Odisha Link
Bridging the Missing Links in Odisha

କର୍ଣ୍ଣାଟକ: ଅଯୋଗ୍ୟ ଲଢ଼ିପାରିବେ ଉପନିର୍ବାଚନ, ବିଜେପିକୁ କେତେ ସୁହାଇବ?

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟ କର୍ଣ୍ଣାଟକର ଅଯୋଗ୍ୟ ଘୋଷିତ ହୋଇଥିବା ୧୭ ବିଧାୟକଙ୍କୁ ଉପ-ନିର୍ବାଚନ ଲଢ଼ିବା ପାଇଁ ଦେଇଛନ୍ତି ସବୁଜ ସଙ୍କେତ। ଏହି ୧୭ ଜଣ ବିଧାୟକ କଂଗ୍ରେସ ଓ ଜେଡିଏସ୍‌ ମେଣ୍ଟ ସରକାର ବିରୋଧରେ ବିଦ୍ରୋହ କରି ଅଯୋଗ୍ୟ ଘୋଷିତ ହୋଇଥିଲେ। ଅପରପକ୍ଷେ ବାଚସ୍ପତି ସେମାନଙ୍କୁ ଅଯୋଗ୍ୟ ଘୋଷଣା କରିଥିବା ନିଷ୍ପତ୍ତିକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ରାୟ ପରେ କର୍ଣ୍ଣାଟକ ରାଜନୀତି ଏବେ ଉଷ୍ମ ହୋଇଉଠିଛି। କାରଣ ଡିସେମ୍ବର ୫ରେ ଫାଙ୍କା ପଡ଼ିଥିବା ୧୭ଟି ବିଧାନସଭା ଆସନରୁ ୧୫ଟିରେ ଭୋଟ ଗ୍ରହଣ ହେବ। ଏଥିପାଇଁ ପ୍ରାର୍ଥୀମାନେ ନଭେମ୍ବର ୧୮ ସୁଦ୍ଧା ସେମାନଙ୍କ ପ୍ରାର୍ଥିପତ୍ର ଦାଖଲ କରିବେ।

ତେବେ ସୁପ୍ରିମକୋର୍ଟଙ୍କ ରାୟ କର୍ଣ୍ଣାଟକରେ ଶାସନାଧୀନ ବିଜେପି ସରକାର ପାଇଁ ଭଲ ହେବ ନା ଖରାପ ହେବ ସେ ନେଇ ଚାଲିଛି ଚର୍ଚ୍ଚା। କଂଗ୍ରେସ-ଜେଡିଏସ୍‌ ମେଣ୍ଟରେ ବାଚସ୍ପତି ହୋଇଥିବା କେଜେ ରମେଶ ୧୭ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ। ଏହାପରେ ୨୨୫ ଆସନ ବିଶିଷ୍ଟ ବିଧାନସଭାର ଆସନ ସଂଖ୍ୟା ୨୦୮କୁ ଖସି ଆସିଥିଲା। ତେଣୁ ଏଠାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ୧୦୫ ହୋଇଥିଲା। ବିଜେପି ପାଖରେ ଆବଶ୍ୟକ ବିଧାୟକ ଥିବାରୁ ଦଳ ଏଠାରେ ସରକାର ଗଠନ କରିଛି।

ଏବେ ୧୫ଟି ଆସନରେ ଭୋଟ ହେବାକୁ ଥିବାରୁ ବିଧାନସଭାର କ୍ଷମତା ୨୨୩କୁ ବୃଦ୍ଧି ପାଇବ। ବର୍ତ୍ତମାନ ବିଜେପି ପାଖରେ ୧୦୫ ବିଧାୟକ ଥିବା ବେଳେ ଜଣେ ସ୍ୱାଧୀନ ବିଧାୟକ ଦଳକୁ ସମର୍ଥନ କରୁଛନ୍ତି। ୨୨୩ ଆସନ ବିଧାନସଭାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ୧୧୨ରେ ପହଞ୍ଚି ଯିବ। ତେଣୁ ବିଜେପି ସରକାର ଗଠନ ପାଇଁ ନିର୍ବାଚନ ହେବାକୁ ଥିବା ୧୫ଟି ଆସନରୁ ଅତିକମରେ ୭ଟିରେ ଜିତିବାକୁ ପଡ଼ିବ। ୨୦୧୮ରେ ଏହି ୧୫ଟି ଆସନ ପାଇଁ ହୋଇଥିବା ନିର୍ବାଚନରେ କଂଗ୍ରେସ ୧୧ଟି ଓ ଜେଡିଏସ୍‌ ୩ଟିରେ ବାଜିମାତ କରିଥିଲା।

ସୁପ୍ରିମକୋର୍ଟ ଅଯୋଗ୍ୟ ଘୋଷିତ ହୋଇଥିବା ବିଧାୟକଙ୍କୁ ନିର୍ବାଚନ ଲଢ଼ିବାକୁ କହିଥିବାରୁ ଏବେ ବିଜେପି ସେମାନଙ୍କୁ ଟିକେଟ ଦେବ। ସେମାନେ ପୁଣିଥରେ ନିଜ ନିଜ ଆସନରୁ ଲଢ଼ିବେ। ହେଲେ ସେମାନଙ୍କୁ ଲୋକମାନେ କେତେଦୂର ବିଜେପି ପ୍ରାର୍ଥୀ ଭାବେ ଗ୍ରହଣ କରୁଛନ୍ତି, ତାହା ଦେଖିବାକୁ ବାକି ରହିଲା।

Comments are closed.