Odisha Link
Bridging the Missing Links in Odisha

ଖୋଲିଲା ହୀରାକୁଦ ଡ୍ୟାମର ୭ ନମ୍ବର ସ୍ଲୁଇସ୍ ଗେଟ୍

ସମ୍ବଲପୁର: ହୀରାକୁଦ ଛାଡିିଛି ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ। ବିଶେଷ ପୂଜାର୍ଚ୍ଚନା ପରେ ଆଜି ଡ୍ୟାମର ୭ ନମ୍ବର ସ୍ଲୁଇସ୍ ଗେଟ୍ ଖୋଲାଯାଇଛି। ସେଥିପାଇଁ ମହାନଦୀରେ ବନ୍ୟା ଆସିବାର ଆଶଙ୍କା ରହିଛି । ଏଥିପାଇଁ ୬ ଟି ଜିଲ୍ଲାରେ ଆଲର୍ଟ ଜାରି କରାଯାଇଛି। ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ମହାନଦୀ ଅବବାହିକା ଅଞ୍ଚଳରେ ବନ୍ୟା ଆସିବାର ଆଶଙ୍କା ଦେଖାଦେଇଛି। ତେଲ ନଦୀରୁ ଆସୁଥିବା ବନ୍ୟା ଜଳ ଯୋଗୁଁ ମହାନଦୀ ଏବଂ ଏହାର ଶାଖା ନଦୀ ଗୁଡିକରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ଆଜି ହୀରାକୁଦର ଜଳସ୍ତର ୬୧୮.୨୪ ଫୁଟ ରହିଛି। ଡ୍ୟାମର ଜଳଧାରଣ କ୍ଷମତା ୬୩୦ ଫୁଟ ରହିଛି। ଏହାକୁ ନଜରରେ ରଖି ଆଜି ଡ୍ୟାମରୁ ପ୍ରଥମ ବନ୍ୟା ଜଳ ଛଡାଯାଇଛି।
ଆଜି ଗୋଟିଏ ଗେଟକୁ ୨ ରୁ ୩ ଘଣ୍ଟା ପାଇଁ ପରୀକ୍ଷାମୂଳକ ଭାବେ ଖୋଲାଯାଇଛି। ତେବେ ଜନସାଧାରଣ ହୀରାକୁଦର ବନ୍ୟାଜଳ ପ୍ରବାହ ଜନିତ ବନ୍ୟା ଆଶଙ୍କାରେ ଆତଙ୍କିତ ହେବାର ନାହିଁ ବୋଲି କୁହାଯାଇଛି। ମହାନଦୀ ଅବବାହିକାରେ ଥିବା ଜିଲ୍ଲା ଗୁଡିକର ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ବା ଏସପିମାନଙ୍କୁ ବନ୍ୟା ସ୍ଥିତି ମୁକାବିଲା କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ କୁହାଯାଇଛି। ଜଳସମ୍ପଦ ବିଭାଗର ସମସ୍ତ ଯନ୍ତ୍ରୀ ଏବଂ ଅନ୍ୟ କର୍ମଚାରୀଙ୍କୁ ନିଜର ହେଡକ୍ୱାଟର୍ସରେ ରହିବାପାଇଁ ନିର୍ଦ୍ଦେଶ ଦିଆଯାଇଛି। ଉପକୂଳବର୍ତି ଜିଲ୍ଲାମାନଙ୍କର ନିର୍ବାହୀ ଯନ୍ତ୍ରୀମାନଙ୍କୁ ସେମାନଙ୍କ ଅଧିନରେ ଥିବା ନଦୀବନ୍ଧଗୁଡିକୁ ପରିଦର୍ଶନ କରିବା ପାଇଁ କୁହାଯାଇଛି । ବନ୍ୟା ସମ୍ବନ୍ଧୀୟ ତଥ୍ୟର ଆଦାନ ପ୍ରଦାନ ପାଇଁ ସମସ୍ତ ଡିଭିଜନ, ସର୍କଲ, ମୁଖ୍ୟଯନ୍ତ୍ରୀ ଏବଂ ସର୍ବୋଚ୍ଚ ଯନ୍ତ୍ରୀ ଜଳସମ୍ପଦ ବିଭାଗ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ ବନ୍ୟା ନିୟନ୍ତ୍ରଣ କକ୍ଷ ମଧ୍ୟ କାମ କରୁଛି ।

Comments are closed.