Odisha Link
Bridging the Missing Links in Odisha

ଉଷା ପାଢ଼ୀଙ୍କ ବିରୋଧରେ ଗିରଫ ପରୱାନା

କଟକ: ପ୍ରାଥମିକ ଶିକ୍ଷକ ନିଯୁକ୍ତି କ୍ଷେତ୍ରରେ ଅନିୟମିତତାକୁ ନେଇ ପୃଥକ ଦୁଇଟି ମାମଲାର ରାଜ୍ୟ ପ୍ରଶାସନିକ ଟ୍ରିବ୍ୟୁନାଲ(ସ୍ୟାଟ୍) ଶୁଣାଣି କରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପୂର୍ବତନ ସଚିବ ଉଷା ପାଢୀଙ୍କ ବିରୋଧରେ ଜାମିନ ଯୋଗ୍ୟ ଗିରଫ ପରୱାନା ଜାରି କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସୌମେନ୍ଦ୍ର କୁମାର ମହାପାତ୍ର ମାମଲା ପରିଚାଳନା କରୁଛନ୍ତି।
୨୦୧୯, ଜୁନ୍ ୨୮ରେ ସ୍ୟାଟ୍ ମାମଲାର ଶୁଣାଣି କରି ୨୦୧୨, ମେ’ ୧୮ରେ ପ୍ରଦାନ କରାଯାଇଥିବା ନିର୍ଦ୍ଦେଶକୁ ୨୦୧୯ ଜୁଲାଇ ସୁଦ୍ଧା କାର୍ଯ୍ୟକାରୀ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଯଦି ଏଥିରେ ଅବହେଳା କରାଯାଏ; ତେବେ ପ୍ରତିପକ୍ଷ ପରବର୍ତ୍ତୀ ଶୁଣାଣିବେଳେ ବ୍ୟକ୍ତିଗତ ହାଜର ହେବେ ବୋଲି ସ୍ୟାଟ୍‌ ନିର୍ଦ୍ଦେଶ ଦେଇଥିଲେ। ଗୁରୁବାର ମାମଲାର ଶୁଣାଣିରେ ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ ୨୦୧୨, ମେ’ ୧୮ର ନିର୍ଦ୍ଦେଶ ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯାଇନାହିଁ। ଅନ୍ୟପକ୍ଷରେ ପ୍ରତିପକ୍ଷ ବ୍ୟକ୍ତିଗତ ହାଜର ନ ହୋଇ ହାଇକୋର୍ଟରେ ରିଭ୍ୟୁ ପିଟିସନ୍ ଦାୟର କରାଯାଇଛି ବୋଲି ଦର୍ଶାଇ ଅଦାଲତ ଅବମାନନା ମାମଲାର ଶୁଣାଣି ସ୍ଥଗିତ ରଖିବାକୁ ପ୍ରାର୍ଥନା କରିଥିଲେ। ସ୍ୟାଟ୍ ଏପରି ପ୍ରାର୍ଥନାକୁ ଅଗ୍ରାହ୍ୟ କରିତତ୍କାଳୀନ ଗଣଶିକ୍ଷା ସଚିବ ଉଷା ପାଢୀଙ୍କ ବିରୋଧରେ ଗିରଫ ପରୱାନା ଜାରି ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Comments are closed.