Odisha Link
Bridging the Missing Links in Odisha

ମିଛ ସାର୍ଟିଫିକେଟ୍ ଦେଇ ଚାକିରି କରିଥିବା ମାଷ୍ଟରଙ୍କ ନାଁରେ ମାମଲା

ଗଜପତି : ଫେକ ସାର୍ଟିଫିକେଟ ଦେଇ ସରକାରୀ ଚାକିରି କରିଛନ୍ତି ସାରେ । ଶିକ୍ଷାଗତ ଯୋଗ୍ୟତା ନଥାଇ ବି ସରକାରୀ ସ୍କୁଲର ଶିକ୍ଷକ ସାଜିଛନ୍ତି । ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି ଗଜପତି ଜିଲ୍ଲାର କାର୍ଯ୍ୟରତ କିଛି ଶିକ୍ଷକଙ୍କ ବିରୋଧରେ । ନକଲି ବିଇଡି ସାର୍ଟିଫିକେଟ୍ ଦେଇ ଶିକ୍ଷକ ସାଜିଥିବା ଠକ ଶିକ୍ଷକଙ୍କ ବିରୋଧରେ ରୁଜୁ ହୋଇଛି ମାମଲା ।
ତେବେ ମାମଲା ପରେ ସାରଙ୍କୁ ଫସେଇ ଦେଇଛି ଜାଲ୍ ସାର୍ଟିଫିକେଟ୍ । ନକଲି ବିଇଡି ସାର୍ଟିଫିକେଟ୍ ଦେଇ ଫସିଛନ୍ତି ତିନି ଶିକ୍ଷକ । ଅଭିଯୋଗ ଅନୁସାରେ ଜିଲ୍ଲାର ବିଭିନ୍ନ ସ୍କୁଲରେ ଏମତି ଜାଲି ବିଇଡି ସାର୍ଟିଫିକେଟ୍ ଦେଇ ୨୦୧୬ରୁ ଚାକିରି କରିଛନ୍ତି କିଛି ଶିକ୍ଷକ । ତେବେ ଅଭିଯୋଗ ପରେ ଶିକ୍ଷା ବିଭାଗ ଆରମ୍ଭ କରିଥିଲା ଖୋଳତାଡ । ଆଉ ଖୋଳତାଡରୁ ଜଣାପଡିଥିଲା କି ଶିକ୍ଷକମାନେ ଦାଖଲ କରିଥିବା ଗୌହାଟି ୟୁନିଭର୍ସିଟିର ବିଇଡି ସାର୍ଟିଫିକେଟ୍ ସଂପୂର୍ଣ୍ଣ ନକଲି । ଏହି ନାଁରେ କୌଣସି ଅନୁଷ୍ଠାନ ନାହିଁ ।
ନାଁ ନଥିବା ବିଶ୍ୱବିଦ୍ୟାଳୟର ପ୍ରମାଣ ପତ୍ର ଦେଇ ଚାକିରି କରିଥିବା ୩ ଶିକ୍ଷକଙ୍କ ନାଁରେ ମାମଲା ହୋଇଛି । ମୋହନା ବ୍ଳକ ଅର୍ନ୍ତଗତ ପ୍ରକଳ୍ପ ଉଚ୍ଚପ୍ରଥମିକ ବିଦ୍ୟାଳୟର ଶିକ୍ଷକ ନରେଶ ମହାରଣା, କୁଙ୍କୁଣି ସ୍କୁଲର ଶିକ୍ଷୟିତ୍ରୀ ଶର୍ମିଷ୍ଠା ପାତ୍ର ଏବଂ ଯୋଡିପଥର ସ୍କୁଲର ଶିକ୍ଷୟିତ୍ରୀ ସୁଭଶ୍ରୀ ଶତପଥୀଙ୍କ ବିରୋଧରେ ଥାନାରେ ମାମଲା ରୁଜୁ କରିଛି ଜିଲ୍ଲା ଶିକ୍ଷା ବିଭାଗ ।
୩ ଶିକ୍ଷକଙ୍କ ବିରୋଧରେ ଠକେଇ, ନକଲି ପ୍ରମାଣ ପତ୍ର ଦେଇ ଚାକିରି କରିବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନାରେ ଶିକ୍ଷାଧିକାରୀ ଏତଲା ଦେଇଛନ୍ତି । ପୁଲିସ ଏହାକୁ ଆଧାର କରି ଶିକ୍ଷକଙ୍କ ବିରୋଧରେ ଆଇପିସି ଧାରା ୪୨୦, ୪୬୮, ୪୬୭ ଓ ୩୪ ଅନୁସାରେ ଦଫା ଲଗାଇଛି । ଜିଲ୍ଲାରେ ଏହିପରି ବହୁ ଶିକ୍ଷକ କାର୍ଯ୍ୟରତ ଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ।

Comments are closed.