୨୦ରୁ ‘କୋରାପୁଟ ସାହିତ୍ୟ ଉତ୍ସବ’, ସମ୍ବର୍ଦ୍ଧିତ ହେବେ ୧୦ରୁ ଅଧିକ ବ୍ୟକ୍ତିତ୍ବ

କୋରାପୁଟ: ଆସନ୍ତା ୨୦ ତାରିଖରୁ ଅନୁଷ୍ଠିତ ହେବ ଦ୍ବିତୀୟ କୋରାପୁଟ ସାହିତ୍ୟ ଉତ୍ସବ। ଏହି ଉତ୍ସବ ୨ଦିନ ହେବ। ଏହି ଦୁଇ ଦିନିଆ ସାରସତ୍ବ ସମାରୋହରେ ଦେଶର ବିଭିନ୍ନ ଭାଗରୁ ଶତାଧିକ ସାରସତ୍ବ ସାଧକ ଯୋଗ ଦେବେ। ଏହି ଅବସରରେ ବିଶିଷ୍ଟ କଥାକାର ଡ.ଗୌରହରି ଦାସ ଓ କବି ବିିପିନ୍ ନାୟକଙ୍କୁ କୋରାପୁଟ ସାହିତ୍ୟ ସମ୍ମାନ ପ୍ରଦାନ କରାଯିବ ବୋଲି ଆୟୋଜକ ଓଡ଼ିଆ ମିଡିଆର ନିର୍ଦ୍ଦେଶକ ତଥା କଥାଶିଳ୍ପୀ ଶୁଭ୍ରାଂଶୁ ପଣ୍ଡା କୋରାପୁଟରେ ଆୟେଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ପ୍ରଥମ କୋରାପୁଟ ସାହିତ୍ୟ ଉତ୍ସବ ଗତବର୍ଷ ସଫଳ ହେବାପରେ ଏଥର ଏହାକୁ ବଡ଼ ଧରଣର କରିବାକୁ ଆୟୋଜକ ସଂସ୍ଥା ନିଷ୍ପତ୍ତି ନେଇଛି। ଆସନ୍ତା ୨୦ ତାରିଖରେ ବ୍ରାଉନ ଭ୍ୟାଲି କଫି ଫରେଷ୍ଟରେ ଏହାର ଉଦଘାଟନ ସମାରୋହ ଅନୁଷ୍ଠିତ ହେବ। ଏହାକୁ ଆନ୍ତର୍ଜାତିକ ଖ୍ୟାତି ସଂମ୍ପନ୍ନ କବି ଜୟନ୍ତ ମହାପାତ୍ର ଉଦଘାଟନ କରିବାକୁ ଥିବା ବେଳେ ଜାମ୍ମୁ କଶ୍ମୀରର ପ୍ରସିଦ୍ଧ ଲେଖକ ଲଳିତ ମଂଗୋତ୍ରା ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ୨୧ ତାରିଖରେ କୋରାପୁଟ ଜନଜାତି ସଂଗ୍ରହାଳୟ ପରିସରରେ ଉଦଯାପନୀ ସମାରୋହ ଅନୁଷ୍ଠିତ ହେବ।
ଏଥିରେ ବହୁ ବିଶିଷ୍ଟ ଲେଖକଙ୍କ ସମେତ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ଅବିଭକ୍ତ କୋରାପୁଟର ୧୦ରୁ ଅଧିକ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯିବ। ଏମାନଙ୍କ ଭିତରେ ସଫଳ କୃଷି ଉଦ୍ୟୋଗୀ ସୁଜୟ ପ୍ରଧାନ, ଜୟପୁରର ବନ୍ୟପ୍ରାଣୀ ଉଦ୍ଧାରକ ସଂସ୍ଥା ଓ୍ବାର ଟିମ୍, ସହକାରୀ ଜିଲ୍ଲାପାଳ ଆଲୋକ କୁମାର ଅନୁଗୁଳିଆ, ଲେଖକ ସତ୍ୟନାରାୟଣ ଗନ୍ତାୟତ, ଜୟପୁରର ସାରସତ୍ବ ସଂଗଠକ ଚନ୍ଦ୍ରକାନ୍ତ ବିଶ୍ବାଳ, ନାଟ୍ୟ ବ୍ୟକ୍ତିତ୍ବ ଅଶୋକ କର, ଯୁବ ବ୍ୟବସାୟୀ ଅକ୍ଷୟ କୂମାର ପାତ୍ର, ବିଶିଷ୍ଟ ଲେଖକ ଜଳଧର ସ୍ବାଇଁ, ସାମ୍ବାଦିକ ସାନ୍ତାକାର ରହିଛନ୍ତି।
ସମାରୋହର ଦ୍ବିତୀୟ ଦିନରେ ‘କୋରାପୁଟ ଓ ବିକାଶ’ ଶୀର୍ଷକ ଏକ ବିତର୍କର ଆୟୋଜନ କରାଯାଇଛି। ଏଥିରେ ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ, କଂଗ୍ରେସ ନେତା ପ୍ରଦୀପ ମାଝୀ, ବିଜେପି ଭୃଗୁ ବକ୍ସିପାତ୍ର, ଅବସରପ୍ରାପ୍ତ ପ୍ରଶାସକ ଗଦାଧର ପରିଡ଼ା, ନୀତି ସ୍ଥାପକ ଚାରୁଦତ୍ତ ପାଣିଗ୍ରାହୀ ଓ ସାମାଜିକ କର୍ମୀ ଉର୍ମି ଡାନିଏଲ୍ ପ୍ରମୁଖ ଭାଗ ନେବେ। ଏହି ବିତର୍କର ସଂପାଦନ କରିବେ ବରିଷ୍ଠ ସାମ୍ବାଦିକ ସନ୍ଦୀପ ସାହୁ। ଏହାସହିତ ମାଲାୟାଳାମ ଔପନାସିକ ମୁଜାଫର ଅହମ୍ମଦ, ଦାଶ ବେନେହୁର, ବିକ୍ରମ ଦାସ, କମଳା ପୂଜାରୀ, ସୁମନୀ ଝୋଡିଆଙ୍କ ସମେତ ୪୦ରୁ ଅଧିକ ଅତିଥି ବିଭିନ୍ନ ଆଲୋଚନା ସମୟରେ ଯୋଗ ଦେବେ ବୋଲି ଉତ୍ସବର ଆବାହିକା କବି ପ୍ରୀତିଧାରା ସାମଲ କହିଛନ୍ତି। ସବୁ ବର୍ଗର ଲୋକ ଉତ୍ସବରେ ଯୋଗଦେଇ ଏହାକୁ ସଫଳ କରିବାକୁ ସେ ଅନୁରୋଧ କରିଛନ୍ତି। ଉତ୍ସବ ଅବସରରେ କୋଟପାଡ଼ ଶାଢ଼ୀକୁ ନେଇ ପ୍ରାମାଣିକ ଚଳଚ୍ଚତ୍ର ପ୍ରଦର୍ଶନ କରାଯିବ।
ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆୟୋଜନ କମିଟିର ସଦସ୍ୟ ରବି ଶତପଥୀ, ଡକ୍ଟର ରଜନୀକାନ୍ତ ତରାଇ ଓ ଅଭିଷେକ ପାଣି ପ୍ରମୁଖ ଉପସ୍ଥିତ ଥିଲେ।