Odisha Link
Bridging the Missing Links in Odisha

ମହାରାଷ୍ଟ୍ରରେ ସରକାର ଗଢ଼ିବା ନେଇ ଶିବସେନା କହିଲା ମହାରାଷ୍ଟ୍ରବାସୀ ଚାହୁଁଛନ୍ତି…

ମୁମ୍ୱାଇ: ମହାରାଷ୍ଟ୍ର ରାଜନୀତିରେ ନୂଆମୋଡ଼। ନିର୍ବାଚନ ସରିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ କ୍ଷମତା ଲଢ଼େଇ ମହାରାଷ୍ଟ୍ର ରାଜନୀତିକୁ ଉଷ୍ମ ରଖିଛି। ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିଜେପି-ଶିବସେନା ମଧ୍ୟରେ ଚାଲିଛି ଅଙ୍କକଷା। ହେଲେ ସେଥିରୁ ଏଯାଏଁ କିଛି ସୁଫଳ ମିଳିନାହିଁ। ଅପରପକ୍ଷେ ସହଯୋଗୀ ବିଜେପିକୁ ଛାଡ଼ି ଅନ୍ୟ ଦଳକୁ ନେଇ ଶିବସେନା ସରକାର ଗଢ଼ିବା ପାଇଁ ଚେଷ୍ଟା କରୁଛି। ଏଥିପାଇଁ ଶିବସେନା ମଧ୍ୟ ପ୍ରସ୍ତୁତ ହେଉଛି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି। ଏତିସହିତ ଶିବସେନାର ରାଜ୍ୟସଭା ସାଂସଦ ତଥା ମୁଖପାତ୍ର ସଞ୍ଜୟ ରାଉତ ଦେଇଥିବା ମନ୍ତବ୍ୟରୁ ଏହିଭଳି କିଛି ଆଭାସ ମିଳିଛି।

ସଞ୍ଜୟ ରାଉତ କହିଛନ୍ତି, ‘ଯଦି ଶିବସେନା ସରକାର ଗଢ଼ିବା ପାଇଁ ନିଷ୍ପତ୍ତି ନେବ, ତାହାଲେ ସ୍ଥାୟୀ ସରକାର ଦେବା ପାଇଁ ଆବଶ୍ୟକ ବିଧାୟକ ସେ ନିଜ ସମର୍ଥନକୁ ଆଣିପାରିବ। ମହାରାଷ୍ଟ୍ରବାସୀ ସରକାର ଗଢ଼ିବା ପାଇଁ ୫୦:୫୦ ଫର୍ମୁଲା ଆଧାରରେ ଭୋଟ୍ ଦେଇଛନ୍ତି। ଶିବସେନାରୁ କେହି ଜଣେ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ମହାରାଷ୍ଟ୍ରବାସୀ ଚାହୁଁଛନ୍ତି’।

ଗତକାଲି ଶିବସେନା ବିଧାୟକ ଦଳର ବୈଠକ ବସିଥିଲା। ଏକନାଥ ଖାଡ଼ଗେ ବିଧାୟକ ଦଳର ନେତା ଭାବେ ନିର୍ବାଚିତ ହୋଇଥିଲେ। ହଠାତ୍ ସନ୍ଧ୍ୟାରେ କିନ୍ତୁ ସଞ୍ଜୟ ରାଓତ ଏନସିପି ସୁପ୍ରିମୋ ଶରଦ ପାଓ୍ୱାରଙ୍କୁ ଭେଟିଥିଲେ। ଏହାପରେ ସରକାର ଗଢ଼ିବା ପାଇଁ ନୂଆ ମେଣ୍ଟ ସୃଷ୍ଟି ହେବାର ଆଶଙ୍କା କରାଯାଉଛି। ଏହି ଭେଟଘାଟକୁ ଦୀପାବଳି ଅବସରରେ ସୌଜନ୍ୟମୂଳକ ସାକ୍ଷାତକାର ଥିଲା ବୋଲି ଗତକାଲି ସଞ୍ଜୟ ରାଓତ କହିଥିଲେ। ଶରଦ ପାଓ୍ୱାର କିନ୍ତୁ କହିଥିଲେ ବିରୋଧୀ ଆସନରେ ବସିବା ପାଇଁ ମହାରାଷ୍ଟ୍ରବାସୀ ତାଙ୍କୁ ଭୋଟ୍ ଦେଇଛନ୍ତି।

Comments are closed.