Odisha Link
Bridging the Missing Links in Odisha

କାଶ୍ମୀର ପ୍ରସଙ୍ଗରେ କଣ କହିଲେ ଟ୍ରମ୍ପ୍

ୱାଶିଂଟନ: ପୁଣି ଥରେ କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତାକୁ ନେଇ ମୁହିଁ ଖୋଲିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଟ୍ରମ୍ପ ଗୁରୁବାର କହିଛନ୍ତି ଯେ ମଧ୍ୟସ୍ଥତାର ନିଷ୍ପତ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାତରେ ଅଛି। ଭାରତ ଓ ପାକିସ୍ତାନ ଚାହିଁଲେ ମୁଁ ଏହି ପ୍ରସଙ୍ଗରେ ନିଶ୍ଚୟ ହସ୍ତକ୍ଷେପ କରିବି। ମୋଦୀ ଓ ଇମ୍ରାନ ଖାନ ମିଳିତ ଭାବେ ବହୁତ ଭଲ କାମ କରିପାରିବେ ବୋଲି ମୁଁ ଆଶା କରୁଛି। ୧୦ ଦିନ ତଳେ ଜୁଲାଇ ୨୨ରେ ୱାଶିଂଟନଠାରେ ଇମ୍ରାନ ଖାନଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପ କାଶ୍ମୀର ପ୍ରସଙ୍ଗରେ ମତ ରଖିଥିଲେ। ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ କାଶ୍ମୀର ପ୍ରସଙ୍ଗରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା କରିବାକୁ କହିଥିଲେ। ଇମ୍ରାନ ମଧ୍ୟ ଟ୍ରମ୍ପଙ୍କୁ ମଧ୍ୟସ୍ଥତା କରିବାକୁ କହିଥିଲେ। ସେତେବେଳେ ଭାରତ ଟ୍ରମ୍ପଙ୍କ ଦାବିକୁ ଖଣ୍ଡନ କରିଥିଲା। ଭାରତ କାଶ୍ମୀର ପ୍ରସଙ୍ଗରେ ତୃତୀୟ ପକ୍ଷର ମଧ୍ୟସ୍ଥତାକୁ ସବୁବେଳେ ବିରୋଧ କରିଆସୁଛି। ପ୍ରଧାନମନ୍ତ୍ରୀ ମୋଦୀ କେବେ କେହି କାଶ୍ମୀର ଉପରେ ମଧ୍ୟସ୍ଥତା କରନ୍ତୁ ବୋଲି କହିନାହାନ୍ତି ବୋଲି ଭାରତ ବିଦେଶ ମନ୍ତ୍ରାଳୟ ଏବଂ ଲୋକସଭାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଥିଲେ।

ତେବେ ଗୁରୁବାର ଟ୍ରମ୍ପଙ୍କୁ ଏହି ପ୍ରସଙ୍ଗରେ ପ୍ରଶ୍ନ କରାଯିବାରୁ ସେ କହିଛନ୍ତି ଯେ ମୁଁ ନିକଟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସହ ସାକ୍ଷାତ ଆଲୋଚନା କରିଥିଲି। ମୋଦୀ ଏବଂ ଇମ୍ରାନ ଭଲ ଲୋକ ବୋଲି ମୁଁ ଅନୁଭବ କରୁଛି। ତେଣୁ ଉଭୟ ଏକାଠି ଭଲ କାମ କରିବେ ବୋଲି ମୁଁ ଆଶା କରୁଛି। ଭାରତ ଓ ପାକିସ୍ତାନ ଚାହିଁଲେ ମୁଁ ନିଶ୍ଚୟ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବି।

Comments are closed.