Odisha Link
Bridging the Missing Links in Odisha

ଜମ୍ମୁ-କଶ୍ମୀରରୁ ଉଠିଲା କଟକଣା, ସ୍ୱାଭାବିକ ହେଲା ଲ୍ୟାଣ୍ଡଫୋନ୍‌ ସେବା

ଶ୍ରୀନଗର: ଧାରା ୩୭୦ ଧାରା ଉଚ୍ଛେଦର ୩୯ ଦିନ ପରେ ଜମ୍ମୁ-କଶ୍ମୀରରୁ ଉଠିଲା କଟକଣା। ସମସ୍ତ ଅଞ୍ଚଳରୁ କଟକଣା ହଟାଯାଇଛି। ମୁଖ୍ୟତଃ ଲୋକଙ୍କ ଚଳ ପ୍ରଚଳ ଉପରୁ କଟକଣା ହଟିଥିବାବେଳେ ଲ୍ୟାଣ୍ଡଲାଇନ୍‌ ସେବା ମଧ୍ୟ ସ୍ୱାଭାବିକ ହୋଇଛି। ଅଗଷ୍ଟ ୫ ତାରିଖରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ଐତିହାସିକ ଘୋଷଣା ପୂର୍ବରାତିରୁ ହିଁ ଜମ୍ମୁ-କଶ୍ମୀରରେ କଟକଣା ଲାଗିଛି।

ଜମ୍ମୁ-କଶ୍ମୀର ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି, ସମସ୍ତ ଅଞ୍ଚଳରୁ କଟକଣା ହଟାଯାଇଛି, ଜନସାଧାରଣଙ୍କ ଚଳ ପ୍ରଚଳ ମଧ୍ୟ ସ୍ୱାଭାବିକ ହେବାରେ ଲାଗିଛି। ଲ୍ୟାଣ୍ଡଲାଇନ୍‌ ସେବା ସ୍ୱାଭାବିକ ହେଉଛି। କୁପ୍‌ୱାରା ଏବଂ ହାନ୍ଦୱାରାରେ ମୋବାଇଲ୍‌ ଫୋନ୍‌ ମଧ୍ୟ କାମ କରିବା ଆରମ୍ଭ କରିଛି। କିନ୍ତୁ ଆଇନ ଶୃଙ୍ଖଳାରେ ନିୟନ୍ତ୍ରଣ ପାଇଁ ହଜରତ୍‌ବଲ ଅଞ୍ଚଳରେ କିଛି ମାତ୍ରାରେ କଟକଣା ଲଗାଯାଇଛି। ଶୁକ୍ରବାର ସାମୂହିକ ପ୍ରାର୍ଥନା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ହଜରତ୍‌ବଲର ୫ଟି ଥାନା ଅଞ୍ଚଳରେ କଟକଣା ଲାଗୁ ହୋଇଛି।

ଅଗଷ୍ଟ ୫ ପରଠାରୁ ଶ୍ରୀନଗର ଏବଂ ଅନ୍ୟ ସହରର ବୃହତ୍‌ ଅଞ୍ଚଳରେ ବ୍ୟାରିକେଟ୍‌ ଲଗାଯାଇଥିଲା, ଗଳି ସବୁ ଜନ ଶୂନ୍ୟ ହୋଇଯାଇଛି ଏବଂ ଦୋକାନ ସବୁ ବନ୍ଦ ରହିଥିଲେ। ଲ୍ୟାଣ୍ଡଲାଇନ୍‌, ମୋବାଇଲ ଫୋନ୍‌ ଏବଂ ଇଣ୍ଟରନେଟ୍‌ ବନ୍ଦ ରହିଥିବାରୁ ଲୋକେ ପରିବାରବର୍ଗଙ୍କ ସହ ଯୋଗାଯୋଗ କରିପାରୁନଥିଲେ। ଏହି କାରଣରୁ ସ୍ଥାନୀୟ ଲୋକେ ବହୁ ସମସ୍ୟା ଭୋଗ କରୁଥିଲେ।

ସରକାର କଟକଣା ହଟାଇବା ସହ ସ୍କୁଲ ସବୁ ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଶେଷ ଖବର ସୁଦ୍ଧା ଏତେ ମଧ୍ୟ ଛାତ୍ରଛାତ୍ରୀ ସ୍କୁଲ ଆସୁନାହାନ୍ତି। କେବଳ ଛୋଟ ଛୋଟ ତେଜରାତି ଦୋକାନକୁ ଛାଡ଼ିଦେଲେ ବଡ଼ ବଡ଼ ଦୋକାନ ସବୁ ବନ୍ଦ ରହିଛି। ବର୍ତ୍ତମାନ ମଧ୍ୟ ବିଭିନ୍ନ ରାଜନୀତିକ ବ୍ୟକ୍ତି, କର୍ମୀ ଏବଂ ବିଚ୍ଛିନ୍ନତାବାଦୀ ଅଟକ ରହିଛନ୍ତି।

Comments are closed.