Odisha Link
Bridging the Missing Links in Odisha

ଅରୁଣ ଜେଟଲୀଙ୍କ ଅନ୍ତିମ ସଂସ୍କାର: ଚୋରି ହେଲା ୧୧ ଜଣଙ୍କ ଫୋନ୍, ବିଜେପିର ଏହି ନେତା ହେଲେ ଶିକାର

ନୂଆଦିଲ୍ଲୀ: ରବିବାର ଦିନ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀଙ୍କ ଅନ୍ତିମ ସଂସ୍କାର ହୋଇଥିଲା। ସେଦିନଠୁ ସବୁଦିନ ପାଇଁ ଅସ୍ତ ହୋଇଗଲେ ଅରୁଣ। ହେଲେ ଅରୁଣଙ୍କ ଅନ୍ତିମ ସଂସ୍କାର ଚାଲିଥିବା ସମୟରେ ନିଗମବୋଧ ଘାଟରେ ଘଟିଥିଲା ଏକ ଅଭାବନୀୟ ଘଟଣା। ଯାହା ଆପଣ ଜାଣିବା ପରେ ମଧ୍ୟ ବିଶ୍ବାସ କରି ପାରିବେ ନାହିଁ। ବିଶ୍ବାସ ନକଲେ ବି କଥା ଟି ସତ। ଅରୁଣ ଜେଟଲୀଙ୍କ ଶେଷକୃତ୍ୟ ସମୟରେ ସେଠାରେ ଉପସ୍ଥିତଥିବା ପାଖାପାଖି ୧୧ଜଣ ଲୋକଙ୍କର ଫୋନ୍ ଚୋରି ହୋଇଯାଇଛି। ଯେଉଁମାନଙ୍କ ଫୋନ୍ ଚୋରି ହୋଇଛି ସେମାନଙ୍କ ମଧ୍ୟରେ ବିଜେପି ସାଂସଦ ବାବୁଲ ସୁପ୍ରିୟୋ ମଧ୍ୟ ସାମିଲ୍ ଅଛନ୍ତି। ଏନେଇ ପତଞ୍ଜଳୀର ପ୍ରବକ୍ତା ଏସ.କେ ତିଜାରାୱାଲା ସୋମବାର ଟ୍ବିଟ୍ ମାଧ୍ୟମରେ ଜଣାଇଥିଲେ।

ତିଜାରାୱାଲା କହିଛନ୍ତି କି, ରବିବାର ଅରୁଣ ଜେଟଲୀଙ୍କ ଅନ୍ତିମ ସଂସ୍କାର ସମୟରେ ନିଜମବୋଧ ଘାଟରେ ତାଙ୍କ ସମେତ ଅନ୍ୟ ୧୦ଜଣଙ୍କର ଫୋନ୍ ଚୋରି ହୋଇଯାଇଥିଲା। ତିଜାରାୱାଲା ଟ୍ବିଟ୍ କରି ଲେଖିଛନ୍ତି କି, ଗୋଟେ ପଟେ ଆମେ ସବୁ ଅରୁଣ ଜେଟଲୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଉଥିବାବେଳେ ଯେଉଁ ଫୋନରୁ ମୁଁ ଫଟୋ ଉଠାଇଥିଲି ସେହି ଫୋନ୍ ମଧ୍ୟ ଗୁଡ୍ ବାୟ କହିଥିଲା। ଏହି ଟ୍ବିଟ୍ କୁ ତିଜାରାୱାଲା ଗୃହ ମନ୍ତ୍ରୀ ଅମିତ୍ ଶାହଙ୍କ ସହିତ ଦିଲ୍ଲୀ ପୋଲିସକୁ ମଧ୍ୟ ଟ୍ୟାଗ୍ କରିଛନ୍ତି।

ଏହି ସମୟରେ ତିଜାରାୱାଲା ଆଉ ଏକ ଟ୍ବିଟ୍ କରିବା ସହିତ ସେଥିରେ ଏକ ସ୍କ୍ରିନ୍ ସଟ୍ ମଧ୍ୟ ପୋଷ୍ଟ କରିଛନ୍ତି। ଯେଉଁଥିରେ ତାଙ୍କ ଫୋନର ଶେଷ ଲୋକେସନ୍ ସମ୍ପର୍କରେ ସୂଚନା ରହିଛି। ସେ ଏହା ସହିତ ଲେଖିଛନ୍ତି କି, ମୋ ଫୋନ୍ ଏବେ କରାୱଲ୍ ନଗରରେ ଅଛି। ଏହାର ଲୋକେସନ୍ ପଠାଉଛି, ଧରିପାରିବେ ଯଦି ଧରନ୍ତୁ। ଏହି ଘଟଣାରେ ପୋଲିସ୍ ଏକ ମାମଲା ରୁଜୁ କରିବା ସହିତ ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କହିଛି। ଅନ୍ୟପଟେ କଶ୍ମିରୀ ଗେଟ୍ ପୋଲିସ୍ କହିଛି କି, ଏନେଇ କୌଣସି ମାମଲା ରୁଜୁ ହୋଇନି। ଯଦି ହୁଏ ତେବେ ତଦନ୍ତ କରାଯିବ।

Comments are closed.