Odisha Link
Bridging the Missing Links in Odisha

ମହାରାଷ୍ଟ୍ର ରାଜନୀତି: ଶିବସେନା-ଏନସିପି ମଧ୍ୟରେ ଚାଲିଛି ଅଙ୍କକଷା !

ମୁମ୍ବାଇ: ଦିନକୁ ଦିନ ଜମୁଛି ମହାରାଷ୍ଟ୍ର ରାଜନୀତି। ବର୍ତ୍ତମାନ ମହାରାଷ୍ଟ୍ର ରାଜନୀତିରେ ରୋଚକ ମୋଡ଼। କିଏ ଗଢିବ ସରକାର ଏବେ ବି ଚିତ୍ର ଅସ୍ପଷ୍ଟ। ବିଜେପିକୁ ବାଦ୍ ଦେଇ କେମିତି ସରକାର ଗଠନ କରାଯାଇପାରିବ ସେ ନେଇ ଶିବସେନା ଜୋରଦାର ଉଦ୍ୟମ କରୁଛି। ୫୦-୫୦ କ୍ଷମତା ଫର୍ମୂଲାକୁ ନେଇ ଶିବସେନା ନିଜ ଜିଦରେ ଅଟଳ ଥିବା ବେଳେ ବିଜେପି ମାନିବାକୁ ନାରାଜ।

ଏଭଳି ସମୟରେ ଗତକାଲି ରାତିରେ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଭେଟିଥିଲେ ଶିବସେନାର ବରିଷ୍ଠ ନେତା ସଂଜୟ ରାଉତ। ତେବେ ଶିବସେନା ସହିତ ମିଶି ସରକାର ଗଠନ ପ୍ରସ୍ତାବକୁ ଏଡାଇ ଯାଇଛି ଏନସିପି। ଶିବସେନାକୁ ସମର୍ଥନ ପ୍ରସ୍ତାବକୁ ଏନସିପିରେ ଅଧିକାଂଶ ନେତା ଗ୍ରହଣ କରୁନଥିବା ଜଣାପଡିଛି। ସେପଟେ ଏନସିପି ପରେ କଂଗ୍ରେସ ସହ ଯୋଗାଯୋଗରେ ରହିଛି ଶିବସେନା। ଆଜି କଂଗ୍ରେସ ନେତା ଦିଲ୍ଲୀରେ ହାଇକମାଣ୍ଡଙ୍କୁ ଭେଟିବେ।

ଆଗରୁ ଏନସିପି ମହାରାଷ୍ଟ୍ରରେ ବିରୋଧି ଭୂମିକା ତୁଲାଇବ ବୋଲି କହିଛି। ତେଣୁ ଏପରି ସ୍ଥିତିରେ କଂଗ୍ରେସର କଣ ରହିବ ମନୋଭାବ ତା ଉପରେ ସମସ୍ତଙ୍କ ନଜର। ସେପଟେ ଚଳିତ ନିର୍ବାଚନରେ ଶିବସେନାକୁ ମିଳିଛି ୫୫ ଆସନ । ଏନସିପି ୫୪ ଓ କଗ୍ରେସ ଖାତାକୁ ଯାଇଛି ୪୪ ଆସନ। ଏହି ତିନି ଦଳ ଏକାଠି ହେଲେ ୧୫୩ ସଂଖ୍ୟା ହେଉଛି। ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ସରକାର ଗଢିବାକୁ ମ୍ୟାଜିକ ନମ୍ବର ହେଉଛି ୧୪୫ । ବିଜେପି ଏଥର ୧୦୫ ଆସନ ଜିତି ଏକକ ସଂଖ୍ୟା ଗରିଷ୍ଠ ଦଳ ରହିଥିଲେ ମଧ୍ୟ ସରକାର ଗଠନ ପାଇଁ ବିଜେପିକୁ ଆହୁରି ୪୦ ସଂଖ୍ୟା ଆବଶ୍ୟକ। ସେପଟେ ଶିବସେନାର ବିଧାୟକ ଦଳ ବୈଠକରେ ଆଦିତ୍ୟ ଠାକରେଙ୍କ ବଦଳରେ ଏକନାଥ ସିନ୍ଦେଙ୍କୁ ବିଧାୟକ ଦଳ ନେତା ଭାବେ ଚୟନ କରାଯାଇଛି । ଦଳ ବିଜେପି ମେଣ୍ଟକୁ ଅସ୍ୱୀକାର କରିନଥିବା ବେଳେ ଚୂଡାନ୍ତ ନିଷ୍ପତି ଶିବେସନା ମୁଖ୍ୟ ଉଦ୍ଧବ ଠାକରେଙ୍କ ଉପରେ ଛାଡିଛି ।

Comments are closed.