Odisha Link
Bridging the Missing Links in Odisha

ବିଦ୍ୟୁତ୍‌ ଚୋରି ଧରପଗଡ଼

ଭୁବନେଶ୍ୱର: ସହରାଞ୍ଚଳରେ ବିଦ୍ୟୁତ୍‌ ଚୋରି ରୋକିବା ସକାଶେ ସେସୁ ନିଜର ଉଦ୍ୟମ ଆରମ୍ଭ କରିଛି। ସେସୁ ସିଇଓ ଅରୁଣ ବୋଥ୍ରାଙ୍କ ନିର୍ଦ୍ଦେଶ ପରେ ବର୍ତ୍ତମାନ ସପ୍ତାହକୁ ୩ ଦିନ ବିଭିନ୍ନ ଅଞ୍ଚଳରେ ସ୍ବତନ୍ତ୍ର ସ୍କ୍ବାଡ୍‌ ଅଚାନକ ପରିଦର୍ଶନ କରିବ। ଗୁରୁବାର ବିଭିନ୍ନ ଅଞ୍ଚଳର ମୋବାଇଲ୍‌ ଫୋନ ଟାଓ୍ବାର ଉପରେ ସେସୁ ଅଧିକାରୀମାନେ ଚଢାଉ କରିଥିଲେ। ସେହିପରି ଶୁକ୍ରବାର ୩ ଡିଭିଜନର ସ୍ପେଶାଲ ସ୍କ୍ବାଡ୍‌ ଡମଣାଛକଠାରୁ କଳିଙ୍ଗ ହସ୍ପିଟାଲ ଛକ ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳରେ ଯାଞ୍ଚ କରିଛନ୍ତି।

ମିଳିଥିବା ସୂଚନା ମୁତାବକ, ଟେଲିକମ୍‌ ଟାଓ୍ବାର, କମର୍ସିଆଲ କମ୍ପ୍ଲେକ୍ସଠାରୁ ଆରମ୍ଭ କରି ବଡ଼ବଡ଼ ଦୋକାନଗୁଡିକରେ ଯାଞ୍ଚ କରାଯାଇଛି। ୩୦ ଜଣ ସେସୁ ଅଧିକାରୀ ୪ ଗୃପୁରେ ବିଭକ୍ତ ହୋଇ ଭିନ୍ନ ଭିନ୍ନ ସ୍ଥାନରେ ଚଢାଉ କରିଛନ୍ତି। ଘରୋଇ ବ୍ୟବହାର କଥା କହି ବିଦ୍ୟୁତ୍‌ ନେବାପରେ ବଡ଼ ବ୍ୟବସାୟ ପାଇଁ ବ୍ୟବହାର କରୁଥିଲେ। ଏହାସହ ହୁକ୍‌ ପକାଇ ମଧ୍ୟ ବହୁ ଲୋକ ବିଦ୍ୟୁତ୍‌ ଚୋରି କରୁଥିଲେ। ଏମାନଙ୍କୁ ଧରାଯାଇ ଜରିମାନା ଆଦାୟ କରାଯାଇଛି। ଏପରି କି ଜଣେ ଜଣେ ବ୍ୟବସାୟୀଙ୍କଠାରୁ ଅଧିକାରୀମାନେ ୬୦ରୁ ୭୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରିଛନ୍ତି। ପ୍ରଥମେ ଏହା ଏକ ପ୍ରକାର ସଚେତନତାମୂଳକ କାର୍ଯ୍ୟକ୍ରମଭାବେ କରାଯାଉଛି। ଆଗକୁ ଏହାକୁ ଆହୁରି ଜୋର୍‌ଦାର କରାଯିବ ବୋଲି ସେସୁ ଅଧିକାରୀ ବାଣୀ ମହାନ୍ତି କହିଛନ୍ତି। ସେ କହିଛନ୍ତି ଯେ, ବିଦ୍ୟୁତ୍‌ ଚୋରି ରୋକିବା ଲାଗି ଏଭଳି ପଦକ୍ଷେପ ନିଆଯାଉଛି।

Comments are closed.