Odisha Link
Bridging the Missing Links in Odisha

ଅପ୍ରେଣ୍ଟିସିପ୍‌ ଆକ୍ଟ-୧୯୬୧ ସମ୍ମିଳନୀ ଅନୁଷ୍ଠିତ

ଭୁବନେଶ୍ୱର : ଦେଶର ଅର୍ଥନୈତିକ ବିକାଶ କ୍ଷେତ୍ରରେ ଦକ୍ଷତା ଏକ ପ୍ରମୁଖ ମାପକାଠି । କୃଷିଠାରୁ ଆରମ୍ଭ କରି ନିର୍ମାଣ କ୍ଷେତ୍ର ପର୍ଯ୍ୟନ୍ତ ସବୁଠାରେ କୁଶଳୀ ଓ ଦକ୍ଷ ଶ୍ରମିକର ଆବଶ୍ୟକତା ଓଯୋଗଦାନ ଅପରିହାର୍ଯ୍ୟ । ତେଣୁ ବିକାଶର ଧାରାକୁ ଆଗେଇ ନେବା ପାଇଁ ପରିବର୍ତ୍ତିତ ଶିଳ୍ପାୟନ ଓ ବଜାରର ଆଭିମୁଖ୍ୟ ଓ ଚାହିଦାକୁ ଦୃଷ୍ଟିରେ ରଖି ମାନବସଞ୍ଚଳର ଦକ୍ଷତା ବୃଦ୍ଧି ସବୁଠାରୁ ଗୁରୁତ୍ୱ ପୂର୍ଣ୍ଣ । ଏଥି ପାଇଁ ତାଲିମର ଆବଶ୍ୟକତା ରହିଛି । ଶିକ୍ଷାନବିସ ଆଇନ ୧୯୬୧ ଏହି ଗୁରୁତ୍ୱ ବହନ କରେ ବୋଲି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ପ୍ରକାଶ କରିଛନ୍ତି । ଓଡ଼ିଶା ସରକାରଙ୍କ ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟ ପକ୍ଷରୁ ଗୋପବନ୍ଧୁ ଏକାଡେମୀ ଅଫ୍‌ ଆଡ୍‌ମିନିଷ୍ଟ୍ରେସନ୍‌ଠାରେ ଆୟୋଜିତ ‘ଆପ୍ରେନ୍‌ଟିସ୍‌ ଆକ୍ଟ-୧୯୬୧’ ସମ୍ମିଳନୀରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ନାୟକ କହିଲେ ଯେ ୨୦୧୫ ମସିହାରେ ଲାଗୁ ହୋଇଥିବା ଦକ୍ଷତା ବିକାଶ ଓ ଔଦ୍ୟୋଗିକତା ଆଇନ ମଧ୍ୟ ସେହି ମର୍ମରେ ଗୁରୁତ୍ୱରୋପ କରିଛି ।

ଶିକ୍ଷାନବିଶମାନଙ୍କୁ ସଠିକ୍‌ ତାଲିମ ମାଧ୍ୟମରେ ଦକ୍ଷ ମାନବସଞ୍ଚଳରେ ପରିଣତ କରାଯାଇ ପାରିବ । ଫଳରେ ଶିଳ୍ପଠାରୁ ଆରମ୍ଭ କରି ଆତିଥେୟତା କ୍ଷେତ୍ର ପର୍ଯ୍ୟନ୍ତ ସବୁଠାରେ ଉନ୍ନତି ସମ୍ଭବ ହୋଇ ପାରିବ । ଏହି ଅବସରରେ ଯୋଗଦେଇ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତୋ ବାଗ୍‌ଚୀ କହିଲେ ଯେ, ଦକ୍ଷତା ବିକାଶ କେବଳ ସରକାରଙ୍କ ମୂଳ ଲକ୍ଷ ନୁହେଁ । ଆମକୁ ମଧ୍ୟ ସାମାଜିକ ପରିବର୍ତ୍ତନ ଦିଗକୁ ଦୃଷ୍ଟି ଦେବାକୁ ହେବ । ବ୍ୟବସାୟର ମୂଳ ଉଦ୍ଦେଶ୍ୟ କେବଳ ଲାଭ କରିବା ନୁହେଁ, ସେଥିରେ ମଧ୍ୟ ଦେଶାତ୍ମବୋଧ ଭାବ ରହିବା ଦରକାର ।

ପିଲାମାନଙ୍କ ଦକ୍ଷତାର ବିକାଶ କରିବାକୁ ହେଲେ ସେମାନଙ୍କ ସହ ଆନ୍ତରିକତାର ସହ ଜଡ଼ିତ ହେବାକୁ ପଡ଼ିବ । ସୂଚନା ଓ ପ୍ରଯୁକ୍ତି ଶିଳ୍ପ କ୍ଷେତ୍ରରେ ମାତ୍ର ୬ ପ୍ରତିଶତ ଆବେଦନକାରୀ ଇଂଜିନିୟର କୃତକାର୍ଯ୍ୟ ହୋଇଥାଆନ୍ତି । କିନ୍ତୁ ତଥାପି ମଧ୍ୟ ସୂଚନା ପ୍ରଯୁକ୍ତି କ୍ଷେତ୍ରରେ ମାନବସଞ୍ଚଳର ବିକାଶ ଓ ଦକ୍ଷତା ସବୁଠାରୁ ଗୁରୁତ୍ୱ ପୂର୍ଣ୍ଣ । ବିଦେଶରେ ଦକ୍ଷତା ବୃଦ୍ଧି ଏକ ଜାତୀୟ ଚରିତ୍ର । ୨୦୧୬ ମସିହାରେ ରାଜ୍ୟରେ ଆଇଟିଆଇମାନଙ୍କରେ ଛାତ୍ରୀମାନଙ୍କ ସଂଖ୍ୟା ମାତ୍ର ୬ ପ୍ରତିଶତ ଥିବାବେଳେ ସରକାର ଏହାକୁ ୩୩ ପ୍ରତିଶତକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଲେ । ଏବେ କଳାହାଣ୍ଡି ଆଇଟିଆଇରେ ଛାତ୍ରୀମାନଙ୍କ ସଂଖ୍ୟା ବୃଦ୍ଧି ପାଇ ୧୪ ପ୍ରତିଶତରେ ପହଞ୍ଚିଛି । ଶିକ୍ଷାନବିସମାନଙ୍କୁ ତାଲିମ ମାଧ୍ୟମରେ ଦକ୍ଷ ମାନବସଞ୍ଚଳରେ ପରିଣତ କରାଯାଇ ପାରିବ । ଏଥି ପାଇଁ ସମସ୍ତଙ୍କର ସାହାଯ୍ୟ ଓ ସହଯୋଗ ଆବଶ୍ୟକ ।

କାର୍ଯ୍ୟକ୍ରମରେ ଯୋଗଦେଇ କଟକର ସାଂସଦ ତଥା ଶ୍ରମ ସଞ୍ଚନ୍ଧୀୟ ପାର୍ଲାମେଣ୍ଟାରୀ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଭର୍ତ୍ତୃହରି ମହତାବ କହିଲେ ଯେ ଶିକ୍ଷାନବିସ ଆଇନ ବିଷୟରେ ବ୍ୟାପକ ସଚେତନତା ଆବଶ୍ୟକ । ଏ ଦିଗରେ ଆମେ ସମସ୍ତେ ସଚେତନ ହେଲେ ହିଁ ଯାଇ ଆମ ପିଲାମାନଙ୍କୁ ନିଯୁକ୍ତିର ସୁଯୋଗ ଦେଇ ପାରିବ । ଆମ ଦେଶ ୩୫ରୁ ୩୮ ପ୍ରତିଶତ ଯୁବକ ରୋଜଗାରକ୍ଷମ ହେବା ବୟସରେ ପହଞ୍ଚି ସାରିଲେଣି । ତାଲିମ ମାଧ୍ୟମରେ ଦକ୍ଷ ମାନବସଞ୍ଚଳର ସୃଷ୍ଟି ଦ୍ୱାରା ବ୍ୟା ପକ ନିଯୁକ୍ତି ସମ୍ଭବ ହୋଇ ପାରବ ।

ସମ୍ମିଳନୀରେ ଯୋଗଦେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ସଂଜୟ କୁମାର ସିଂ କହିଲେ ଯେ ରାଜ୍ୟରେ ଆଇଟିଆଇ ଶିକ୍ଷାର ମାନ ଖୁବ୍‌ ଉଚ୍ଚକୋଟୀର ଅଟେ । ସରକାର ଆଇଟିଆଇ ଶିକ୍ଷା କ୍ଷେତ୍ରରେ ବ୍ୟା ପକ ପରିବର୍ତ୍ତନ ଓ ସଂସ୍କାର ଆଣିଛନ୍ତି । ଏହି ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାନବିସ ଭାବେ ତାଲିମର ସୁଯୋଗ ମିଳିଲେ ସେମାନେ ନିଜର ଉତ୍କର୍ଷ ପ୍ରତି ପାଦନ କରି ପାରିବେ । ଆମ ରାଜ୍ୟର ଆଇଟିଆଇ ଛାତ୍ରଛାତ୍ରୀମାନେ ଅନୁଷ୍ଠାନରୁ ଉତ୍ତୀର୍ଣ୍ଣ ହେବା ପରେ ଖୁବ୍‌ ଦକ୍ଷ ମାନବ ସଞ୍ଚଳରେ ପରିଣତ ହୋଇ ପାରୁଛନ୍ତି । କାରଣ ସରକାର ଦକ୍ଷତା ବିକାଶ କ୍ଷେତ୍ରରେ ସବୁବେଳେ ଗୁରୁତ୍ୱ ଦେଇଆସୁଛନ୍ତି । ଆମେ ଶିକ୍ଷାନବିସ ଆଇନ ୧୯୬୧କୁ ରାଜ୍ୟରେ ଠିକ୍‌ ଭାବେ ସଂଚାଳନ କରିବାକୁ ଜିଲ୍ଲା କର୍ମନିୟୋଜନ ଅଧିକାରୀମାନଙ୍କୁ ନୋଡାଲ୍‌ ଅଧିକାରୀ ଭାବେ ନିଯୁକ୍ତି ଦେଇଛୁ, ଯାହାଦ୍ୱାରା କି ଛାତ୍ରଛାତ୍ରୀମାନଙ୍କୁ ତାଲିମ ମାଧ୍ୟମରେ ଦକ୍ଷ କରି ଗଢ଼ିତୋଳିବାରେ ସହାୟକ ହୋଇ ପାରୁଛି । ସରକାର ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ପବ୍ଲିକ୍‌ ସେକଫର ଅଣ୍ଡରଟେକିଂ ସହ ୭ ହଜାର ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାନବିସ ଭାବେ ତାଲିମ ଦେବା ପାଇଁ ବୁଝାମଣା ପତ୍ର ଓ ଚୁକ୍ତି ସ୍ୱାକ୍ଷର କରିଛନ୍ତି । ରାଜ୍ୟରେ ଏହି ଆଇନର କାର୍ଯ୍ୟକାରିତା ନେଇ ଆମେ ଆଶାବାଦୀ ଅଟୁ ।

ଏହି ଅବସରରେ ଇମ୍ଫା, ଇଡ୍‌କୋ, ଉତ୍କଳ ଆଲୁମିନା ଲି, ଓଡ଼ିଶା ହାଇଡ୍ରୋ ପାଓ୍ୱାର କର୍ପୋରେସନ୍‌, ବିର୍ଲା ଟାୟାର୍ସ, ବେଦାନ୍ତ ଲି, ଓଡ଼ିଶା ରାଜ୍ୟ ପୋଲିସ୍‌ ହାଉସିଂ କର୍ପୋରେସନ୍‌ ସହ ଶିକ୍ଷାନବିସ ତାଲିମକୁ ନେଇ ବୁଝାମଣା ପତ୍ର ଓ ଚୁକ୍ତିନାମା ହସ୍ତାନ୍ତର କରାଯାଇଥିଲା । ସର୍ବଭାରତୀୟ ଦକ୍ଷତା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାରୀ କରିଥିବା ରଜନୀକାନ୍ତ ସାହୁଙ୍କୁ ସଞ୍ଚର୍ଦ୍ଧିତ କରାଯାଇଥିବାବେଳେ ଶିକ୍ଷାନବିସ ତାଲିମ କ୍ଷେତ୍ରରେ ସହଯୋଗ ନିମନ୍ତେ ଟାଟା ଷ୍ଟିଲ୍‌ ଓ ବେଦାନ୍ତ ଲି. କୁ ମଧ୍ୟ ସଞ୍ଚର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ପୋଲସ୍‌ ହାଉସିଂ କର୍ପୋରେସନ୍‌ର ପରିଚାଳନା ନିର୍ଦ୍ଦେଶକ ଲଳିତ ଦାସ, ଶ୍ରମ କମିଶନର ନିରଞ୍ଜନ ସାହୁ, କର୍ମ ନିୟୋଜନ ନିର୍ଦ୍ଦେଶକ ରଶ୍ମିତା ପଣ୍ଡା, ଜାତୀୟ ଦକ୍ଷତା ବିକାଶ କର୍ପୋରେସନ୍‌ର ବରିଷ୍ଠ ମୁଖ୍ୟ ସୁର ଜିତ ରାୟ ପ୍ରମୁଖ ଶକ୍ଷି । ନବିସ ଆଇନ ୧୯୬୧ର ବିଭିନ୍ନ ଦିଗ ସଂପର୍କରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ ରେଘୁଜୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।

Comments are closed.