Odisha Link
Bridging the Missing Links in Odisha

ବିରୋଧୀ ଦଳ ନେତା ଚୟନ ପ୍ରସଙ୍ଗ: କ୍ଷୋଭ ପ୍ରକାଶ କଲେ ଜୟନାରାୟଣ

ଭୁବନେଶ୍ୱର: ଆଉ ଚୁପ୍‌ ରହିବେ ବା କେତେ ଦିନ। ଶେଷରେ ବିଧାନସଭାରେ ବିରୋଧୀ ଦଳ ନେତା ନହେବାର କ୍ଷୋଭ ପ୍ରକାଶ କରିଛନ୍ତି ବିଜେପି ନେତା ଜୟନାରାୟଣ ମିଶ୍ର। ଗଣମାଧ୍ୟମ ସମ୍ମୁଖରେ ଜୟନାରାୟଣ ନିଜର ମନ କଥା ଜଣାଇଛନ୍ତି। ସେ କହିଛନ୍ତି ଯେ, ବିରୋଧୀ ନେତା ପାଇଁ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ସବୁ ବିଧାୟକ ଜଣଙ୍କ ନାମ କହିଥିଲେ। ସମସ୍ତେ ମୋର ନାମ ହିଁ କହିଥିବା ନେଇ ମୋତେ କହିଥିଲେ। ତେବେ ପରବର୍ତ୍ତୀ ଅବସ୍ଥାରେ କଣ ହେଲା କେଜାଣି। ମୋ ନାମକୁ କାହିଁକି ପରିବର୍ତ୍ତନ କରାଗଲା ସେ କଥା ମୁଁ ଜାଣିନି। ଏନେଇ କେନ୍ଦ୍ରୀୟ ନେତୃତ୍ୱ କହିବେ। ଦଳ କହିବା ଅନୁଯାୟୀ ୧ ମାସ ଧରି ମୁଁ ସେ ଭୂମିକାରେ ରହିଥିଲି ବୋଲି ଜୟନାରାୟଣ ମିଶ୍ର କହିଛନ୍ତି। ତେବେ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡି ସମର୍ଥନ ପାଇଁ ସେ ବଳିପଡ଼ିଲେ ବୋଲି କି ପ୍ରଶ୍ନରେ ଶ୍ରୀ ମିଶ୍ର ‘ହଁ ହୋଇଥାଇପାରେ’ ବୋଲି କହିଛନ୍ତି।

ପ୍ରକାଶ ଥାଉକି, ବିରୋଧୀ ଦଳ ନେତା ଏକ ଗୁରୁତ୍ୱପୂର୍ଣ୍ଣ ପଦବୀ। ରାଜନୀତି ବିଜ୍ଞାନ ଭାଷାରେ ଛାୟା ମନ୍ତ୍ରୀମଣ୍ଡଳର ସେ ପ୍ରମୁଖ ସଦସ୍ୟ। ବିଶେଷକରି ବିଧାନସଭା ଅଧିବେଶନ କାଳରେ ବିରୋଧୀ ଦଳ ନେତାଙ୍କ ବହୁ କ୍ଷମତା ରହିଛି। ସେ ଯେତେବେଳେ କହିବାକୁ ଚାହିଁବେ ବାଚସ୍ପତି ତାଙ୍କୁ ସୁଯୋଗ ଦେବାର ବିଧି ରହିଛି। ଅର୍ଥାତ୍ ବିରୋଧୀ ଦଳ ନେତା ପଦବୀ କେବଳ କ୍ଷମତା ବା ପଦମର୍ଯ୍ୟାଦା ଭିତରେ ସୀମିତ ନୁହେଁ ବରଂ ବିଧାନସଭାରେ ବିରୋଧୀ ଦଳର ପ୍ରଦର୍ଶନ କିଭଳି ରହିବ ତାହା ତାଙ୍କ ଉପରେ ହିଁ ନିର୍ଭର କରିଥାଏ। ବିଧାନସଭାର ପରିଚାଳନାଠାରୁ ନେଇ ସମସ୍ତ ବିଭାଗ ଉପରେ ତାଙ୍କର ଟିକିନିଖି ଧାରଣା ରହିବାର ମଧ୍ୟ ଆବଶ୍ୟକତା ରହିଛି।

ଏସବୁକୁ ବିଚାରକୁ ନେଇ ବିରୋଧୀ ଦଳ ନେତା ହେବା ପାଇଁ ଏବେ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, କେନ୍ଦୁଝର ବିଧାୟକ ମୋହନ ମାଝୀ ଓ ଭବାନୀପାଟଣା ବିଧାୟକ ପ୍ରଦୀପ୍ତ ନାୟକଙ୍କ ନାମକୁ ନେଇ ପ୍ରଥମେ ଚର୍ଚ୍ଚା ହୋଇଥିଲା। ଏହି ତିନି ନେତା ବିଧାନସଭାକୁ ଅନେକ ବାର ନିର୍ବାଚିତ ହୋଇ ଆସିଛନ୍ତି। ଜୟ ନାରାୟଣ ଓ ପ୍ରଦୀପ୍ତ ମନ୍ତ୍ରୀ ମଧ୍ୟ ଥିଲେ। ଏହି ତିିନି ନେତାଙ୍କ ମଧ୍ୟରେ ବିରୋଧୀ ଦଳ ନେତା ରେସରେ ଜୟ ନାରାୟଣ ଆଗରେ ରହିଥିବା କୁହାଯାଉଥିଲା। ତେବେ ସବୁ କଳ୍ପନାଜଳ୍ପନାର ଅନ୍ତଘଟାଇ ବିଧାନସଭାରେ ବିରୋଧୀ ଦଳ ନେତାଭାବେ ବିଜେପି ପକ୍ଷରୁ ପ୍ରଦୀପ୍ତ ନାୟକଙ୍କ ମନୋନୀତ କରାଯାଇଥିଲା।

Comments are closed.