Odisha Link
Bridging the Missing Links in Odisha

ଜି-୭ ଶିଖର ସମ୍ମିଳନୀ: ଆଜି ମୋଦି- ଟ୍ରମ୍ପ ସାକ୍ଷାତ

ନୂଆଦିଲ୍ଲୀ: ଜି-୭ ଶିଖର ସମ୍ମିଳନୀ ଫ୍ରାନ୍ସର ବ୍ୟାରିଟିଜ୍‌ରେ ସହରରେ ଆରମ୍ଭ ହୋଇଯାଇଛି। ପ୍ରଧାନମନ୍ତ୍ରୀ ମୋଦି ଏହି ସମ୍ମିଳନୀରେ ପହଞ୍ଚି ବହୁ ରାଷ୍ଟ୍ର ମୁଖ୍ୟଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଆଜି ପ୍ରଧାନମନ୍ତ୍ରୀ ମୋଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବେ। ଏହି ୨ ଚର୍ଚ୍ଚିତ ନେତାଙ୍କ ସାକ୍ଷାତ ଉପରେ ବିଶ୍ୱ ସମୁଦାୟଙ୍କ ନଜର ରହିଛି। କାରଣ ଉଭୟ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ହେବାକୁ ଥିବା ଦ୍ୱିପାକ୍ଷିକ ଆଲୋଚନାରେ ଜମ୍ମୁ ଓ କଶ୍ମୀର ପ୍ରସଙ୍ଗ ସ୍ଥାନ ପାଇବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗଣମାଧ୍ୟମକୁ ପୂର୍ବରୁ କହି ସାରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଜି-୭ ଶିଖର ସମ୍ମିଳନୀରେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନଙ୍କ ସହିତ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଭାରତ ଓ ବ୍ରିଟେନ୍ ମଧ୍ୟରେ ଦ୍ୱିପାକ୍ଷିକ ସଂପର୍କ ସୁଦୃଢ଼ କରିବା ନିମନ୍ତେ ଉଭୟ ଦେଶ ନେତା ଆଲୋଚନା କରିଛନ୍ତି।

ଏହି ଅବସରରେ ନରେନ୍ଦ୍ର ମୋଦି ମିଳିତ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସଙ୍କୁ ଭେଟିଛନ୍ତି। ମୁଖ୍ୟତଃ ପରିବେଶ ସୁରକ୍ଷା ଓ ଆତଙ୍କବାଦ ପ୍ରସଙ୍ଗରେ ଏହି ଆଲୋଚନା ହୋଇଥିବା ସୂଚନା ମିଳିଛି। ଜି-୭ ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ସହ ଜର୍ମାନୀ, ବ୍ରିଟେନ, ଇଟାଲୀ, କାନାଡା ଓ ଜାପାନର ରାଷ୍ଟ୍ରମୁଖ୍ୟ ଉପସ୍ଥିତ ଅଛନ୍ତି। ବିଶ୍ୱର ୭ଟି ବିକଶିତ ରାଷ୍ଟ୍ରର ଏଲିଟ୍‌ କ୍ଲବ୍‌ ଜି-୭ରେ ଭାରତକୁ ସଦସ୍ୟତା ମିଳିନାହିଁ। ଏହାସତ୍ତ୍ୱେ ଏହି ସମ୍ମିଳନୀରେ ଯୋଗଦେବାକୁ ଭାରତକୁ ସ୍ୱତନ୍ତ୍ର ଭାବେ ଆମନ୍ତ୍ରଣ କରାଯାଇଛି। ଏଥର ସମ୍ମିଳନୀରେ ପରିବେଶ ଓ ପାଣିପାଗ ପରିବର୍ତ୍ତନ ମୁଖ୍ୟ ପ୍ରସଙ୍ଗ ରହିଛି। ତେବେ ବର୍ତ୍ତମାନ ସ୍ଥିତିରେ ବିଶ୍ୱ ଅର୍ଥନୀତିରେ ମାନ୍ଦାବସ୍ଥା ସହ ଟ୍ରେଡ୍ ଓ୍ୱାର ଚାଲିଥିବାବେଳେ ଏହି ସମ୍ମିଳନୀ ଉପରେ ସମସ୍ତଙ୍କ ନଜର ରହିଛି।

Comments are closed.