲ ଲଦି ଗୋଟିଏ ପରେ ଗୋଚିଏ ଟ୍ରକ ଲାଇନ୍ ରେ ଚାଲିଛନ୍ତି । ପୁଣି ଟ୍ରେଲର, ଟ୍ୟାଙ୍କର ମାଡ଼ିଚାଲିଛନ୍ତି ରାସ୍ତାରେ । ରାୟଗଡ଼ା ଜିଲ୍ଲାର ଯୁଆଡ଼େ ଗଲେ ଏବେ ଏଇ ସମସ୍ୟା । ରାସ୍ତାକୁ ପୁରା କବଜା କରିନେଇଛନ୍ତି ଭାରୀ ଯାନ ସବୁ । ଦି ଚକିଆ ଯାନ, ଛାତ୍ର ଛାତ୍ରୀ ରାସ୍ତାରେ ଗଲାବେଳେ ଭଗବାନଙ୍କ ଭରସାରେ ଯାଉଛନ୍ତି । ବେଳେ ବେଳେ ଭାରୀ ଯାନର ଏତେ ଭିଡ଼ ହେଉଛି ଯେ ଅନ୍ୟ ଗାଡ଼ି ସବୁ ସାହି, ବସ୍ତି ରାସ୍ତା ଦେଇ ଯାତାୟତ କରୁଛି । ଆମ୍ବୁଲାନ୍ସ ମଧ୍ୟ ଘଣ୍ଟା ଘଣ୍ଟା ଧରି ଫସିଯାଉଛି । କଟକଣା, ସମୟସାରୀଣୀ ମାନିବାକୁ ନାରାଜ ସମସ୍ତେ । ବାଇପାସ୍ ପାଇଁ ରାଜ୍ୟ ସରକାର ଅନୁଦାନ ପ୍ରଦାନ କରିଥିଲେ ମଧ୍ୟ ପ୍ରଶାସନ ଏବଂ ପୂର୍ତ୍ତ ବିଭାଗର ଆନ୍ତରିକତା ଅଭାବରୁ ଏହା ହୋଇପାରିଲାନାହିଁ । ଭାରୀଯାନ ଏମିତି ଅବସ୍ଥା ସୃଷ୍ଟି କରୁଛନ୍ତି ଯେ ପୋଲିସ ବି ନାକେଦମ୍ ହେଉଛି । ରାୟଗଡା, ଚାନ୍ଦିଲି, ମୁନିଗୁଡା, ବିଷମକଟକ ଥାନା ଅଞ୍ଚଳରେ ଏହି ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଲାଣି । ପୂର୍ବତନ ଜିଲ୍ଲାପାଳଙ୍କ ସମୟରେ ଦିନ ବେଳା ଭାରୀ ଯାନ ଚଳାଚଳ ବନ୍ଦ ଥିଲା । ହେଲେ ତାଙ୍କର ବଦଳି ପରେ ନିୟମ ବି ବଦଳିଗଲା ଯେମିତି । ଟ୍ରକ ମାଲିକ ସଂଘ ସଭାପତି ତଥା ରାଜ୍ୟସଭା ସାଂସଦ ଏନ. ଭାସ୍କର ରାଓଙ୍କ ଚାପରେ ଏଭଳି ଚାଲିଥିବା ଅଭିଯୋଗ ହୋଇଛି ।ସେପଟେ ସମସ୍ୟାକୁ ଆନ୍ଦୋଳନ କରିବେ ବୋଲି କହିଛନ୍ତି କୋରାପୁଟ ସାଂସଦ ।ବଡ଼ ଧରଣର ଦୁର୍ଘଟଣା ଘଟିବା ଆଗରୁ ପ୍ରଶାସନ ଏ ଦିଗରେ ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଛି ।

Comments are closed.