Odisha Link
Bridging the Missing Links in Odisha

ରକ୍ତଦାନ କରି କୁନି ଝିଅଙ୍କ ମୁହଁରେ ହସ ଫୁଟାଇଲେ ଏସ୍‌ପି

କନ୍ଧମାଳ: କୁନି ଝିଅର ମୁହଁରେ ହସ ଫୁଟାଇଲେ କନ୍ଧମାଳ ଏସ୍‌ପି। ରକ୍ତଦାନ କରି କୁନି ଝିଅ ଅପିନୀ ଦିଗାଲଙ୍କ (୭) ମୁହଁରେ ହସ ଫୁଟାଇଛନ୍ତି କନ୍ଧମାଳ ଏସ୍‌ପି ପ୍ରତୀକ ସିଂହ । ଅପିନୀଙ୍କ ଘର ଦାରିଙ୍ଗବାଡ଼ ବ୍ଲକର ବ୍ରାହ୍ମଣୀ ଗାଁରେ।

ମିଳିଥିବା ସୂଚନା ମୁତାବିକ, ଅପିନୀ ଦିଗାଲ ସିକିଲ୍‌ସେଲ୍‌ ରୋଗରେ ପୀଡ଼ିତ। ଗତ ଗୁରୁବାର ଦିନ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଫୁଲବାଣୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କର ରକ୍ତ ଆବଶ୍ୟକ ଥିବା ଡାକ୍ତର କହିଥିଲେ। ଏହା ପରେ ଅପିନୀଙ୍କ ବାପା ଲୋକନାଥ ରାଜୁ ନାମକ ଜଣେ ସ୍ୱେଚ୍ଛାସେବୀଙ୍କୁ ରକ୍ତ ଯୋଗାଡ଼ କରିବା ପାଇଁ ଅନୁରୋଧ କରିଥିଲେ। ଅପିନୀଙ୍କ ରକ୍ତ ଗ୍ରୁପ B ପଜିଟିଭ୍‌ ହୋଇଥିବା ବେଳେ ସ୍ୱେଚ୍ଛାସେବୀ ଜଣଙ୍କ ରକ୍ତ ଯୋଗାଡ଼ କରିବାରେ ବିଫଳ ହୋଇଥିଲେ। ତେବେ କୌଣସି ସୂତ୍ରରୁ ସେ ଜାଣିବାକୁ ପାଇଲେ ଯେ କନ୍ଧମାଳ ଏସ୍‌ପିଙ୍କ ବ୍ଲଡ୍‌ ଗ୍ରୁପ ବି ପଜିଟିଭ୍‌। ଏହା ପରେ ସେ ଏସ୍‌ପିଙ୍କୁ ଫୋନ୍ କରି ରକ୍ତ ଦେବାକୁ ଅନୁରୋଧ କରିଥିଲେ।

ରାଜୁଙ୍କ କଥା ଶୁଣି ଏସ୍‌ପି ଫୁଲବାଣୀ ସ୍ଥିତ ବ୍ଲଡ୍ ବ୍ୟାଙ୍କରେ ପହଞ୍ଚି ରକ୍ତ ଦେଇଥିଲେ। ତା’ପରେ ଅପିନୀଙ୍କୁ ରକ୍ତ ଦିଆଯାଇଥିଲା। ଏହା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିଲା। ଠିକ୍‌ ସମୟରେ ରକ୍ତଦାନ କରି ଝିଅର ଚିକିତ୍ସାରେ ସହାୟତା କରିଥିବାରୁ ଏସ୍‌ପିଙ୍କୁ ଅପିନୀଙ୍କ ବାପା ରାଲୁ ଦିଗାଲ ଧନ୍ୟବାଦ ଦେଇଥିଲେ। ସେହିଭଳି ଅପିନୀଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ତାଙ୍କର ଉଚିତ୍ ଚିକିତ୍ସା କରିବା ପାଇଁ ଏସ୍‌ପି ତାଙ୍କ ବାପାଙ୍କୁ ପରାମର୍ଶ ଦେଇଥିଲେ।

Comments are closed.