Odisha Link
Bridging the Missing Links in Odisha

ବିଜେଡି ନେତାଙ୍କୁ ଥଇଥାନ: ବାଦ ପଡ଼ିଲେ ପରାଜିତ ନେତା

ଭୁବନେଶ୍ବର: ବିଜୁ ଜନତା ଦଳରେ ବର୍ତ୍ତମାନ ଚାଲିଛି ଥଇଥାନ ଋତୁ ବା ନିଯୁକ୍ତି ଋତୁ। ଚଳିତ ମାସରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ୧୨ ଜଣ ବିଧାୟକଙ୍କ ସମେତ ମୋଟ ୪୮ଜଣ ନେତାଙ୍କୁ ବିଭିନ୍ନ ସରକାରୀ ପଦପଦବୀରେ ଥଇଥାନ କରି ସାରିଲେଣି। ହେଲେ ସବୁଠାରୁ ଆଶ୍ଚର୍ଯ୍ୟର କଥା ଏପର୍ଯ୍ୟନ୍ତ ଚଳିତ ସାଧାରଣ ନିର୍ବାଚନରେ ପରାଜିତ ହୋଇଥିବା ନେତାଙ୍କୁ ଥଇଥାନ କରିନାହାନ୍ତି ନବୀନ।

ନବୀନ ପଟ୍ଟନାୟକ ଦଳର ପରାଜିତ ନେତାମାନଙ୍କୁ ସରକାରୀ ପଦପଦବୀରେ ଏବେ ଥଇଥାନ କରିବା ମୁଡରେ ନାହାନ୍ତି। ଥଇଥାନ ପାଇଁ ପରାଜିତ ନେତା ଓ ଟିକେଟରୁ ବଞ୍ଚିତ ହୋଇଥିବା ନେତାମାନଙ୍କର ଚାପ ବଢ଼ିବାରେ ଲାଗିଥିବାରୁ ବିଜେଡି ସୁପ୍ରିମୋ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ବିଜେପୁର ଉପନିର୍ବାଚନ ଉପରେ ଫୋକସ୍ କରିବା ଓ ସଂଗଠନକୁ ସୁଦୃଢ଼ କରିବା ଦିଗରେ ଆବଶ୍ୟକ କାର୍ଯ୍ୟ କରିବା ପାଇଁ ଏହି ପରାଜିତ ନେତାମାନଙ୍କୁ ପରାମର୍ଶ ଦିଆଯାଇଥିବା ସୂଚନା ମିଳିଛି।

ପରାଜିତ ନେତା ଓ ଅନ୍ୟ କିଛି ବରିଷ୍ଠ ନେତାମାନେ ନିଜର ରାଜନୀତିକ ଅସ୍ତିତ୍ୱ ରକ୍ଷା ନିମନ୍ତେ ବିଭିନ୍ନ ସରକାରୀ ପଦପଦବୀରେ ଥଇଥାନ ନିମନ୍ତେ ଜୋରଦାର ଚାପ ପକାଇବାରେ ଲାଗିଛନ୍ତି। ମାତ୍ର ଏହି ସମସ୍ତ ନେତାଙ୍କୁ ଥଇଥାନ କରିବା ସମ୍ଭବପର ନଥିବାରୁ ସାଂଗଠନିକ ନିର୍ବାଚନ ପରେ ସରକାରୀ ପଦପଦବୀରେ ଥଇଥାନ ନିମନ୍ତେ ଦଳ ବିଚାର କରୁଥିବା ଜଣାପଡ଼ିଛି।

ପରାଜିତ ନେତା ମହେଶ୍ୱର ମହାନ୍ତି, ସଞ୍ଜୟ ଦାସବର୍ମା, ଦେବାଶୀଷ ସାମନ୍ତରାୟ, ରବୀନ୍ଦ୍ର ଜେନା, ରବିନାରାୟଣ ନନ୍ଦ, କଳିକେଶ ସିଂହଦେଓ, ପୁଷ୍ପେନ୍ଦ୍ର ସିଂହଦେଓ, ରାସେଶ୍ୱରୀ ପାଣିଗ୍ରାହୀ, ଯୋଗେଶ ସିଂ, ନଳିନୀକାନ୍ତ ପ୍ରଧାନ ଆଦି ଏବେ ସରକାରୀ ପଦପଦବୀରେ ଥଇଥାନ ପାଇଁ ଚାହିଁ ବସିଛନ୍ତି। ଏଥିସହିତ ପ୍ରସନ୍ନ ପାଟ୍ଟଶାଣୀ, ସରୋଜ ସାମଲ, ସଞ୍ଜିବ ସାହୁ, ନଗେନ୍ଦ୍ର ପ୍ରଧାନଙ୍କ ଭଳି ନେତାମାନେ ମଧ୍ୟ ଥଇଥାନ ଆଶାରେ ଅଛନ୍ତି। ଅପରପକ୍ଷେ ଅନ୍ୟ କିଛି ପ୍ରଭାବଶାଳୀ ନେତା ଅଛନ୍ତି ଯେଉଁମାନେ ମନ୍ତ୍ରୀ ପଦ ପାଇନଥିବାରୁ ବି ବେଶ୍ ଅସନ୍ତୁଷ୍ଟ।

ପରାଜିତଙ୍କୁ ନିଯୁକ୍ତି କେବେ:
ରାଜ୍ୟ ଯୋଜନା ବୋର୍ଡର ପୁର୍ନଗଠନ କରି ପରାଜିତ ନେତାମାନଙ୍କୁ ଥଇଥାନ କରାଯିବ ବୋଲି ବିଜେଡି ନେତୃତ୍ୱ ସଙ୍କେତ ଦେଇଥିବାବେଳେ ଏବେ ଏହି ପ୍ରକ୍ରିୟାକୁ ଜାଣିଶୁଣି ବିଳମ୍ବ କରାଯାଉଛି। ରାଜ୍ୟ ଯୋଜନା ବୋର୍ଡକୁ ନିତି ଆୟୋଗ ଢାଞ୍ଚାରେ ପୁନର୍ଗଠନ କରାଯାଇ ଏହି ନେତାମାନଙ୍କୁ କ୍ୟାବିନେଟ୍ ଓ ରାଷ୍ଟ୍ରମନ୍ତ୍ରୀ ପାହ୍ୟାର ସୁବିଧାସୁଯୋଗ ସହ ଥଇଥାନ କରାଯିବ ବୋଲି ଭରସା ଦିଆଯାଇଛି। ମାତ୍ର ଏହି ବୋର୍ଡର ପୁର୍ନଗଠନ ପ୍ରକ୍ରିୟା ତ୍ୱରାନ୍ୱିତ ହେଉନଥିବାରୁ ଏହି ପରାଜିତ ନେତାମାନେ ଏବେ ଚିନ୍ତାରେ ପଡ଼ିଛନ୍ତି। ଏପଟେ ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଉପରେ ବିଜେଡି ନେତୃତ୍ୱ ଗୁରୁତ୍ୱ ଦେବାରେ ଲାଗିଛନ୍ତି। ସେପ୍ଟେମ୍ବର ୧ତାରିଖରେ ବିଜେଡି ନିଜର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଡାକିଛି। ଦଳର ସଭ୍ୟ ସଂଗ୍ରହ ଅଭିଯାନ ସେପ୍ଟେମ୍ବର ୨ତାରିଖରୁ ଆରମ୍ଭ ହେଉଥିବାବେଳେ ବିଜେପୁର ଉପନିର୍ବାଚନ ପ୍ରାୟ ଅକ୍ଟୋବର ମାସରେ ହେବ ବୋଲି ବିଜେଡି ନେତାମାନେ ସମ୍ଭାବନା ବ୍ୟକ୍ତ କରିଛନ୍ତି। ତେଣୁ ପରାଜିତ ନେତାମାନଙ୍କ ଚାପ ଓ ଜୋରଦାର ଲବିକୁ ଦୃଷ୍ଟିରେ ରଖି ବିଜେଡି ନେତୃତ୍ୱ ବିଜେପୁର ନିର୍ବାଚନ ପୂର୍ବରୁ କିଛି ଆଶାୟୀ ଦଳୀୟ ନେତାମାନଙ୍କୁ ଥଇଥାନ କରି ଅନ୍ୟମାନଙ୍କୁ ଅସନ୍ତୁଷ୍ଟ କରିବାକୁ ଚାହୁଁନଥିବା ଜଣାପଡ଼ିଛି।

Comments are closed.