Odisha Link
Bridging the Missing Links in Odisha

ବଦଳିବେ ରାଜ୍ୟ ପୁଲିସ ମୁଖିଆ, ନୂଆ ପଦ୍ଧତିରେ ହେବ ଡିଜିପି ଚୟନ

ଭୁବନେଶ୍ବର: ଓଡ଼ିଶା ପୁଲିସର ଡିଜି ପଦବୀରେ ହୋଇ ପାରେ ନବକଳେବର। ବଦଳିପାରନ୍ତି ଓଡ଼ିଶା ପୁଲିସର ମୁଖିଆ। ବର୍ତ୍ତମାନର ଡିଜିପି ଆରପି ଶର୍ମା ଲୋକାୟୁକ୍ତ ସଦସ୍ୟ ହେବା ନେଇ ଚର୍ଚ୍ଚା ଯୋର ଧରିଛି। ଏ ବିଷୟରେ ଏକ ଚୟନ କମିଟି ୧୯୮୬ ବ୍ୟାଚର ଆଇପିଏସ୍‌ ଅଫିସର ଆରପି ଶର୍ମାଙ୍କ ନାମ ଲୋକାୟୁକ୍ତ ସଦସ୍ୟ ହେବା ନେଇ ରାଜ୍ୟପାଳଙ୍କୁ ସୁପାରିସ କରିଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ରାଜଭବନରୁ ଏହି ଫାଇଲ ଫରିବା ପରେ ଯେ କୌଣସି ମୁହୁର୍ତ୍ତରେ ବିଧିବଦ୍ଧ ବିଜ୍ଞପ୍ତି ଜାରି ହେବ ବୋଲି ସୂଚନା ରହିଛି। ତେବେ ଏଥିରୁ ସ୍ପଷ୍ଟ ଯେ, ଆଗାମୀ ଦିନରେ ରାଜ୍ୟ ପୁଲସ ମୁଖିଆ ବଦଳିବା ନିଶ୍ଚିତ। ଏନେଇ କିଏ ହେବ ପରବର୍ତ୍ତୀ ପୁଲିସ ଡିଜି ସେ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି।

ଡିଜିପି ଚୟନର ପ୍ରଣାଳୀ:
ରାଜ୍ୟରେ ପରବର୍ତୀ ପୁଲିସ ମହାନିର୍ଦେଶକ ଭାବେ ସରକାର କାହାକୁ ନିଯୁକ୍ତି ଦେବେ, ତାହାକୁ ନେଇ ଏବେଠାରୁ କଳ୍ପନାଜଳ୍ପନା ଆରମ୍ଭ ହୋଇଗଲାଣି। ପ୍ରଥମ ଥର ପାଇଁ ଓଡ଼ିଶାରେ ଡିଜିପି ଚୟନ ସୁପ୍ରିମକୋର୍ଟଙ୍କ ନିର୍ଧାରିତ ପ୍ରଣାଳୀ ଅନୁସାରେ କରାଯିବ। ଏଣୁ ଏହି ପ୍ରକ୍ରିୟା ମାସେରୁ ଅଧିକ ସମୟ ବିଳମ୍ବ ହୋଇପାରେ ବୋଲି ସୂଚନା ରହିଛି। ନିୟମାନୁସାରେ,ପୁଲିସ ସେବାରେ ୩୦ ବର୍ଷ କାର୍ଯ୍ୟ କରିଥିବା ଆଇପିଏସ୍ ଅଫିସରଙ୍କ ନାମ ତାଲିକା ଡିଜିପି ପାଇଁ ୟୁପିଏସସିକୁ ପଠାଯାଇ ପାରିବ। ଏହି କ୍ରମରେ ରାଜ୍ୟ ସରକାର ଏକ କମିଟି କରି ନାମ ତାଲିକା ପ୍ରସ୍ତୁତ କରିବେ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁେମାଦନ କ୍ରମେ କେନ୍ଦ୍ରକୁ ପଠାଇବେ।

ଡିଜିପି ଚୟନର ନିୟମ:
ନିୟମ ଅନୁସାରେ, ଡିଜି ଚୟନ ପାଇଁ ୟୁପିଏସସିରେ ଏକ କମିଟି ଗଠନ ହେବ। ଏଥିରେ ୟୁପିଏସସି ଅଧ୍ୟକ୍ଷ, କେନ୍ଦ୍ରୀୟ ପୁଲିସ ସଂସ୍ଥାର ମୁଖିଆ, କେନ୍ଦ୍ର କାର୍ମିକ ମନ୍ତ୍ରାଳୟର ପ୍ରତିନିଧି ପ୍ରମୁଖ ସଦସ୍ୟ ରହିବେ। ରାଜ୍ୟ ସରକାରଙ୍କ ମୁଖ୍ୟଶାସନ ସଚିବ ଏହି କମିଟିର ଜଣେ ସଦସ୍ୟ ଭାବେ ଉପସ୍ଥିତ ହେବେ। ଏହି କମିଟି ସମସ୍ତ ନାମ ଉପରେ ତର୍ଜମା କରି ତିନିଜଣଙ୍କ ନାମ ଚୂଡ଼ାନ୍ତ କରିବେ ଓ ଏମାନଙ୍କ ମଧ୍ୟରୁ ଜଣକୁ ଡିଜିପି କରିବା ପାଇଁ ରାଜ୍ୟ ସରକାରଙ୍କୁ ସୁପାରିସ କରିବେ। ସୂଚନାଥାଉକି, ବିଗତ ଦିନମାନଙ୍କରେ ଯାହା ଦେଖାଯାଇଛି, ୟୁପିଏସସି ସବୁଠାରୁ ବରିଷ୍ଠ ତଥା ଅଭିଜ୍ଞ ତିନି ଜଣଙ୍କ ନାମ ସୁପାରିସ କରୁଛନ୍ତି।

ଡିଜିପି ପଦବୀ ଦୌଡ଼ରେ କିଏ କିଏ ସାମିଲ:
ଓଡ଼ିଶା କ୍ଷେତତ୍ରରେ ସରକାର ୧୯୮୬, ୧୯୮୭ ଓ ୧୯୮୮ ବ୍ୟାଚ ଅଫିସରଙ୍କ ନାମ ତାଲିକା କେନ୍ଦ୍ରକୁ ପଠାଇପାରନ୍ତି ବୋଲି ଖୁବ୍‌ ଚର୍ଚ୍ଚା ହେଉଛି। ୧୯୮୬ ବ୍ୟାଚରେ ଡାକ୍ତର ଶର୍ମାଙ୍କ ବ୍ୟତୀତ ବରିଷ୍ଠ ଆଇପିଏସ୍ ଅଫିସର ତଥା କେନ୍ଦ୍ରୀୟ ଡେପୁଟେସନରେ ଥିବା ଅଭୟ, ପ୍ରଦୀପ କାପୁର ଓ ରାଜ୍ୟ ଅଗ୍ନିଶମ ଡିଜି ବିଜୟ କୁମାର ଶର୍ମାଙ୍କ ନାମ ନିଶ୍ଚିତ କେନ୍ଦ୍ରକୁ ଯିବ ବୋଲି ବିଶେଷ ସୁତ୍ରରୁ ସୂଚନା ରହିଛି। ଏହି ବ୍ୟାଚ୍‌ର ନାଗେଶ୍ବର ରାଓଙ୍କ ନାମ ମଧ୍ୟ ତାଲିକାରେ ସ୍ଥାନ ପାଇବ ବୋଲି ଶୁଣା ଯାଉଛି। ଏତଦବ୍ୟତୀତ ସରକାର ୧୯୮୭ ବ୍ୟାଚ୍‌ର ଅଧିକାରୀ ସୁନୀଲ କୁମାର ବଂଶଲ, ସୁନୀଲ ରାୟ ଓ ସୁରେନ୍ଦ୍ର ପନଵାରଙ୍କ ନାମ ପଠାଇପାରନ୍ତି। ଉଭୟ ଶ୍ରୀ ବଂଶଲ ଓ ଶ୍ରୀ ପନଵାର କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି। ସେହିଭଳି ୧୯୮୮ ବ୍ୟାଚ୍ ଆଇପିଏସ୍ ମଧ୍ୟ ଡିଜି ପାହ୍ୟା ପାଇଁ ଯୋଗ୍ୟ। ଏହି କ୍ରମରେ ସରକାର ଚାହିଁଲେ, ପୁଲିସ କମିସନର ତଥା ସେହି ବ୍ୟାଚ୍‌ର ବରିଷ୍ଠ ଅଫିସର ସତ୍ୟଜିତ ମହାନ୍ତି, ମନୋଜ କୁମାର ଛାବ୍ରା, ଏମ୍ ଅକ୍ଷୟ, ସନ୍ତୋଷ କୁମାର ଉପାଧ୍ୟାୟ, ବିନୟାନନ୍ଦ ଝା ଓ ଅରୁଣ କୁମାର ରାୟଙ୍କ ନାମ ପଠାଇପାରିବେ। ଏହି ବ୍ୟାଚର ଶ୍ରୀ ଅକ୍ଷୟ ଓ ଶ୍ରୀ ରାୟ ଏବେ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି। ଏଠାରେ ଉଲ୍ଲେଖଥାଉ କି, ଗତ ଦିନମାନଙ୍କରେ ଯାହା ଦେଖାଯାଇଛି, ୟୁପିଏସସି ସବୁଠାରୁ ବରିଷ୍ଠ ତଥା ଅଭିଜ୍ଞ ତିନି ଜଣଙ୍କ ନାମ ସୁପାରିସ କରୁଛନ୍ତି। ଓଡ଼ିଶା କ୍ଷେତ୍ରରେ ଏମିତି ହେଲେ ଚୂଡ଼ାନ୍ତ ତାଲିକାରେ ବରିଷ୍ଠ ଆଇପିଏସ୍ ଅଭୟ, ପ୍ରଦୀପ କାପୁର ଓ ବିଜୟ ଶର୍ମା ରହିବେ। ଏମାନଙ୍କ ମଧ୍ୟରୁ ସରକାର ଜଣଙ୍କୁ ପରବର୍ତୀ ଡିଜି କରିବେ ବୋଲି ଆଶା କରାଯାଉଛି।

ସୂଚନାଥାଉକି, ୨୦୧୭ ମସିହା ଅଗଷ୍ଟ ୩୦ ତାରିଖ ଦିନ ରାଜ୍ୟ ସରକାର ଡାକ୍ତର ଶର୍ମାଙ୍କୁ ଡିଜିପି ଭାବେ ନିଯୁକ୍ତି ନେ ଘୋଷଣା କରିଥିଲେ। ୨୦୨୦ ମେ’ ମାସ ପର୍ଯ୍ୟନ୍ତ ଡାକ୍ତର ଶର୍ମା କାର୍ଯ୍ୟକାଳ ଅଛି। ମାତ୍ର କୌତୂହଳର କଥା ହେଲା, ପୂର୍ବତନ ପୁଲିସ ମହାନିେର୍ଦଶକ ଗୋପାଳ ନନ୍ଦଙ୍କୁ ଛାଡ଼ିଦେଲେ, ପୂର୍ବତନ ପୁଲିସ ମହାନିେର୍ଦଶକ ବିପିନ ବିହାରୀ ମିଶ୍ରଙ୍କ ପରଠାରୁ କୌଣସି ପୁଲିସ ମହାନିେର୍ଦଶକ ଡିଜିପି ଭଳି ଗୁରୁତ୍ବପୂର୍ଣ୍ଣ ପଦବିରେ ରହି ଅବସର ନେଇପାରି ନାହାନ୍ତି।

Comments are closed.