Odisha Link
Bridging the Missing Links in Odisha

ବିଧାନସଭାର ନୂଆ ଠିକଣା ପାଟକୁରା

ଭୁବନେଶ୍ବର: ବିଧାନସଭା ସମୟରେ ରାଜ୍ୟର ରାଜସ୍ବରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ। କିନ୍ତୁ ବିଡମ୍ବନାର ବିଷୟ ବିଧାୟକ ମାନେ ଉପସ୍ଥିତ ରହୁନାହନ୍ତି ବିଧାନସଭାରେ। ଯାହା ଫଳରେ ରାଜ୍ୟର ରାଜସ୍ବ ବହୁ ପରିମାଣରେ କ୍ଷତି ହେଉଛି। ଏ କଥା ଆମେ ଆପଣଙ୍କୁ କହୁ‌ଛୁ କାରଣ ବିଧାନସଭା ଚାଲିଥିବା ସମୟରେ ଶାସକ ଦଳର ବିଧାୟକଙ୍କ ସମେତ ଉଭୟ ବିରୋଧି ଏବଂ କଂଗ୍ରେସ ଦଳର ବିଧାୟକଙ୍କୁ ଦେଖିବାକୁ ମିଳୁନାହିଁ ବିଧାନସଭାରେ। ଗୋଟିଏ ପଟେ ଜମୁଛି ପାଟକୁରା ନିର୍ବାଚନ। ଅପରପକ୍ଷେ ରାଜ୍ୟରେ ଆଇନ୍‌ ଶୃଙ୍ଖଳା ପରିସ୍ଥିତିକୁ ନେଇ ବିଧାନସଭାରେ ବିରୋଧୀ କରୁଛନ୍ତି ହୋ ହାଲ୍ଲା। ତେବେ ଗତକାଲି ବିରେଧୀ ହୋ ହାଲ୍ଲା କରୁଥିବା ସମୟରେ ଖାଲି ପଡ଼ିଥିଲା ବିଧାନସଭା। ଏସବୁ ଦେଖି ବିରୋଧୀ କହିଥିଲେ ଯେ, ଯଦି ମନ୍ତ୍ରୀ ନାହାନ୍ତି ତେବେ ବନ୍ଦ କରି ଦିଆଯାଉ ବିଧାନସଭା।
ଖାଁ ଖାଁ ବିଧାନସଭା:
ଗୋଟିଏ ପଟେ ପାଟକୁରାରେ ଭିଡ ଜମୁଥିବା ବେଳେ ଅନ୍ୟପଟେ ବିଧାନସଭା ଖାଁ ଖାଁ ଲାଗୁଛି। ଏନେଇ କିଛି ଦିନ ହେବ ବିଧାନସଭାର ନୂଆ ଠିକଣା ପାଟକୁରା ହୋଇଯାଇଛି ବୋଲି ସବୁ ଆଡେ ଚର୍ଚ୍ଚା ହେଉଛି। ପାଟକୁରା ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ସରଗରମ। ପାଟକୁରା ନିର୍ବାଚନ ଶାସକ ଦଳ ପାଇଁ କେତେ ଗୁରୁତ୍ବପୂର୍ଣ୍ଣ ତାହାର ପ୍ରଭାବ ସିଧାସଳଖ ବିଧାନସଭାରେ ଦେଖିବାକୁ ମିଳିଛି। ବିଧାନସଭା ଛାଡି ଶାସକ ଦଳର ବିଧାୟକ ଓ ମନ୍ତ୍ରୀ ମାନେ ପାଟକୁରା ପ୍ରଚାର ମୈଦାନରେ ଭିଡ ଜମାଇଛନ୍ତି। ଆଉ ଏପଟେ ଖାଲି ପଡିଛି ବିଧାନସଭା ଆସନ। ଗତକାଲି ବିଧାନସଭାରେ ପ୍ରାୟ ୪୦ ପ୍ରତିଶତରୁ ଅଧିକ ବିଧାୟକଙ୍କୁ ଦେଖିବାକୁ ମିଳି ନଥିଲା। ସେହିଭଳି ବିଧାନସଭାର ଦ୍ବିତୀୟାର୍ଦ୍ଧରେ ମାତ୍ର ୬ରୁ ୭ ଜଣ ମନ୍ତ୍ରୀଙ୍କୁ ଦେଖିବାକୁ ମିଳିଥିଲା ବିଧାନସଭାରେ। ଖାଲି ଶାସକ ଦଳର ବିଧାୟକ ମାନେ ନୁହଁନ୍ତି ଉଭୟ ବିରୋଧି ଏବଂ କଂଗ୍ରେସ ଦଳର ବିଧାୟକ ମାନେ ପ୍ରଚାର ମଇଦାନରେ ମଧ୍ୟ ଦେଖିବାକୁ ମିଳୁଛନ୍ତି।
ରାଜ୍ୟର ସ୍ବାର୍ଥ ବନାମ ପାଟକୁରା:
ରାଜ୍ୟର ବିକାଶ ପାଇଁ ବଭିନ୍ନ ବିଷୟ ଉପରେ ବିଧାୟକ ମାନେ ବିଧାନସଭାରେ ପ୍ରଶ୍ନ ଉଠାଇଥାନ୍ତି। କିନ୍ତୁ ବିଡମ୍ବନାର ବିଷୟ ବିଧାୟକଙ୍କ ପ୍ରଶ୍ନର ଉତ୍ତର ଦେବା ପାଇଁ ବିଧାନସଭାରେ ମନ୍ତ୍ରୀ ରହୁ ନାହାନ୍ତି। କାହିଁକି ନା ରାଜ୍ୟର ବିକାଶ ଅପେକ୍ଷା ପାଟକୁରା ନିର୍ବାଚନ ମନ୍ତ୍ରୀ, ବିଧାୟକଙ୍କ ପାଇଁ ବେଶ୍‌ ଗରୁତ୍ବପୂର୍ଣ୍ଣ।
ବିରେଧୀ କହିଲେ କଣ:
ଆଇନଶୃଙ୍ଖଳା, ନିଯୁକ୍ତି ଏବଂ ଚାଷୀ ସମସ୍ୟା ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଚର୍ଚ୍ଚା ହେଉଥିବା ବେଳେ, ଗୃହରେ ଶାସକ ଦଳର ବିଧାୟକ ଏବଂ ମନ୍ତ୍ରୀଙ୍କ ଦେଖା ମିଳୁନାହିଁ। ଯାହାଫଳରେ ଏସବୁ ଉପରେ ବିସ୍ତୃତ ଭାବେ ଆଲୋଚନା ହୋଇପାରୁନାହିଁ। ଯେଉଁଥି ପାଇଁ ପାଟକୁରା ନିର୍ବାଚନ ସରିବା ଯାଏଁ ବିଧାନସଭାକୁ ବନ୍ଦ ରଖିବାକୁ ଦାବି କରିଛନ୍ତି ବିରୋଧୀ।

Comments are closed.