Odisha Link
Bridging the Missing Links in Odisha

ପିସି ନଦେବାରୁ ଶିକ୍ଷକଙ୍କ ଦରମା ବନ୍ଦ

ନବରଙ୍ଗପୁର: ପିସିରେ ପେଶି ହେଉଛନ୍ତି ଜନତା। ଏଥି ସହିତ ପିସିରୁ ବାଦ ପଡିନାହାନ୍ତି  ଶିକ୍ଷକ। ମାସେ ନୁହେଁ କି ଦୁଇ ମାସ, କାମ କଲେ ବି ଶିକ୍ଷକଙ୍କୁ ମିଳିନି ଦୁଇ ବର୍ଷର ଦରମା। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାର ଆଦିବାସି ଅଧ୍ୟୁସିତ ରାଇଘର ବ୍ଲକ୍ ମୁଖ୍ୟ ଦପ୍ତର ଠାରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟରେ। ଦରମା ନ ମିଳିବା ଯୋଗୁଁ ହତାସ ହୋଇ ସ୍କୁଲ ବାରଣ୍ଡାରେ ତିନି ଦିନ ଧରି ଧାରଣାରେ ବସିଛନ୍ତି ସହକାରୀ ଶିକ୍ଷକ ସୁରେନ୍ଦ୍ର ହରିଜନ। ୨୦୧୮ ସେପ୍ଟେମ୍ବର ମାସରେ ଏହି ବିଦ୍ୟାଳୟକୁ ବଦଳି ହୋଇ ଆସିଥିଲେ ସହକାରୀ ଶିକ୍ଷକ ସୁରେନ୍ଦ୍ର ହରିଜନ।

ହେଲେ ତାଙ୍କୁ ଏଯାଏଁ ଦରମା କି ବାସଗୃହ ମିଳନି । ବିଦ୍ୟାଳୟ ପରିସରରେ ୪ଟି କ୍ୱାଟର ଖାଲିଥିଲାବେଳେ ତାଙ୍କୁ ଏକ ଅସୁରକ୍ଷିତ ଭଙ୍ଗା ଦଦରା ଘର ଆଲଟ୍ କରାଯାଇଛି ବୋଲି ସୂଚନା ରହିଛି। ଶିକ୍ଷକ ସୁରେନ୍ଦ୍ର ହରିଜନ ଏଠାରେ ଆସିବା ପୂର୍ବରୁ ନବରଙ୍ଗପୁର ସ୍ଥିତ ଏକ ବିଦ୍ୟାଳୟର ହଷ୍ଟେଲ ଦାୟିତ୍ୱରେ ଥିଲେ। ସେ ସମୟରେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ପିସି ନ ଦେବାରୁ ସେ ଦିନ ଠାରୁ ତାଙ୍କୁ ଉଦ୍ଧେଶ୍ୟ ମୂଳକ ଭାବେ ହଇରାଣ କରାଯାଉଥିବା ସେ ଅଭିଯୋଗ କରିଛନ୍ତି। ଚାକିରିକୁ ଆଉ ୧୦ ମାସ ବାକିଥିବା ବେଳେ ତାଙ୍କୁ ଜାଣିଶୁଣି ହଇରାଣ କରୁଥିବା ସେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଜିଲ୍ଲା ମଙ୍ଗଳ ଅଧିକାରୀ ଏବଂ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ସେ କହିଛନ୍ତି। ଅପରପକ୍ଷେ ଏ ନେଇ ଜିଲ୍ଲା ଶିକ୍ଷାଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନି।

Comments are closed.