Odisha Link
Bridging the Missing Links in Odisha

ପୁଣି ନରସିଂହ-ବିଷ୍ଣୁ କଥା କଟାକଟି

ଭୁବନେଶ୍ୱର : ମଙ୍ଗଳବାର ପୁଣି ନରସିଂହ-ବିଷ୍ଣୁ ମୁହାଁମୁହିଁ । ଗାନ୍ଧୀ ବନାମ ଗଡସେ ପ୍ରସଙ୍ଗରେ ମଙ୍ଗଳବାର ବିଧାନସଭାରେ କଂଗ୍ରସେ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ମୁହାଁମୁହିଁ ହୋଇଛନ୍ତି । ଗତକାଲି ଗୃହରେ ବିଷ୍ଣୁ ସେଠୀଙ୍କ ପ୍ରତିକ୍ରିୟାକୁ ନେଇ ମଙ୍ଗଳବାର ନରସିଂହ ମିଶ୍ର ବର୍ଷିଛନ୍ତି । ସେ କହିଛନ୍ତି ଯେ, ମଣିଶଙ୍କର ଓ ସିଦ୍ଧୁ ବାହାର ଲୋକ । କାହିଁକି ସେ ନେଇ ବିଧାନସଭାରେ ଆଲୋଚନା ହେଲା । ମଣିଶଙ୍କରଙ୍କ ବିରୋଧରେ ଦଳ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।
ତେବେ ନରସିଂହଙ୍କ ପ୍ରତିକ୍ରିୟାର ଜବାବ ରଖି ବିଷ୍ଣୁ ସେଠୀ କହିଛନ୍ତି ଯେ, ପୂର୍ବରୁ ବି ବାହାର ଲୋକଙ୍କ ବିଷୟରେ ଏଠାରେ ଆଲୋଚନା ହୋଇଛି । ଅନେକ ସମୟରେ କଂଗ୍ରେସ ରାଷ୍ଟ୍ରୀୟ ସଭାପତି ବି ଅଯୌକ୍ତିକ କଥା କୁହନ୍ତି । ତେବେ ବିଷ୍ଣୁଙ୍କ ବୟାନକୁ ନେଇ କଂଗ୍ରେସ ସଦସ୍ୟମାନେ ହୋହାଲ୍ଲା କରିବା ସହ ପାଟି ତୁଣ୍ଡ କରିଥିଲେ ।
ପ୍ରକାଶ ଯେ, ସୋମବାର ବିଧାନସଭାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ମୁହାଁମୁହିଁ ହୋଇଥିଲେ । ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ସମ୍ପର୍କରେ ଆଲୋଚନା ବେଳେ ନରସିଂହ ମିଶ୍ର ଓ ବିଷ୍ଣୁ ସେଠୀ ପରସ୍ପରକୁ ଟାର୍ଗେଟ କରିଥିଲେ । ପ୍ରଥମେ କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ମିଶ୍ର କେନ୍ଦ୍ର ସରକାରଙ୍କ ଅଭିମୁଖ୍ୟକୁ ସୋମାଲୋଚନା କରି ବର୍ଷିଥିଲେ । ସେ କହିଥିଲେ ଯେ, କିଛି ଲୋକ ଗାନ୍ଧୀଙ୍କ ହତ୍ୟାକାରୀ ଗଡସେ ଫଟୋକୁ ପୂଜା କରୁଛନ୍ତି । ସେମାନେ ଗଡସେର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହେବା ଭଳି ଜଣାପଡ଼ୁଛି ବୋଲି ଶ୍ରୀ ମିଶ୍ର କହିଥିଲେ ।
ତେବେ ନରସିଂହ ମିଶ୍ରଙ୍କ ମନ୍ତବ୍ୟର ଜବାବ ଦେଇଥିଲେ ବିଷ୍ଣୁ ସେଠୀ । ସେ କହିଥିଲେ ଯେ, କାହାକୁ ଅଙ୍ଗୁଳି ଉଠାଇବା ପୂର୍ବରୁ ପ୍ରଥମେ ନିଜକୁ ଦେଖନ୍ତୁ । ଆପଣଙ୍କ ମଣିଶଙ୍କର ଆୟର ଓ ସିଦ୍ଧୁ କଣ କହୁଛନ୍ତି । ଏହା ଉପରେ ପୂର୍ଣ୍ଣାଙ୍ଗ ଆଲୋଚନା ହେଉ । ଏନେଇ ଆମେ ପ୍ରସ୍ତୁତ ବୋଲି ଶ୍ରୀ ସେଠୀ କହିଥିଲେ ।

Comments are closed.