Odisha Link
Bridging the Missing Links in Odisha

ବିଜେଡ଼ିର ବିଜୟ ଅପେକ୍ଷା ଚର୍ଚ୍ଚାରେ ବିଜୟଙ୍କ ପରାଜୟ, କାରଣ କ’ଣ

ଭୁବନେଶ୍ବର: ବହୁ ଚର୍ଚ୍ଚିତ ପାଟକୁରା ବିଧାନସଭାକୁ ଶେଷରେ ହାତେଇଛି ବିଜେଡ଼ି। ପାଟକୁରା ନିର୍ବାଚନରେ ହେଉଥିବା ସ୍ବାଭିମାନ ଓ ସମ୍ମାନର ଲଢେଇରେ ବାଜି ମାରିଛନ୍ତି ବିଜେଡ଼ି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ବାଲ। ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ବିଜେଡ଼ି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ବାଲାଙ୍କ ଠାରୁ ୧୭,୯୨୦ ଖଣ୍ଡ ଭୋଟ ବ୍ୟବଧାନରେ ପରାଜିତ ହୋଇଛନ୍ତି। ଅପରପକ୍ଷେ ଏକଦା କଂଗ୍ରେସର ଗଡ଼ କୁହାଯାଉଥିବା ପାଟକୁରାରେ ନିଜ ଅମାନତ ହରାଇଛି କଂଗ୍ରେସ। ବିଜେଡ଼ିର ବିଜୟ ଅପକ୍ଷୋ ବର୍ତ୍ତମାନ ସମୟରେ ବିଜୟଙ୍କ ପରାଜୟକୁ ନେଇ ଚର୍ଚ୍ଚା ଜୋର ଧରିଛି। ବିଜୟଙ୍କ ପରାଜୟର କାରଣ କଣ ହୋଇ ଥାଇପାରେ ସେ ନେଇ ବିଚାର ବିମର୍ଶ ଆରମ୍ଭ କରିଛନ୍ତି ନେତା। ଏଥି ସହିତ ଆମେ ଆପଣଙ୍କୁ କହିବୁ ପରାଜୟର କାରଣ କଣ।

ଏକଦା ବିଜୁ ପଟ୍ଟନାୟକଙ୍କ ଅମଳରେ ବିଜୟ ମହାପାତ୍ର ଚାରି ଚାରି ଥର ବିଧାନସଭା ଆସିଥିବା ବେଳେ ବିଜୁଙ୍କ ପୁଅ ନବୀନଙ୍କ ସମୟରେ ଚାରି ଚାରି ଥର ବିଧାନସଭାରୁ ଦୂରେଇ ରହିଛନ୍ତି ବିଜୟ ମହାପାତ୍ର।


୧-ବିଜେପୁର ଭଳି ପାଟକୁରାରେ ଦମ୍ ଦେଖାଇଲାନି ବିଜେପି:
ଗତ ୨୦୧୮ ଫେବୃୟାରୀ ମାସରେ ରାଜ୍ୟରେ ବିଜେପୁର ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଉପ-ନିର୍ବାଚନ ସମୟରେ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସର ନିର୍ବାଚନୀ ରଣକୌଶଳ ଏବଂ ପାଟକୁରା ବିଧାନସଭା ନିର୍ବାଚନରେ ଏହି ୩ ଦଳର ରଣକୌଶଳ ମଧ୍ୟରେ ଆକାଶ-ପାତାଳ ଫରକ ଦେଖିବାକୁ ମିଳିଥିଲା। ବିଜେପୁର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ରୀତା ସାହୁ ବିଜୟୀ ହୋଇଥିଲେ ମଧ୍ୟ ବିଜେପି ନିଜର ସମସ୍ତ ଶକ୍ତି ସହ କଡ଼ା ଟକ୍କର ଦେଇଥିଲା ବିଜେଡ଼ିକୁ । ସେହିପରି ସେଠାରେ କଂଗ୍ରେସର ସ୍ଥିତି ଦୁର୍ବଳ ଥିଲେ ମଧ୍ୟ ଦଳ ପୁରା ଦମ୍ ସହ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲା। ପାଟକୁରାରେ ବିଜେଡ଼ିକୁ ଛାଡ଼ି ହେଲେ ଉଭୟ ବିଜେପି ଏବଂ କଂଗ୍ରେସ ନିର୍ବାଚନୀ ପ୍ରଚାର ପଛରେ ପଡ଼ିଯାଇଥିଲେ।


୨-ବିଜେଡ଼ି ଷ୍ଟ୍ରାଟେଜି ବିଜେପି ଉପରେ ଭାରି ପଡ଼ିଲା:
ବିଜୟଙ୍କ ପରାଜୟ ପରେ ବିଜେପିର ଷ୍ଟ୍ରାଟେଜିକୁ ନେଇ ପ୍ରଶ୍ନ ଉଠିଛି। ପାଟକୁରା ନିର୍ବାଚନ ପାଇଁ ବିଜେପି ହାତରେ ବହୁ ସମୟ ଥିଲେ ମଧ୍ୟ ତାହାକୁ ଠିକ୍ ଢଙ୍ଗରେ ସୁଦୁପଯୋଗ କରିପାରିଲେ ନାହିଁ ବିଜେପି ନେତା। ପାଟକୁରା ବିଧାନସଭା ଭୋଟ ଏପ୍ରିଲ ୨୯ ତାରିଖରେ ହେବ ବୋଲି ନିର୍ବାଚନ କମିଶନ ତାରିଖ ନିର୍ଦ୍ଧାରଣ କରିଥିଲେ। କିନ୍ତୁ ନିର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ ହଠାତ ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲାଙ୍କ ଦେହାନ୍ତ ହୋଇଗଲା। ଫଳରେ ନିର୍ବାଚନ ସ୍ଥଗିତ ରହିଥିଲା। ପରେ ମେ’ ୧୯ରେ ପାଟକୁରାରେ ଭୋଟ ହେବ ବୋଲି ନିର୍ବାଚନ କମିଶନ ତାରିଖ ଘୋଷଣା କଲେ। ବିଜେପି ଚାହିଁଥିଲେ ଏହି ସମୟ ଭିତରେ ପାଟକୁରାରେ ନିଜର ସ୍ୱତନ୍ତ୍ର ଷ୍ଟ୍ରାଟେଜି ତିଆରି କରି ପାଟକୁରା ଭୋଟରଙ୍କ ପାଖକୁ ଯାଇପାରିଥାନ୍ତେ। ହେଲେ ସେମିତି କିଛି ହୋଇ ନଥିବା ଚର୍ଚ୍ଚା ହେଉଛି। ଫନି ବାତ୍ୟା ପାଇଁ ମେ’ ୧୯ରେ ହେବାକୁ ଥିବା ନିର୍ବାଚନ ଜୁଲାଇ ୨୦କୁ ଘୁଞ୍ଚିଲା। ବେଦପ୍ରକାଶଙ୍କ ସ୍ତ୍ରୀ ସାବିତ୍ରୀ ଅଗ୍ରୱାଲାଙ୍କୁ ପ୍ରାର୍ଥୀ କରି ବିଜେଡି ପାଟକୁରାରେ କମର କଷିବା ଆରମ୍ଭ କଲା। ନିର୍ବାଚନର ପ୍ରାୟ ମାସେ ପୂର୍ବରୁ ବିଜେଡିର ନେତା ମନ୍ତ୍ରୀ ପାଟକୁରାରେ ଡେରା ପକାଇ ଭୋଟରଙ୍କୁ ଭେଟିଲେ। ବିଜେଡି ଭଳି ଏହି ଜାତୀୟ ଦଳ ଠିକ୍ ଭାବେ ଷ୍ଟ୍ରାଟେଜି ତିଆରି କରି ଲୋକଙ୍କ ପାଖକୁ ଯାଇପାରି ନଥିବା ଚର୍ଚ୍ଚା ହେଉଛି।


୩- ନବୀନଙ୍କ ସିମ୍ପାଥୀ କାର୍ଡ଼:
ସ୍ବର୍ଗତ ବେଦ ପ୍ରକାଶଙ୍କ ଅଗ୍ରଓାଲଙ୍କ ଦେହାନ୍ତ ପରେ ନବୀନ ତାଙ୍କ ପତ୍ନୀ ସାବିତ୍ରୀ ଅଗ୍ରଓ୍ବାଲଙ୍କୁ ପ୍ରାର୍ଥୀ କରିଥିଲା। ସିମ୍ପାଥୀ ଭୋଟକୁ ଦୃଷ୍ଟିରେ ରଖି ନବୀନ ପାଟକୁରାରେ ସିମ୍ପାଥୀ କାର୍ଡ଼ ଖେଳିଥିବା ନେଇ ଚର୍ଚ୍ଚା ହେଉଛି। ଦିବଙ୍ଗତ ଜନ ପ୍ରତିନିଧିଙ୍କ ପରିବାରକୁ ଟିକେଟ ଦେବା ବିଜେଡିର ପୁରୁଣା ଷ୍ଟ୍ରାଟେଜି। ପୂର୍ବରୁ ବିବଙ୍ଗତ ନେତାଙ୍କ ପତ୍ନୀକୁ ଟିକେଟ ଦେଇ ବିଜୟୀ ହୋଇଛନ୍ତି ନବୀନ। ୨୦୧୮ବିଜେପୁର ଉପନିର୍ବାଚନରେ ଦିବଙ୍ଗତ ବିଧାୟକ ସୁବଳ ସାହୁଙ୍କ ସ୍ତ୍ରୀ ରୀତାଙ୍କୁ ପ୍ରାର୍ଥୀ କରି କଂଗ୍ରେସ ଗଡ଼କୁ ଅକ୍ତିଆର କରିଥିଲା ବିଜେଡି। ସେହିପରି ହେମେନ୍ଦ୍ର ସିଂହଙ୍କ ଦେହାନ୍ତ ପରେ କନ୍ଧମାଳ ଉପନିର୍ବାଚନରେ ତାଙ୍କ ସ୍ତ୍ରୀ ପ୍ରତ୍ୟୁଷା ରାଜେଶ୍ୱରୀଙ୍କୁ ପ୍ରାର୍ଥୀ କରି ଜିତିଥିଲା ବିଜେଡି।ଭାଗବତ ବେହେରାଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ ମନ୍ଦାକିନୀଙ୍କୁ ନୟାଗଡ଼ରରେ ବିଜେଡି ଲଢ଼ାଇଥିଲା।ଖଣ୍ଡପଡ଼ାର ପୂର୍ବତନ ବିଧାୟକ ଅରୁଣ ପଟ୍ଟନାୟକଙ୍କ ଦେହାନ୍ତ ପରେ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ ପଟ୍ଟନାୟକଙ୍କୁ ୨୦୦୦ରେ ପ୍ରାର୍ଥୀ କରି ଜିତିଥିଲା ବିଜେଡି। ଏଥିରୁ ପ୍ରମାଣିତ ଯେ ସିମ୍ପାଥି କାର୍ଡ଼ ଖେଳି ସବୁଠି ବାଜିମାତ ମାରିଛି ବିଜେଡ଼ି।


୪- ବିଜେଡ଼ି-ବିଜେପିର ସମ୍ପର୍କରେ ଦ୍ବନ୍ଦରେ ରହିଲେ ପାଟକୁରା ବାସୀ:
୨୦୧୯ ସାଧାରଣ ନିର୍ବାଚନ ପରେ ବିଜେପି ଓ ବିଜେଡ଼ି ମଧ୍ୟରେ ଭାଇ ଭାଇର ସମ୍ପର୍କ ଦେଖିବାକୁ ମିଳିଥିଲା। ବିଜେପି ରାଜ୍ୟସଭା ପ୍ରାର୍ଥୀି ଅଶ୍ବିନି ବୈଷ୍ଣବଙ୍କୁ ବିଜେଡ଼ି ସମର୍ଥିତ କରି ଓଡ଼ିଶାରୁ ରାଜ୍ୟସଭା ପଠାଇବା ହେଉ ବା ରାଜ୍ୟସଭାରେ ବିଜେପିର ରାୟକୁ ସମର୍ଥନ କରିବା ହେଉ। ଏସବୁ ସମ୍ପର୍କକୁ ଦେଖି ପାଟକୁରାବାସୀ ଦ୍ବନ୍ଦରେ ଭୋଟ ଦେଇଥିବା ରାଜନୀତିକ ସମୀକ୍ଷକ ମାନେ କହିଛନ୍ତି। ବିଜେଡ଼ି-ବିଜେପିର ଭାଇ ଭାଇ ସମ୍ପର୍କ ବିଜୟଙ୍କ ପରାଜୟର ମୁଖ୍ୟ କାରଣ ବୋଲି ଚର୍ଚ୍ଚା ହେଉଛି।


୫-ନବୀନଙ୍କ କ୍ରେଜ ଆଗରେ ଫିକା ପଡ଼ିଲା ସ୍ବାଭିମାନ:
ପାଟକୁରାରେ ସ୍ବାଭିମାନ ଅପେକ୍ଷା ନବୀନଙ୍କ କ୍ରେଜ କାମ କରିଛି। ଖୋଦ୍‌ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲାଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ। ମତଦାନର ଠିକ୍ ଦୁଇ ଦିନ ପୂର୍ବରୁ ହାଇଟେକ୍‌ ବସ୍‌ରେ ପାଟକୁରା ନିର୍ବାଚନମଣ୍ତଳୀର ଡେରାବିଶ, ଗରଦପୁର ଏବଂ ମାର୍ଶାଘାଇ ବ୍ଲକର ବିଭିନ୍ନ ଗାଁ ବୁଲି ପ୍ରଚାର କରିଥିଲେ। ପ୍ରାୟ ୭ ଘଣ୍ଟା ଧରି ନବୀନ ମାରାଥନ ପ୍ରଚାର କରିଥିଲେ। ପ୍ରଚାର ସମୟରେ ନବୀନ କହିଥିଲେ, ‘‘ବିଜେଡି ପ୍ରାର୍ଥୀଙ୍କୁ ଭୋଟ ଦିଅନ୍ତୁ। ମୁଁ ପାଟକୁରା ଦାୟିତ୍ୱ ନେବି।’’ ନବୀନଙ୍କ ଏହି ପଦିଏ କଥା ପାଟକୁରା ଭୋଟରଙ୍କ ମନ ଓ ବିଶ୍ବସା ଜିତି ଥିବା କୁହାଯାଉଛି।

Comments are closed.